ହେଡଲାଇନସ୍:

ଜୁଲାଇ ୧୦ରୁ ସାମୂହିକ ଛୁଟିରେ ଯିବେ କୋଲାବିରା ବ୍ଲକର ଯୋଗାଣ ସହାୟକ, ଚାଉଳ ବଣ୍ଟନ ପାଇଁ ଚାପ ନପକାଇବାକୁ ବିଡିଓଙ୍କୁ ଦାବୀପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଲାବିରା :​ ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ନେଇ ଆସନ୍ତା ଜୁଲାଇ ୧୦ ତାରିଖରୁ କୋଲାବିରା ବ୍ଲକର ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଲାବିରା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୋମବାର ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଜୁଲାଇ ଓ ଅଗଷ୍ଟ ମାସର ଖାଦ୍ୟଶସ୍ୟ (ଚାଉଳ) ବଣ୍ଟନ ପାଇଁ ସଂଘର ସଦସ୍ୟମାନଙ୍କ ଉପରେ କୌଣସି ପ୍ରକାର ଚାପ ନ ପକାଇବାକୁ ଏହି ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି।
​ସଂଘର ଅଭିଯୋଗ ଅନୁଯାୟୀ, ବିଗତ ୧୪ ବର୍ଷ ଧରି ସେମାନେ ନିଷ୍ଠାର ସହ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ସରକାର ଅଣଦେଖା କରିଛନ୍ତି। ଏ ସମ୍ପର୍କରେ ଗତ ଜୁନ୍ ୧୬ ତାରିଖରେ ରାଜ୍ୟ ସରକାର ଓ ପ୍ରଶାସନକୁ ଏକ ଲିଖିତ ନୋଟିସ୍ ମଧ୍ୟ ଦିଆଯାଇଥିଲା। ସରକାରଙ୍କ ନୂତନ ସିଏମଏୟାଇ ଯୋଜନାକୁ ସଫଳ କରିବା ପାଇଁ ସଂଘ ପୂର୍ବରୁ ସହଯୋଗ କରିଥିଲେ ହେଁ, ଜୁଲାଇ ୧୦ ସୁଦ୍ଧା ଦାବି ପୂରଣ ନହେଲେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କୁ ଓହ୍ଲାଇବା ସହ ସାମୂହିକ ଛୁଟିରେ ଯିବା ପାଇଁ ସେମାନେ ସ୍ପଷ୍ଟ କରିଥିଲେ।​ସଂଘ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ବଣ୍ଟନ ପାଇଁ ଅଲଟମେଣ୍ଟ ଜାରି ହୋଇସାରିଛି। ମାତ୍ର ଜୁଲାଇ ୯ ତାରିଖ ସୁଦ୍ଧା ଏହି ବଣ୍ଟନ କାର୍ଯ୍ୟ ଶେଷ କରିବା ବ୍ୟାବହାରିକ ଭାବେ ଅସମ୍ଭବ। ଜୁଲାଇ ୧୦ରୁ ସମସ୍ତେ ଛୁଟିରେ ଯାଉଥିବାରୁ ଅଧାପନ୍ତରିଆ ବଣ୍ଟନ ଯୋଗୁଁ ହିତାଧିକାରୀମାନେ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି।​ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଏବଂ ଯୋଗାଣ ସହାୟକମାନଙ୍କୁ କାର୍ଯ୍ୟ ପାଇଁ ବାଧ୍ୟ ନକରିବାକୁ ସଂଘ ସଭାପତି ହେମାନନ୍ଦ ନାଏକଙ୍କ ସ୍ୱାକ୍ଷରିତ ଏହି ଦାବୀପତ୍ରରେ ଦାବି କରାଯାଇଛି। ଦାବିପତ୍ର କୁ ଅତିରିକ୍ତ ବିଡ଼ିଓ ରାଜେଶ ରୋଶନ ଗୁଡ଼ିଆ ଗ୍ରହଣ କରିଥିଲେ l ଦାବିପତ୍ର ପ୍ରଦାନ ସମୟରେ ବ୍ଲକର ସମସ୍ତ ପଞ୍ଚାୟତ ର ଯୋଗାଣ ସହାୟକ ଉପସ୍ଥିତ ଥିଲେ l ଏହି ଦାବୀପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।

0
0
0
s2sdefault