ହେଡଲାଇନସ୍:

କିଟ୍‍ରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ଉଦ୍‍ଘାଟିତ, ବିକାଶ କ୍ଷେତ୍ରରେ ମହାକାଶ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅକ୍ଟୋବର ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ରାଜ୍ୟର ୨୨ଟି ସ୍ଥାନରେ ଉଦ୍‍ଘାଟିତ ହୋଇଛି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ । ଓଡ଼ିଶାରେ ପ୍ରଥମ ଥର ଲାଗି କିଟ୍‍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳିତ ହେଉଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ଅନ୍ତରୀକ୍ଷରେ ନୂତନ ବିଶ୍ୱର ଆବିଷ୍କାର’ । କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରର ମିଳିତ ସହଯୋଗରେ ଏହି ସପ୍ତାହ ପାଳିତ ହେଉଛି । ଶୁକ୍ରବାର ଅନୁଷ୍ଠିତ  ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ. ଏସ୍‍ ସି ଜମିର କହିଲେ, ଆର୍ଥିକ ବିକାଶ, ସମ୍ବଳ ସଂରକ୍ଷଣ ଏବଂ ସାମାଜିକ ତଥା ମାନବିକ ବିକାଶ କ୍ଷେତ୍ରରେ ଅନ୍ତରୀକ୍ଷ ପ୍ରଯୁକ୍ତି ଏବଂ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ପ୍ରମୁଖ ଭୂମିକା ରହିଛି । ଅନ୍ତରୀକ୍ଷ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ଅନ୍ତରୀକ୍ଷ ପ୍ରଯୁକ୍ତି ଓ ଏହାର ବ୍ୟବହାର ନେଇ ସଚେତନ କରାଇବା ହେଉଛି ଇସ୍ରୋର ଏକ ଉଲ୍ଲେଖନୀୟ କାର୍ଯ୍ୟ । ଛାତ୍ରଛାତ୍ରୀ ଓ ଯୁବକମାନେ ମହାକାଶ ସଂପର୍କରେ ଅନେକଗୁଡ଼ିଏ ଅଜଣା ଓ ଉତ୍ସାହଜନକ ତଥ୍ୟ ଜାଣିବା ସହ ଭବିଷ୍ୟତରେ ମହାକାଶ ଗବେଷଣାରେ ନିଜକୁ ସଂପୃକ୍ତ କରାଇବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ । ଆଜି ମହାକାଶ ଗବେଷଣା କ୍ଷେତ୍ରରେ ଭାରତ, ବିଶ୍ୱର ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିଛି ବୋଲି ଡ. ଜମିର କହିଥିଲେ । ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରର ନିଦେ୍ର୍ଧଶକ ଡ. ପି. କୁନିକି୍ରଷ୍ଣନ୍‍ କହିଲେ, ମହାକାଶକୁ ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ପ୍ରେରଣ ଏବଂ ମହାକାଶ ଶାନ୍ତିପୂର୍ଣ୍ଣ ବ୍ୟବହାର ନେଇ ଜାତିସଂଘର ଘୋଷଣା ଦୁଇଟି ମହତ୍ତ୍ୱପୂର୍ଣ୍ଣ ଦିବସକୁ ପାଳନ କରିବା ଉଦେ୍ଧଶ୍ୟରେ ପ୍ରତିବର୍ଷ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଅନ୍ତରୀକ୍ଷ ଏବଂ ମାନବ ସମାଜକୁ ଏହାର ଉପକାରିତା ସଂପର୍କରେ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ମହାକାଶ ଗବେଷଣାରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା । ଇତି ମଧ୍ୟରେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଅନେକ ଅଗ୍ରଗତି କରିଥିବା ବେଳେ ମହାକାଶକୁ ମଙ୍ଗଳ ଯାନ ମଙ୍ଗଳାୟନ ଓ ଚନ୍ଦ୍ରକୁ ଚନ୍ଦ୍ରାୟନ ପ୍ରେରଣ କରି ସଫଳ ହୋଇଛି । ପାଣିପାଗ, କୃଷି, ଶିକ୍ଷା, ଯୋଗାଯୋଗ ଭଳି ଅନେକ କ୍ଷେତ୍ରରେ ମହାକାଶ ଗବେଷଣା କାର୍ଯ୍ୟକ୍ରମ ସଫଳତା ହାସଲ କରିପାରିଛି ।  ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକା, ଋଷିଆ, ଫ୍ରାନ୍‍ସ, ଚୀନ୍‍ ଓ ଜାପାନ ପରେ ଏବେ ଭାରତ ୬ଷ୍ଠ ସ୍ଥାନରେ ରହିଛି । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ମହାକାଶ ଓ ମହାକାଶ ଗବେଷଣା ସଂପର୍କରେ ଅବଗତ କରାଇବା ଦିଗରେ ଇସ୍ରୋ ପଦକ୍ଷେପ ଗ୍ରହଣ କରିବାକୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ପରାମର୍ଶ ଦେଇଥିଲେ । ଏହି ଅବସରରେ କିଟ୍‍ର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଥିବା ନାନୋ ସାଟେଲାଇଟ୍‍ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ସେ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଏଭଳି ଏକ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ଲାଗି କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବାରୁ ଏହା ଓଡ଼ିଶା ଓ କିଟ୍‍ ପାଇଁ ଗୌରବର ବିଷୟ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ କହିଥିଲେ । ଏଥିପାଇଁ ସେ ଇସ୍ରୋ ତଥା ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରର ଡିଜିଏମ୍‍ ତଥା ଆୟୋଜକ କମିଟିର ଅଧ୍ୟକ୍ଷ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାକାଶ ଗବେଷଣା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ରାଜ୍ୟପାଳ ଉଦ୍‍ଘାଟନ କରିଥିଲେ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସ୍କୁଲ୍‍ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର ଓ ଡିଜାଇନ୍‍, କୁଇଜ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ୭ତାରିଖ ସକାଳେ ଏକ ସ୍ପେସ୍‍ ୱାକ୍‍, ଚିତ୍ରାଙ୍କନ ପ୍ରତିଯୋଗିତା, ଭିଡ଼ିଓ ସୋ ଓ ମହାକାଶ ସମ୍ବନ୍ଧିତ ବକ୍ତୃତା ଅନୁଷ୍ଠିତହେବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault