ଗବେଷଣାକୁ ପରିବର୍ଦ୍ଧିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ On Mar 17, 2018 17 Share ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦ୍ଘାଟିତ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବୈଜ୍ଞାନିକମାନେ ସେମାନଙ୍କର ଗବେଷଣାକୁ ପ୍ରୟୋଗଶାଳାରୁ କ୍ଷେତ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ଆଜି ମଣିପୁର ବିଶ୍ୱବିଦ୍ୟାଳୟ ଠାରେ ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ, ଆବିଷ୍କାର ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବ୍ୟବହାର କ୍ଷେତ୍ରରେ ଭାରତର ଏକ ସୁଦୀର୍ଘ ଇତିହାସ ଓ ସମୃଦ୍ଧ ପରମ୍ପରା ରହିଛି । ବର୍ତ୍ତମାନ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶଭାବେ ପରିଣତ କରିବାର ସମୟ ଆସିଛି । ଏଥିପାଇଁ ଆମ ଦେଶର ବୈଜ୍ଞାନିକମାନଙ୍କୁ ସେମାନଙ୍କର ଗବେଷଣାକୁ ପ୍ରୟୋଗ ଶାଳାରୁ କ୍ଷେତ ଯାଏଁ ପରିବର୍ଦ୍ଧିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହ୍ୱାନ ଦେଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର ହେଲେ ଏ ସବୁ କ୍ଷେତ୍ରରେ ସାଧାରଣ ଲୋକେ ଅଧିକରୁ ଅଧିକ ସେବା ପାଇପାରିବେ ବୋଲି ସେ କହିଥିଲେ । ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଏବଂ ବିଜ୍ଞାନ ଓ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ । ୯ମରୁ ଦ୍ୱାଦଶ ଶ୍ରେଣୀର ୧୦୦ ଛାତ୍ରଛାତ୍ରୀଙ୍କ ସହ ବର୍ଷକୁ ୧୦୦ଘଣ୍ଟା ବିତାଇବାକୁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି କେନ୍ଦ୍ର ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ କହିଥିଲେ, ଭାରତରେ ବିଜ୍ଞାନ ଏବେ ଉଚ୍ଚତମ ସ୍ତରରେ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆମର ଉନ୍ନତି ଆସିଛି । ୨୦୩୦ ମସିହା ସୁଦ୍ଧା ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଦେଶ ମଧ୍ୟରେ ସ୍ଥାନ ଅଧିକାର କରିବ ବୋଲି ସେ କହିଥିଲେ । ଉଦ୍ଘାଟନୀ ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ଡ଼.ଅଚ୍ୟୁତ ସାମନ୍ତ କହିଥିଲେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପଡ଼ିବ । ବିଜ୍ଞାନ ଓ ବୈଷୟିକ ଜ୍ଞାନର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଣିପୁରର ରାଜ୍ୟପାଳ ଡ଼. ନଜ଼ମା ହେପାତୁଲ୍ଲା, ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଏବଂ ମଣିପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଦ୍ୟ ପ୍ରସାଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ନୋବେଲ ବିଜେତାଙ୍କ ସମେତ ଦେଶ ବିଦେଶରୁ ୫ହଜାରରୁ ଉର୍ଧ୍ଵ ପ୍ରତିନିଧି ଯୋଗ ଦେଇଛନ୍ତି । 17 Share FacebookTwitterGoogle+ReddItWhatsAppPinterestEmail