ହେଡଲାଇନସ୍:

ଦ୍ଵିତୀୟ ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା ଦେବାପାଇଁ ଗଜପତି ଜିଲ୍ଲାରୁ ୨୫ ଜଣ ପରୀକ୍ଷାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ବତନ୍ତ୍ର ବସ ଯୋଗେ ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ବାହାରିଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋଭିଡ୍ କଟକଣା ମଧ୍ୟରେ ହେବାକୁ ଯାଉଛି ଜେଇଇ ମେଇନ୍ ଓ ନିଟ୍  ପରୀକ୍ଷା। ଅନେକେ ଅନିଶ୍ଚିତତା ଭିତରେ ପିଲାଙ୍କୁ ଦେବାକୁ ପଡ଼ୁଛି ପରୀକ୍ଷା।  ଯିବା ଆସିବା ପାଇଁ କରୋନା ଜନିତ ଆଉ କୌଣସି ପ୍ରକାରର କଟକଣା ନ ଥିବା ବେଳେ ସାରା ଦେଶରେ ଗମନାଗମନରେ  ବର୍ତ୍ତମାନ ମଧ୍ୟ ଘୋର ସମସ୍ୟା ରହିଛି । ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାନେ କିଭଳି ବ୍ରହ୍ମପୁର ଓ ଭୁବନେଶ୍ୱର ଯାଇ ସେମାନଙ୍କ ଜେଇଇ ମେଇନ୍ ଓ ନିଟ୍ ପରୀକ୍ଷା ଦେବେ , ତାହା ସେମାନଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ରହିଥିବା ବେଳେ ପରୀକ୍ଷାର୍ଥୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର।  ଯାହାକି ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଜିଲ୍ଲା ପ୍ରଶାସନ ।

 ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କୋହଳ କରାଯିବା ନେଇ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ପରୀକ୍ଷାର୍ଥୀ କେନ୍ଦ୍ରକୁ ଯିବା ଆସିବା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରିଛନ୍ତି ସରକାର।

ଦ୍ଵିତୀୟ ପର୍ଯ୍ୟାୟରେ ଆଜି ପାରଳାଖେମୁଣ୍ଡି ଠାରୁ ମଧ୍ୟ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ  ଏକ ସ୍ବତନ୍ତ୍ର ବସ ଯୋଗେ ପରୀକ୍ଷା ଦେବାପାଇଁ  ଯାଇଛନ୍ତି  ୨୫ ଜଣ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ସହିତ ଯାଇଛନ୍ତି ୧୧ ଜଣ ଅଭିଭାବକ ।ଏ ସମ୍ପର୍କରେ , ପରୀକ୍ଷା ଦେବାପାଇଁ ଯାଇଥିବା ପରୀକ୍ଷାର୍ଥୀ ନିଖିଲେସ ମହାପାତ୍ର , ହେମଲତା ରଇତ ଓ ହେବେନ୍ତୀ କାର୍ଜି ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରି କହିଛନ୍ତି ଯେ , ଏବେ କରୋନା ସମୟରେ ଲକ୍ ଡାଉନ୍ କଟକଣା ଯିବା ଆସିବା କ୍ଷେତ୍ରରେ ସମ୍ପୂର୍ଣ୍ଣ କୋହଳ ହୋଇଥିଲେ ମଧ୍ୟ ବସ-ମୋଟର ଠିକ୍ ଭାବେ ଚଳାଚଳ କରିନି ।

ଏଭଳି ଅନିଶ୍ଚିତତା ମଧ୍ୟରେ ଆମେ ଅତ୍ୟନ୍ତ ଚିନ୍ତିତ ଥିଲୁ ଯେ ,  ଆମେ ଆମର ଜେଇଇ ମେଇନ୍ ପରୀକ୍ଷା ଦେବାପାଇଁ ବ୍ରହ୍ମପୁର ଓ ଭୁବନେଶ୍ୱର  କିଭଳି ଭାବେ ଯାଇ ପରୀକ୍ଷା ଦେବୁ । କିନ୍ତୁ ବର୍ତ୍ତମାନ ଆମେ ବହୁତ ଖୁସି ଅଛୁ ଯେ , ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ଆମକୁ ବହୁତ ସାହାଯ୍ୟ କରିଛନ୍ତି । ପରୀକ୍ଷାକୁ ଯିବା ଆସିବା ପାଇଁ ମାଗଣା ବସ ସୁବିଧା ଯୋଗାଇ ଦେଇଛନ୍ତି । ଆମେ ଏଠାରୁ ବର୍ତ୍ତମାନ ୨୫ ଜଣ ପରୀକ୍ଷା ଦେବାପାଇଁ ଯାଉଛୁ । ଆମେ ବର୍ତ୍ତମାନ ଏବେ ବହୁତ ଖୁସି ଅଛୁ । ସେଥିପାଇଁ ଆମେ ଜିଲ୍ଲା ପ୍ରଶାସନଙ୍କୁ  ଧନ୍ୟବାଦ ଜଣାଉଛୁ ବୋଲି ପରୀକ୍ଷାର୍ଥୀ  ମାନେ କହିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ସଂଯୋଜକ ଭାବେ ରହିଥିବା  ଜିଲ୍ଲା ପୋଲିଟେକ୍ନିକ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷ ଗଦାଧର ମହାରଣା କହିଛନ୍ତି ଯେ , ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ପ୍ରଶାସନ ପିଲାମାନଙ୍କ  ଜେଇଇ ମେଇନ୍ ପରୀକ୍ଷା ସ୍ଥଳକୁ ଯିବା ଆସିବା ପାଇଁ ବସଗାଡିର ବ୍ୟବସ୍ଥା କରିଛନ୍ତି । ସେମାନେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ଓ ଭୁବନେଶ୍ୱର ପରୀକ୍ଷା ଦେବାପାଇଁ ଯାଉଛନ୍ତି ବୋଲି କହିଥିଲେ।

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତଥା ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା କହିଛନ୍ତି ଯେ ,  ଦ୍ଵିତୀୟ ପର୍ଯ୍ୟାୟର ଜେଇଇ ମେଇନ୍ ପରୀକ୍ଷା ଦେବାପାଇଁ  ଆଜି ଆମ ଜିଲ୍ଲାରୁ  ଛାତ୍ରଛାତ୍ରୀ ମାନେ  ଯାଉଛନ୍ତି ଏବଂ ସେମାନଙ୍କ ସହିତ ୧୧ ଜଣ ଅଭିଭାବକ ମଧ୍ୟ ଯାଉଛନ୍ତି ।

 ଜିଲ୍ଲା ପ୍ରଶାସନ ପକ୍ଷରୁ  ପରୀକ୍ଷା ପାଇଁ ସେମାନଙ୍କ ଯିବା ଓ ଆସିବା ପାଇଁ ବସ ଗାଡିର ସୁବିଧା ମଧ୍ୟ କରାଯାଇଛି । ବ୍ରହ୍ମପୁର ଓ ଭୁବନେଶ୍ୱର ଠାରେ ପରୀକ୍ଷା କେନ୍ଦ୍ର ହୋଇଛି । ବସ ଏଠାରୁ ପରୀକ୍ଷାର୍ଥୀ ମାନଙ୍କୁ ନେଇ ସେମାନଙ୍କ ନିର୍ଦ୍ଧାରିତ ପରୀକ୍ଷା ସ୍ଥଳରେ ପହଞ୍ଚାଇବ । ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇ ସାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ସେହି ପରୀକ୍ଷାର୍ଥୀ ମାନଙ୍କୁ ବସ ଓ ଗାଡି ଯୋଗେ  ଏଠାକୁ ଆଣିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା କହିଥିଲେ l

 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ବସ ଯୋଗେ ପରୀକ୍ଷାର୍ଥୀ ମାନେ ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ସେମାନଙ୍କ ଜେଇଇ ମେଇନ୍  ପରୀକ୍ଷା ଦେବା ପାଇଁ ବାହାରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ପୋଲିଟେକ୍ନିକ ସ୍କୁଲର ଅଧ୍ୟକ୍ଷ ଗଦାଧର ମହାରଣା ଏବଂ ଏମଭିଆଇ ବସନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ଅଧିକାରୀ , ଆରଟିଓ କର୍ମଚାରୀ , ପରୀକ୍ଷାର୍ଥୀ ମାନଙ୍କ ଅଭିଭାବକ ଓ ପୋଲିଟେକ୍ନିକ ସ୍କୁଲର ଶିକ୍ଷକ ମାନେ ଯାଉଥିବା ପରୀକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l

0
0
0
s2sdefault