କିଟ୍ ଓ କିସରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର: ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ଯେତେେ ଯାହା ଆଇନ୍ କାର୍ଯ୍ୟକାରୀ କଲେ ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବିଶିଷ୍ଟ ଅଭିନେତ୍ରୀ ପଦ୍ମଭୂଷଣ ଶର୍ମିଳା ଟାଗୋର କହିଛନ୍ତି । କିଟ୍ ଡ଼ିମ୍ଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଗୁରୁବାର ଅନୁଷ୍ଠିତ ଏକ ଉତ୍ସବରେ ଯୋଗଦେଇ ଶ୍ରୀମତୀ ଟାଗୋର କହିଥିଲେ ଯେ, ମହିଳାମାନେ କୌଣସି ଗୁଣରେ ଓ କ୍ଷେତ୍ରରେ ପୁରୁଷମାନଙ୍କ ଠାରୁ କମ୍ ନୁହଁନ୍ତି । ଆଜି ସବୁକ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ଭଳି ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରୁଥିଲେ ମଧ୍ୟ ମହିଳାମାନଙ୍କ ପ୍ରତି ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆସିନାହିଁ । ମହିଳାମାନଙ୍କ ସଶକ୍ତିକରଣ ପାଇଁ କେବଳ ଗୁଡ଼ାଏ ଆଇନ୍ ଓ ନୀତି ନିର୍ଦ୍ଧାରଣ କରିଦେଲେ ଚଳିବ ନାହିଁ, ଏ ସବୁର କାର୍ଯ୍ୟକାରିତା ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ । ମହିଳାମାନେ ମଧ୍ୟ ନିଜର ଆତ୍ମବିଶ୍ୱାସ ବଜାୟ ରଖିବା ଉଚିତ୍ ବୋଲି ସେ କହିଥିଲେ । ଆଇନତଃ ପୁରୁଷ ଓ ମହିଳା ଉଭୟ ସମାନ । କିନ୍ତୁ ମହିଳାମାନଙ୍କ ପ୍ରତି ପୂର୍ବରୁ ଯେଉଁ ସାମନ୍ତବାଦ ଚିନ୍ତାଧାରା ରହିଥିଲା ତାହା ଏବେ ମଧ୍ୟ ସମାଜରେ ଦେଖିବାକୁ ମିଳୁଛିବୋଲି ସେ କହିଥିଲେ । ଏହି ମାନବିକତାରେ ପରିବର୍ତ୍ତନ ଆଣିବାପାଇଁ ସମସ୍ତେ ମିଶି କାର୍ଯ୍ୟକରିବା ଉଚିତ୍ବୋଲି ଶ୍ରୀମତୀ ଟାଗୋର୍ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କିଟ୍ ଓ କିସ୍ର ସଭାପତି ଶାଶ୍ୱତୀ ବଳ ମହିଳାମାନଙ୍କୁ ସେମାନଙ୍କର ଆତ୍ମବିଶ୍ୱାସ ବଜାୟ ରଖିବା ସହ ସବୁ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଚେୟାରପର୍ଶନ ଡ଼. ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍ ଡ଼ିମ୍ଡ଼ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଓ କୁଳସଚ୍ଚିବ ଡ଼. ସସ୍ମିତାରାଣୀ ସାମନ୍ତ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । କିସରେ ଅନୁଷ୍ଠିତ ମହିଳା ଦିବସ କାର୍ଯ୍ୟକ୍ରମରେ ଫେସନ୍ ରିଭୋଲ୍ୟୁସନ୍ର କଣ୍ଟ୍ରି ହେଡ୍ ସୁକି ଡସନଜ୍. ଟିଭି ଉପସ୍ଥାପକ ତଥା ମଡେଲ୍ ଗିୟୁଲିୟାନୋ ଲେନ୍, ୱାଇନ୍ ଆଣ୍ଡ ସ୍ପିରିଟର ପରାମର୍ଶଦାତା ସିସିଲିଆ ଓଲ୍ଡେନ୍ ଏବଂ ଏକତାରା ମୋସନ୍ ପିକ୍ଚରର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିରାଜ୍ ଗିଦ୍ୱାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସର ସମ୍ପାଦକ ଆର୍.ଏନ୍ ଦାଶ ଓ କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି.କେ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
