ନିର୍ବାଚନ ସାରି ଦେହରୁ ମଜରା ଯାଇନି, ତିନୋଟି ପୌରାଞ୍ଚଳର ନିର୍ବାଚନ ପାଇଁ ବିଗୁଲ ବାଜିଲା

0

ଏପ୍ରିଲ ୩ରେ ଅତାବିରା, ନୂଆପଡ଼ା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନ

ଏପ୍ରିଲ ୫ରେ ଭୋଟ୍‌ ଗଣତି ଓ ଫଳାଫଳ, ଆଜିଠୁ ଲାଗୁ ହେଲା ଆଚରଣ ବିଧି
ଭୁବନେଶ୍ୱର: ଗୋଟିଏ ନିର୍ବାଚନ ସାରି ଦେହରୁ ମଜରା ଯାଇନି, ଏବେ ପୁଣି ନିର୍ବାଚନ | ତିନୋଟି ପୌରାଞ୍ଚଳର ନିର୍ବାଚନ ପାଇଁ ବିଗୁଲ ବଜାଇ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ | ବରଗଡ଼ ଜିଲ୍ଲାର ଅତାବିରା, ନୂଆପଡା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଗାମୀ ଏପ୍ରିଲ ୩ରେ ନିର୍ବାଚନ ହେବ। ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଥି ସହିତ ଏହି ୩ଟି ଏନ୍‌ଏସିରେ ଆଚରଣ ବିଧି ଲାଗୁ ହୋଇଯାଇଛି। ଚୁଡ଼ାନ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୯ରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ଅଧିକାରୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କରିବେ। ମାର୍ଚ୍ଚ ୧୩ରୁ ୧୭ ମଧ୍ୟରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟାରୁ  ଅପରାହ୍ନ ୩ଟା ମଧ୍ୟରେ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା ଲାଗି ଇଚ୍ଛୁକ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ।
କମିଶନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୯ ପୂର୍ବାହ୍ନ ୧୧ଟା ଠାରୁ ନାମାଙ୍କନ ପତ୍ର ଯାଞ୍ଚ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୦ ପୂର୍ବାହ୍ନ ୧୧ଟାରେ ବୈଧ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ମାର୍ଚ୍ଚ ୨୨ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ମାର୍ଚ୍ଚ ୨୨ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରିବାକୁ ଥିବା ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଏନ୍‌ଏସସ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସମ୍ପୃକ୍ତ ଏନ୍‌ଏସିର ସମସ୍ତ ଓ୍ଵାର୍ଡରେ ପ୍ରକାଶ ପାଇବ।
ଏପ୍ରିଲ ୩ ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଦ୍ଧାରିତ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ହେବ। ଏପ୍ରିଲ ୫ରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ କେନ୍ଦ୍ରରେ ଭୋଟ ଗଣତି କାର୍ଯ୍ୟ ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଚାଲିବ ଓ ଫଳାଫଳ ଘୋଷଣା କରାଯିବ। ସେହିଭଳି ଏପ୍ରିଲ ୧୨ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଏବଂ ଏପ୍ରିଲ ୩୦ରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ୧୨ଟି ଓ୍ଵାର୍ଡରେ ୧୩,୨୦୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଥିବା ବେଳେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୧୪ଟି ଓ୍ଵାର୍ଡରେ ୧୨,୧୪୭ ଜଣ ଭୋଟର ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷର ୧୬ଟି ଓ୍ଵାର୍ଡରେ ମୋଟ ୯,୪୦୭ଜଣ ଭୋଟର ମତଦାନ କରିବେ।
ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର(ମାର୍ଚ୍ଚ ୬, ୨୦୧୮) ଠାରୁ ଆଚରଣ ବିଧି ଲାଗୁ ହୋଇଯାଇଛି। ଆଦର୍ଶ ଆଚରଣ ବିଧି ଅନୁଯାୟୀ ପ୍ରତିନ୍ଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପାଇଁ ସର୍ବାଧିକ ୨ଟି ତିନିଚକିଆ କିମ୍ବା ଚାରିଚକିଆ ଯାନ ସହିତ ସର୍ବାଧିକ ୩୦ ହଜାର ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ। ରାଜନୈତିକ ଦଳ ନିଜ ଦଳ କିମ୍ବା ପ୍ରଚାରରେ ଗୋଟିଏରୁ ଅଧିକ ଗାଡ଼ି ବ୍ୟବହାର କରି ପାରିବେ ନାହିଁ।

Leave A Reply

Your email address will not be published.