ହେଡଲାଇନସ୍:

କଟକଣା କୋହଳ , ହେଲେ ରହିଛି କିଛି ନିଷେଧାଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଳିତ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କଲେ ଜିଲ୍ଲାପାଳ  

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଚଳିତ ସେପ୍ଟେମ୍ବର ମାସ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା , କରୋନା ଜନିତ କଟକଣାରେ ବହୁତ କିଛି କୋହଳ କରିଥିବା ବିଜ୍ଞପ୍ତି ପ୍ରକାଶ କରିବା ସହ ଏକ ଭିଡିଓ ବାର୍ତ୍ତାରେ ସୂଚନା ପ୍ରଦାନ କରିଥିବା ଯୋଗୁଁ ଜିଲ୍ଲାବାସୀ ଆସ୍ୱସ୍ତି ଲାଭ କରିଛନ୍ତି । 

ଏ ଦିଗରେ କିଛିଟା ନିଷେଧାଦେଶ ମଧ୍ୟ ଜାରି କରିଛନ୍ତି । ଜିଲ୍ଲାପାଳ ଅନୁପମ ସାହା ବିଜ୍ଞପ୍ତି ଓ ଭିଡିଓ ଯୋଗେ ସୂଚନା ଦେଇ କହିଛନ୍ତି ଯେ , ସେପ୍ଟେମ୍ବର ମାସ ପାଇଁ ଓଡିଶା ସରକାରଙ୍କ ରାଜ୍ୟ ରିଲିଫ କମିଶନ( SRC) ପକ୍ଷରୁ ଚଳିତ ସେପ୍ଟେମ୍ବର ମାସପାଇଁ କରୋନା ସମୟର ଅନ୍-ଲକ୍-୪ ପାଇଁ ଗାଇଡ୍ ଲାଇନ୍ ରେ କୋହଳ ଓ କଟକଣା ସବୁର ନୀତିନିୟମ ଆସିଯାଇଛି । ସେହି ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସମୟରେ କୋହଳ ଓ କଟକଣାର ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଜିଲ୍ଲାରେ ପୂର୍ବରୁ ଯେଉଁ ସବୁ ଟାଇମିଙ୍ଗ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳ ଓ କଟକଣା କରା ଯାଇଥିଲା , ଚଳିତ ମାସ ସେପ୍ଟେମ୍ବର ପାଇଁ ସେ ସବୁଥିରେ ଆଉ କୌଣସି ପ୍ରକାର ଟାଇମିଙ୍ଗ ରେଷ୍ଟ୍ରିକସନ ରହିବନାହିଁ ।

ଏଣିକି ଜିଲ୍ଲାରେ ସମସ୍ତ ଦୋକାନ ବଜାର , ବାଣିଜ୍ୟିକ ବ୍ୟବସାୟ , ସପିଙ୍ଗ ମଲ ପ୍ରଭୃତି କରୋନା କଟକଣା ପୂର୍ବରୁ ଯେଉଁଭଳି ଖୋଲା ରହୁଥିଲା , ସେହିଭଳି ଖୋଲା ହୋଇପାରିବ । ଏଥିରେ କୌଣସି ଟାଇମିଙ୍ଗ ରେଷ୍ଟ୍ରିକସନ ରହିବ ନାହିଁ ।

ଏଥି ସହିତ ବ୍ୟାଙ୍କ , ଏଲଆଇସି , ବୀମା କମ୍ପାନୀ ପ୍ରଭୃତି ସେମାନଙ୍କ କମ୍ପାନୀର ନୀତିନିୟମ ପ୍ରକାରେ ଖୋଲି ପାରିବେ , ସେଥିରେ ମଧ୍ୟ କୌଣସି ଟାଇମିଙ୍ଗ ରେଷ୍ଟ୍ରିକସନ ରଖାଯାଇନାହିଁ ।

ତା ସହିତ ଆମର ପୂର୍ବରୁ ଯେଉଁ ଇଣ୍ଟର-ଷ୍ଟେଟ ଓ ଇଣ୍ଟର-ଡିଷ୍ଟ୍ରିକ୍ଟକୁ ଯାନବାହାନ ଚଳାଚଳରେ ଯେଉଁ ରେଷ୍ଟ୍ରିକସନ ରହିଥିଲା , ତାହା ମଧ୍ୟ ଆଉ ରହୁନାହିଁ ।

 ଅନ୍ୟପକ୍ଷରେ ଇଣ୍ଟର-ଷ୍ଟେଟ ଓ ଇଣ୍ଟର ଡିଷ୍ଟ୍ରିକ୍ଟ ସୀମାନ୍ତ ପ୍ରବେଶ ପଥରେ ଯେଉଁ ନାକା ପଏଣ୍ଟ ଥିଲା , ଆନ୍ଧ୍ର ପ୍ରଦେଶ କି ଅନ୍ୟ ଜିଲ୍ଲାକୁ ଯିବା ପାଇଁ ଯେଉଁ ରେଷ୍ଟ୍ରିକସନ ରହିଥିଲା , ତାହା ବର୍ତ୍ତମାନ ଏହି ସେପ୍ଟେମ୍ବର ମାସ ପାଇଁ ଆଉ କୌଣସି କଟକଣା ରହିବ ନାହିଁ କି ଯିବା ପାଇଁ କୌଣସି ଅନୁମତିର ଆବଶ୍ୟକତା ପଡିବ ନାହିଁ । ସମସ୍ତେ ସହଜେ ଇଣ୍ଟର-ଷ୍ଟେଟ କି ଇଣ୍ଟର-ଡ଼ିଷ୍ଟ୍ରିକ୍ଟକୁ ବିନା କୌଣସି ଅନୁମତିରେ ଯାଇ ପାରିବେ ।ଏହି ଉପରୋକ୍ତ ସମସ୍ତ ପ୍ରତି କେବଳ ଚଳିତ ସେପ୍ଟେମ୍ବର ମାସ ପାଇଁ କୋହଳ କରାଯାଇଛି ।

ଅନ୍ୟପକ୍ଷରେ , ଏତଦବ୍ୟତୀତ ଅନ୍ୟ କେତେ ଗୁଡିକରେ କରୋନା କଟକଣା ତଥା ରେଷ୍ଟ୍ରିକସନ ରହିଛି । ସ୍କୁଲ , କଲେଜ ଓ ୟୁନିଭରସିଟି ତ ଖୋଲା ଯାଇପାରିବ ନାହିଁ । ସେ ସବୁପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆଗରୁ ଘୋଷଣା ହୋଇସାରିଛି ଯେ , ଆସନ୍ତା ଦୁର୍ଗା ପୂଜା ପରେ ସେ ସବୁ ଖୋଲିବ ବୋଲି ।

ଦ୍ବିତୀୟତଃ ଧାର୍ମିକ ଅନୁଷ୍ଠାନ ଓ ପୂଜାସ୍ଥଳୀ ମଧ୍ୟ ଖୋଲାଯିବ ନାହିଁ । ଏଥି ସହିତ , ସିନେମା ହଲ , ଥିଏଟର , ସୁଇମିଙ୍ଗ ପୋଲ , ମନୋରଞ୍ଜନ ସ୍ଥଳି ,  ଅଡିଟୋରିମ ହଲ ଖୋଲାଯିବ ନାହିଁ । କୌଣସି ପ୍ରକାର ଜନ ଗହଳି , ରାଜନୈତିକ ଜନଗହଳି , ସାମାଜିକ ମନୋରଞ୍ଜନ ତଥା ମନୋରଞ୍ଜନ ଜନଗହଳି ଓ ସାଂସ୍କୃତିକ ଜନଗହଳିକୁ ମଧ୍ୟ ଅନୁମତି ନାହିଁ ସବୁ ନିଷେଧ ।

ବିବାହ ପାଇଁ ପୂର୍ବରୁ ଯେଉଁଭଳି ଅନୁମତି ଥିଲା ଯେ , ସୀମିତ ୫୦ ଜଣ କେବଳ ରହିପାରିବେ।  ଶବ-ଦାହ ସମୟରେ ମଧ୍ୟ ପୂର୍ବରୁ ଯେଉଁ ଭଳି ସୀମିତ ସଂଖ୍ୟକ ୨୦ ଜଣରୁ ଅଧିକା ନିଷେଧ ଥିଲା , ଏବେ ମଧ୍ୟ ତାହାହିଁ ବଳବତ୍ତର ରହିବ ।

ଜିଲ୍ଲାରେ ବର୍ତ୍ତମାନ ଜିଲ୍ଲାବାସୀଙ୍କ ସୁବିଧା ଓ ଜୀବନ ଜୀବିକା ପ୍ରତି ଦୃଷ୍ଟିରେ ରଖି ଚଳିତ ସେପ୍ଟେମ୍ବର ମାସ ପାଇଁ ବହୁ ଜିନିଷ ଓ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାରୁ ବାଦ ଦିଆଯାଇ ସମ୍ପୂର୍ଣ୍ଣ ଭାବେ କୋହଳ କରି ଦିଆଯାଇଛି ।

ଜିଲ୍ଲାପାଳ ଅନୁପମ ସାହା ଗଜପତି ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ ଓ ନିବେଦନ କରି କହିଛନ୍ତି ଯେ , ଜିଲ୍ଲାରେ କରୋନା ସଂକ୍ରମଣ କମିଗଲା କି ଆଉ ନାହିଁ ବୋଲି ଭାବିବା ଭୁଲ ଧାରଣା । ସେଥିପାଇଁ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ,  ନୀତିନିୟମକୁ ପୂର୍ଣ୍ଣପ୍ରାଣରେ ମାନନ୍ତୁ , ସମସ୍ତେ ମାସ୍କ ନିଶ୍ଚିତ ଭାବେ ପିନ୍ଧିବେ , ଏବେ ମଧ୍ୟ କରୋନା ସଂକ୍ରମଣ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ବର୍ତ୍ତମାନ କିଛିଦିନ ହେଲା ଏ ଦିଗରେ କରୋନା ସଂକ୍ରମଣ ସଂଖ୍ୟା କିଛିଟା କମି ଥାଇପାରେ , ହେଲେ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣ ହଟିନାହିଁ।ସେଥିପାଇଁ ଏ ଦିଗରେ ଆମକୁ ଆହୁରି ଅଧିକ ଭାବେ ସଚେତନ ହୋଇ ସତର୍କ ରହିବାକୁ ପଡିବ ।

ଆଗାମୀ ଦିନ ମାନଙ୍କରେ ଆମେ ଯଦି ଏଥିପ୍ରତି ସଚେତନ ହୋଇ ରହିବା ନାହିଁ କି କରୋନା ଜନିତ ଗାଇଡ଼ଲାଇନର ନୀତିନିୟମକୁ ମାନିବା ନାହିଁ ଏବଂ ଏଥିପାଇଁ ଆଗାମୀ ଦିନରେ ଗଜପତି ଜିଲ୍ଲାରେ ଯଦି କରୋନା ଜନିତ ସଂକ୍ରମଣ ସଂଖ୍ୟା ବଢିବ , ତା’ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଏହି ଉପରୋକ୍ତ କୋହଳରେ ବାଧ୍ୟହୋଇ କଟକଣା ସବୁ ଆଣିବାକୁ ପଡିବ ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇ ଜଣାଇଛନ୍ତି ।

 

0
0
0
s2sdefault