ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଅ: ସ୍ୟାଟ୍

0

 

Image result for sat 0disha

ଭୁବନେଶ୍ୱର, ୧୮ । ୩: ସରକାରୀ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଯେଉଁ ଆଇନଗତ   ବ୍ୟବସ୍ଥା ରହିଛି ତାହାର ତ୍ରୁଟିପୂର୍ଣ୍ଣ ତର୍ଜମା କରାଯିବା ଫଳରେ ବହୁ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏଥିଘେନି ଆଇନ୍ ଅଦାଲତରେ ମାମଲା ସଂଖ୍ୟା ବଢ଼ୁଛି । ହାଇକୋର୍ଟ ଓ ସ୍ୟାଟରୁ ଅନୁକୂଳ ରାୟ ହାସଲ କରିବା ପରେ ଯାଇ ଦୀର୍ଘ ବର୍ଷ ବ୍ୟବଧାନରେ ଚାକିରି ମିଳୁଛି । ସ୍ୟାଟ୍ର ଏକ ଖଣ୍ଡପୀଠ ଏଭଳି ଏକ ମାମଲାରେ ସରକାରଙ୍କ ନିର୍ଦ୍ଦେଶନାମାକୁ ନାକଚ କରିଦେଇ ତିନିମାସ ମଧ୍ୟରେ ଆବେଦନକାରୀଙ୍କୁ ନିଯୁକ୍ତି ଦେବାକୁ ସ୍ପଷ୍ଟ ଭାବେ କହିଛନ୍ତି । 

ମାମଲାର ବିବରଣୀରୁ ପ୍ରକାଶ ଯେ କୃଷି ବିଭାଗ ଅଧିନରେ ଥିବା ‘ଇମେଜ୍‍’ରେ ଡେପୁଟେସନ ଭିତ୍ତିରେ ଗାଡିଚାଳକ ଭାବେ କାର୍ଯ୍ୟ କରୁଥିବାବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ  ଘଟିଥିଲା । ତାଙ୍କ ବିଧବା ପତ୍ନୀ ଗୁରୁତର ଅସୁସ୍ଥ ଥିବାରୁ ପରିବାରର ସହମତି କ୍ରମେ ପୁଅ ରାଜେନ୍ଦ୍ର କୁମାର ଜେନା ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ । ବିଧବା ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସଠିକ୍‍ ରିପୋର୍ଟ ଦେବାଲାଗି ବିଭାଗୀୟ କର୍ତ୍ତୃପକ୍ଷ ଷ୍ଟାଣ୍ଡିଂ ମେଡିକାଲ ବୋର୍ଡକୁ କହିଥିଲେ ଏବଂ ବହୁ ସଦସ୍ୟ ବିଶିଷ୍ଟ ଏହି ବୋର୍ଡ ମଧ୍ୟ ପରୀକ୍ଷା ନିରୀକ୍ଷା କରି ସେ ସରକାରୀ ଚାକିରି ପାଇଁ ସମ୍ପୂର୍ଣ ଅନୁପଯୁକ୍ତ ବୋଲି ରିପୋର୍ଟ ଦେଇଥିଲେ । ପୁରୀ ଜିଲ୍ଲାପାଳ ତହସିଲଦାରଙ୍କ ମାଧ୍ୟମରେ ମୃତ କର୍ମଚାରୀଙ୍କ ପରିବାରର ଆର୍ଥିକ  ସ୍ଥିତି ସମ୍ପର୍କରେ ତଦନ୍ତ କରାଇ ପେନ୍‍ସନ ବ୍ୟତିତ ପରିବାରର ଅନ୍ୟ କୌଣସି ରୋଜଗାର ମାଧ୍ୟମ ନାହିଁ ଓ ଏହି ପରିବାରରୁ କେହି କେଉଁଠି ବି ଚାକିରି କରିନାହାନ୍ତି ବୋଲି ଦର୍ଶାଇବା ସହିତ ଆବେଦନକାରୀ ରାଜେନ୍ଦ୍ରଙ୍କୁ ତାଙ୍କ ଯୋଗ୍ୟତା ଆଧାରରେ ନିଯୁକ୍ତି ଦେବାକୁ ସୁପାରିଶ୍‍ କରିଥିଲେ ।

ଏସବୁ ସତ୍ୱେ  ଆବେଦନକାରୀଙ୍କ ମା’ ବଂଚିଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି ସରକାର ରୋକ୍‍ଠୋକ୍‍ ଭାବେ ଜଣାଇଥିଲେ  । ଏହାପରେ ବିଭିନ୍ନ ସ୍ଥାନରେ ଗୁହାରୀକରି ହତାଶ ହୋଇ ରାଜେନ୍ଦ୍ର ସ୍ୟାଟ୍‍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ ସିଂହଙ୍କ ସହାୟତା ନେଇ ଏକ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ । ଆବେଦନକାରୀ ଓ ସରକାରୀ ପକ୍ଷର ଯୁକ୍ତି ଶୁଣିବାପରେ ସ୍ୟାଟ୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ ବି.କେ ଦାଶ ଓ ପ୍ରଶାସନିକ ସଦସ୍ୟ ମନମୋହନ ପ୍ରହରାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରୀ ନିର୍ଦ୍ଦେଶନାମାକୁ  ଅବୈଧ ଦର୍ଶାଇ ନାକଚ କରିଦେବା ସହିତ ତାଙ୍କୁ ତିନିମାସ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । 

ସ୍ୟାଟ୍‍ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ସ୍ଥାନ ସଂରକ୍ଷଣ ଆଇନ୍ ଅନୁଯାୟୀ ଆର୍ଥିକ ଦୁସ୍ଥିତି ଭିତ୍ତିରେ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ତୁରନ୍ତ ଯୋଗ୍ୟତା ଅନୁଯାୟୀ ସରକାରୀ ଚାକିରିରେ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯିବା କଥା । ତେବେ  ଯେଉଁ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଏକାଧିକ ଉତ୍ତରାଧିକାରୀ ଆବେଦନ କରିଥିବେ ସେଠାରେ ଆଇନ୍‍ର ୨(ଖ) ଧାରା ମୁତାବକ ପ୍ରଥମେ ବିଧବା ପତ୍ନୀ ଓ ପରେ ଯେଉଁ କ୍ରମରେ ଉତ୍ତରାଧିକାରୀ ରହିଥିବେ ସେହି ଅନୁଯାୟୀ ଉପରୁ ଜଣକୁ ନିଯୁକ୍ତି ଦିଆଯାଇ ପାରିବ । ଏ ପ୍ରସଙ୍ଗରେ ସ୍ୟାଟ୍‍ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟର ବହୁ ରାୟର ନଜିର ଦେବା ସହିତ ପଙ୍କଜିନୀ ଦ୍ୱିବେଦୀ ଓ ଭାଗ୍ୟଧର ନାୟକ ନାମକ ଅନୁରୂପ ଦୁଇଜଣ ଅନୁକମ୍ପାମୂଳକ ନିଯୁକ୍ତି ପ୍ରତ୍ୟାଶୀଙ୍କ କ୍ଷେତ୍ରରେ ଆଇନ୍‍ ବିଭାଗର ମତ ନେଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରିବା ସହ ଆବେଦନକାରୀ ରାଜେନ୍ଦ୍ରଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ କହିଛନ୍ତି ।

Leave A Reply

Your email address will not be published.