ହେଡଲାଇନସ୍:

ବେଆଇନ୍ ଚିଙ୍ଗୁଡ଼ିଘେରୀ ଉଚ୍ଛେଦରେ ପ୍ରଶାସନିକ ଅବହେଳା , ରେମୁଣା ବିଧାୟକଙ୍କ ଅନଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର: ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ହୋଇଥିବା ବେଆଇନ୍ ଚିଙ୍ଗୁଡ଼ିଘେରୀ ଉଚ୍ଛେଦରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ନିଜର ସହଯୋଗୀ ଓ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ପ୍ରାୟ ୩୭ ଏକର ପରିମିତ ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିରେ ଦୀର୍ଘଦିନ ଧରି ବେଆଇନ୍ ଭାବେ ଚିଙ୍ଗୁଡ଼ି ଘେରୀ କରି ଆସୁଥିଲେ । ଗୋରୁଗାଈ ଚରିବାକୁ ଜଗା ନମିଳିବା ଓ ଚିଙ୍ଗୁଡ଼ି ଘେରୀରୁ ନିର୍ଗତ ଲୁଣିପାଣି ଯୋଗୁଁ ଚାଷ କ୍ଷତିହେବା ଯୋଗୁଁ ଗ୍ରାମବାସୀମାନେ ଏହାର ଉଚ୍ଛେଦ ପାଇଁ ସଦର ତହସିଲଦାର ଏବଂ ଜିଲ୍ଲାପାଳଙ୍କଠାରେ ଦାବି କରିଥିଲେ । ମାତ୍ର ଦୀର୍ଘଦିନ ପରେ ବି ପ୍ରଶାସନ ପକ୍ଷରୁ ଉଚ୍ଛେଦ ନହେବା ଦେଖି ଶେଷରେ ଗ୍ରାମବାସୀମାନେ ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦେଶ  ପରେ ବି ପ୍ରଶାସନିକ ସ୍ତରରେ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଯୋଗୁଁ ଗ୍ରାମବାସୀମାନେ ରେମୁଣା ବିଧାୟକଙ୍କୁ ଏ ସମ୍ପର୍କରେ ଅବଗତ କରିଥିବା ସେ ସୂଚନା ଦେଇଛନ୍ତି । ସାମୂହିକ ସ୍ୱାର୍ଥକୁ ଦୃଷ୍ଟି ଦେଇ ବିଧାୟକ ଶ୍ରୀ ଦାସ ସଦର ତହସିଲଦାର ଓ ଜିଲ୍ଲାପାଳଙ୍କ ସହ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିଥିଲେ । ଏମିତିକି ଗତକାଲି ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ଉଚ୍ଛେଦକୁ ବିରୋଧ କରି ଜବରଦଖଲକାରୀ ପଦ୍ମପୁର ପଞ୍ଚାୟତର କେତେକ ମହିଳାଙ୍କ ଦ୍ୱାରା ରାସ୍ତାରୋକ କରିବା ଯୋଗୁଁ ଘେରୀ ଭାଙ୍ଗିବା କାର୍ଯ୍ୟରୁ ଅଧିକାରୀମାନେ ନିବୃତ ହୋଇଥିଲେ । ତେବେ ଜବରଦଖଲକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଭିତିରି ବୁଝାମଣାରେ ନାଟକୀୟ ଢଙ୍ଗରେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଯାଇଥିବା ରେମୁଣା ବିଧାୟକ ଆରୋପ ଉଠାଇଛନ୍ତି । ପ୍ରଶାସନର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ପୂର୍ବ ଘୋଷଣା ଅନୁସାରରେ ବିଧାୟକ ଶ୍ରୀ ଦାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନରେ ବସିଥିବା କହିଥିଲେ । ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ପ୍ରତ୍ୟକ୍ଷ ତ୍ତ୍ବାବଧାନରେ ଆୟୋଜିତ ଏହି ଗଣ ଅନଶନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଟାଉନ ସଭାପତି ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ପରିଡ଼ା, ଅଜୟ ସାମଲ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ହାଇକୋର୍ଟଙ୍କ ନିର୍ଦେଶକୁ ଜିଲ୍ଲା ପ୍ରଶାସନର ଅବଜ୍ଞାକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ଶାସକ ବିଜେଡିର ନେତା ଓ କର୍ମୀଙ୍କ ନିଦେ୍ର୍ଧଶରେ ପ୍ରଶାସନିକ ଅଧିକାରୀମାନେ ସମ୍ପ୍ରତି ଜନବିରୋଧୀ କାର୍ଯ୍ୟ କରିବାକୁ ପଛାଉ ନାହିଁ ବୋଲି ସେମାନେ ଅଭିଯୋଗ ଉଠାଇଥିଲେ । ପ୍ରଶାସନର ଏହି କାର୍ଯ୍ୟଧାରା ଆଗାମୀ ଦିନରେ ଅନ୍ୟଏକ ଜନ ଆନେ୍ଦାଳନକୁ ଆହ୍ୱାନ କରିଛି ବୋଲି ବିଜେପି କର୍ମକର୍ତ୍ତାମାନେ କହିଥିଲେ । ତେବେ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ବୁଝାସୁଝା କରିବା ସହ ଆସନ୍ତା ସୋମବାର ଦିନ ବେଆଇନ ଘେରୀ ଉଚ୍ଛେଦ କାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ଦେବା ପରେ ବିଧାୟକ ଅନଶନରୁ ନିବୃତ ହୋଇଥିଲେ । 

0
0
0
s2sdefault