ରେଳାବାଇକୁ ମୟୁରଭଞ୍ଜବାସୀଙ୍କ ପ୍ରସ୍ତାବ : ତମ ପାଖେ ଯଦି ପଇସା ନାହିଁ ଆମେ ଦେଉଛୁ

0

 

ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ପ୍ରକଳ୍ପର ସର୍ଭେ ତୁରନ୍ତ ସାର 

ବାରିପଦା/ ଦିଲ୍ଲୀପ ମହାନ୍ତି – ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ପ୍ରକଳ୍ପ ମୟୂରଭଞ୍ଜବାସୀଙ୍କ ଦୀର୍ଘ ଦିନର ଦାବି । କେନ୍ଦ୍ର ସରକାରଙ୍କ ରେଳ ବଜେଟରେ ଏହି ପ୍ରକଳ୍ପ ନିମନ୍ତେ ଅର୍ଥ ବ୍ୟୟ ବରାଦ ହେବ ଏହାକୁ ଚାତକ ଭଳି ଅନାଇ ବସିଥାନ୍ତି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲାବାସୀ । କିନ୍ତୁ ଆଶା ଆଶାରେ ହିଁ ରହିଯାଇ ଥାଏ । କେନ୍ଦ୍ରରେ ଯେଉଁ ସରକାର ଆସୁ ନା କାହିଁକି ମୟୂରଭଞ୍ଜ ଜିଲାକୁ ରେଳ ବଜେଟରେ ଅଣଦେଖା କରାଯାଇଆସୁଛି । ପ୍ରତ୍ୟେକ ବର୍ଷ ପୁନଃ ସର୍ଭେ ନାମରେ ଜିଲାର ବହୁ ପ୍ରତିକ୍ଷିତ  ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ପ୍ରକଳ୍ପ ଶୀତଳ ଭଣ୍ଡାର ମଧ୍ୟକୁ ଠେଲି ହୋଇଯାଉଛି । ଉକ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପ ମାତ୍ର ୪୨ କି.ମି. । ଏହା ସଂଯୋଗ ହୋଇପାରିଲେ ମୟୂରଭଞ୍ଜ ସିଧାସଳଖ ଇସ୍ପାତ ନଗରୀ ଟାଟା ସହିତ ଯୋଡ଼ି ହୋଇଯାଇଥାନ୍ତା । ଏଥି ସହିତ ଉତ୍ତର ଓଡ଼ିଶା ମଧ୍ୟ ଦେଇ ରାଜଧାନୀ ଦିଲ୍ଲୀ ଯାତାୟତ କରୁଥିବା ମାଲବାହୀ ଓ ଯାତ୍ରୀବାହୀ ଟ୍ରେନଗୁଡ଼ିକର ଦୂରତ୍ୱ ପ୍ରାୟ ଏକ ଘଣ୍ଟାର ଯାତ୍ରା କମି ଯାଇପାରନ୍ତା । ପୁଣି ପଶ୍ଚିମବଙ୍ଗ ରାଜ୍ୟରେ ବନ୍ୟା ଆସିଲେ ଟ୍ରେନ ଚଳାଚଳକୁ ବାତିଲ କାରଣରୁ ରେଳମନ୍ତ୍ରଣାଳୟକୁ ଯେଉଁ କ୍ଷତି ସହିବାକୁ ପଡ଼ୁଛି ସେଥିରୁ ମୁକ୍ତ ହୋଇପାରନ୍ତା ଓ ଯାତ୍ରୀମାନଙ୍କୁ ମଧ୍ୟ ହଇରାଣ ହରକତରୁ ମୁକ୍ତ ହୋଇପାରନ୍ତେ । ୨୦୧୫ ଅପ୍ରେଲ ମାସରୁ ୫୨୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ନୂତନ ରେଳପଥ ପ୍ରକଳ୍ପଟି ରେଳ ମନ୍ତ୍ରଣାଳୟ ନିକଟରେ ଫାଇଲ ମଧ୍ୟରେ ବନ୍ଧା ହୋଇପଡ଼ି ରହିଛି । ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆନ୍ତରିକାତାର ଘୋର ଅଭାବ ପରିଲକ୍ଷିତ ହୋଇଛି । ବିଶେଷତ ଦକ୍ଷିଣ-ପୂର୍ବ ରେଳପଥଅଧୀନରେ ଏହି ରେଳ ପ୍ରକଳ୍ପଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଖଡ଼ଗପୁର ରେଳ ଡ଼ିଭିଜନର ଗୁରୁତ୍ୱ ହ୍ରାସ ପାଇବାର ଅଧିକ ସମ୍ଭାବନା ରହିଥିବାରୁ ଦକ୍ଷିଣ-ପୂର୍ବ ରେଳବାଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସାଜି ପଛଘୁଞ୍ଚା ଦେଇଆସୁଛି । ତତସହିତ କେନ୍ଦ୍ର ସରକାର ମଧ୍ୟ ସବକା ସାଥ, ସବକା ବିକାଶର ଡ଼ିଣ୍ଡିମ ପିଟି ଚାଲିଥିବା ସମୟରେ ଆଦିବାସୀ ବହୁଳ ତଥା ପଛୁଆ ମୟୂରଭଞ୍ଜ ଜିଲାର ଜନସାଧାରଣଙ୍କ ଦାବିକୁ ଉପେକ୍ଷିତ କରି ରେଳବାଇର ବିକାଶ ନିମନ୍ତେ ଆଖିବୁଜି ଦେଇଛି । ସେହିପରି ରାଜ୍ୟ ସରକାର ମଧ୍ୟ ମୟୂରଭଞ୍ଜ ଓଡ଼ିଶାର ଏକ ସର୍ବବୃହତ ଜିଲା ଭାବେ ଭୂଲି ରେଳବାଇ ଦାବି ତାଲିକାରେ  ମୟୂରଭଞ୍ଜ ଜିଲାର କୌଣସି ପ୍ରକଳ୍ପକୁ ସ୍ଥାନିତ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଅଧିକନ୍ତୁ ବାରମ୍ବାର ସର୍ଭେ କାର୍ଯ୍ୟ ଶେଷ ହୋଇସାରିଥିବା ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ପ୍ରକଳ୍ପର ପୁନଃ ସର୍ଭେ ନିମନ୍ତେ ଚଳିତ ରେଳ ବଜେଟରେ ମାତ୍ର ୬୪ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତତ ସହିତ ପୁନଃ ସର୍ଭେ କାର୍ଯ୍ୟର ସମାପ୍ତି ପାଇଁ ଅତିରିକ୍ତ ୫୫୦୦୦ ଟଙ୍କା କେଉଁ ଦିନ ମିଳିବ ତା ଉପରେ କୌଣସି ସୂଚନା ନାହିଁ । ଏହା ଜିଲାବାସୀଙ୍କ ସ୍ୱାଭିମାନ ପ୍ରତି ଗଭୀର ଆଘାତ ପହଁଞ୍ଚାଇଥିବାରୁ ଜିଲାବାସୀ ଏହି ନୂତନ ରେଳପଥର ପୁନଃ ସର୍ଭେ ନିମନ୍ତେ ଆବଶ୍ୟକ ହେଉଥିବା ମୋଟ ୧୧୪୦୦୦ ଟଙ୍କା କେନ୍ଦ୍ର ସରକାରଙ୍କୁ ଦାନ ସୂତ୍ରରେ ପ୍ରଦାନ କରିବେ ବୋଲି ନିଷ୍ପତ୍ତ ଗ୍ରହଣ କରିଛନ୍ତି ଏବଂ ଏହି ଦାନ ଅର୍ଥକୁ କେନ୍ଦ୍ର ସରକାର ଗ୍ରହଣ କରି ପୁନଃ ସର୍ଭେ କାର୍ଯ୍ୟକୁ ଯଥା ଶୀଘ୍ର ସମାପ୍ତ କରାଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ବୋଲି ଯୁବ ଅନ୍ୱେଷର ସଭାପତି କୁମାରେଶ ନାୟକ ଓ ମୟୂରଭଞ୍ଜ ରେଲୱା ଟ୍ରାଭେଲର୍ସ ଫୋରମର ସାଧାରଣ ସମ୍ପାଦକ ଅଭିଜିତ୍ ରାମ ମିଳିତ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । 

Leave A Reply

Your email address will not be published.