ହେଡଲାଇନସ୍:

ରେଳ କର୍ମଚାରୀଙ୍କ ୫ ଦଫା ଦାବି ନେଇ ଡିଆରଏମ୍‌ଙ୍କୁ ସ୍ମାରକପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ଚକ୍ରଧରପୁର,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଦକ୍ଷିଣ ପୂର୍ବ ରେଳବାଇ ମେନ୍ସ ତୃଣମୂଳ କଂଗ୍ରେସର କେନ୍ଦ୍ରୀୟ ଯୁଗ୍ମ ମହାସଚିବ ତଥା ଚକ୍ରଧରପୁର ରେଳ ମଣ୍ଡଳର ସମନ୍ୱୟକାରୀ ଜହାଙ୍ଗୀର ହକଙ୍କ ନେତୃତ୍ୱରେ ସଂଗଠନର ବରିଷ୍ଠ ପଦାଧିକାରୀମାନେ ଚକ୍ରଧରପୁର ରେଳ ମଣ୍ଡଳର ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ କର୍ମରତ ରେଳ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟସ୍ଥଳରେ ଥିବା ଅସୁବିଧା ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ।

ଜହାଙ୍ଗୀର ହକ କହିଥିଲେ ଯେ, ରେଳ କର୍ମଚାରୀଙ୍କ ସ୍ୱାର୍ଥର ସୁରକ୍ଷା ଓ ସେମାନଙ୍କ ସମସ୍ୟାର ସମାଧାନ ସଂଗଠନର ପ୍ରଥମ ପ୍ରାଥମିକତା। ରେଳ ପ୍ରଶାସନ ସହ ଆଲୋଚନା କରି କର୍ମଚାରୀଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ସଂଗଠନ ସଦା ପ୍ରୟାସ କରିବ ବୋଲି ସେ କହିଥିଲେ।

ପରେ ଜହାଙ୍ଗୀର ହକ ଓ ସଂଗଠନର ପଦାଧିକାରୀମାନେ ଚକ୍ରଧରପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ତରୁଣ ହୁରିଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାସହ ସଂଗଠନ ପକ୍ଷରୁ ୫ ଦଫା ଦାବିପତ୍ର ମଧ୍ୟ ଡିଆରଏମ୍‌ଙ୍କୁ ପ୍ରଦାନ କରାଯାଇଥିଲା।

ଦାବିପତ୍ରରେ ଟାଟାନଗର, ସିନି, ରାଜଖରସୱାନ, ଚକ୍ରଧରପୁର, ଗୋଇଲକେରା, ମନୋହରପୁର, ଜରେଇକେଲା, ବିସ୍ରା, ବଣ୍ଡାମୁଣ୍ଡା, ରାଉରକେଲା, ଝାରସୁଗୁଡ଼ା, ବାମଡ଼ା, ରାଜଗାଙ୍ଗପୁର, ସରଡେଗା, ନୂଆଁଗାଁ ସମେତ ଅନ୍ୟାନ୍ୟ ଷ୍ଟେସନର କର୍ମଚାରୀଙ୍କୁ ବିଲ୍ ୟୁନିଟ୍ ଟ୍ରାନ୍ସଫର ପଲିସି ଅନୁଯାୟୀ ସ୍ଥାନାନ୍ତର ସୁବିଧା ପ୍ରଦାନ କରିବା ଏବଂ ୨୦୧୪ରୁ ୨୦୧୭ ମଧ୍ୟରେ ଅନ୍‌ଲାଇନ୍ ଆବେଦନ କରିଥିବା କର୍ମଚାରୀଙ୍କୁ ଶୀଘ୍ର ଅନ୍ୟ ଜୋନ୍ ଓ ମଣ୍ଡଳକୁ ରିଲିଜ୍ କରିବାକୁ ଦାବି କରାଯାଇଛି।

ଏହାବ୍ୟତୀତ ରାଉରକେଲା ଷ୍ଟେସନ ନିକଟସ୍ଥ ଫ୍ଲାଏଓଭର ବ୍ରିଜ୍‌ର ମରାମତି କରି ଶୀଘ୍ର ଚଳାଚଳ ଯୋଗ୍ୟ କରିବା, ବଣ୍ଡାମୁଣ୍ଡା ଡିଜେଲ କଲୋନୀର ‘କେ’ କେବିନ୍‌ରୁ ଡିଜେଲ ଲୋକୋ ଶେଡ୍, ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଓ ରାଉରକେଲା ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ଏବଂ ବଣ୍ଡାମୁଣ୍ଡା ଏକ୍ସଚେଞ୍ଜ ୟାର୍ଡରୁ ଏଆରଏମ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଉ ଏକ ଫ୍ଲାଏଓଭର ନିର୍ମାଣ କରିବାକୁ ସଂଗଠନ ଦାବି କରିଛି।

ଏହି ସମସ୍ତ ଦାବି ଉପରେ ଗୁରୁତ୍ୱ ଦେଇ ଡିଆରଏମ୍ ତରୁଣ ହୁରିଆ କହିଥିଲେ ଯେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଇ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ। ସେ କହିଥିଲେ ଯେ, ଆଗାମୀ ଦିନରେ ରେଳ କର୍ମଚାରୀଙ୍କ ସୁରକ୍ଷା, ସ୍ଥାନାନ୍ତର ଓ ପଦୋନ୍ନତି ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବ।

0
0
0
s2sdefault