ବିଜେପି ଓ ବିଜେଡିକୁ ବିଜେପୁରବାସୀ ଉଚିତ୍ ଜବାବ ଦେବେ – ପ୍ରସାଦ

0

 

ନବୀନ ପଟ୍ଟନାୟକ ସମବାୟ ବ୍ୟାଙ୍କମାନଙ୍କରେ ଥିବା ସମସ୍ତ କୃଷିଋଣ ଛାଡ କରି ବିଜେପୁର ଯାଆନ୍ତୁ ।

ସେହିପରି ନବୀନ ବାବୁ ଦୁଇବର୍ଷ ତଳେ ସୋହେଲା ଠାରେ କୃଷକମାନଙ୍କ ପାଇଁ ଘୋଷଣା କରିଥିବା ପ୍ୟାକେଜ୍ କୁଆଡେ ଗଲା?

ନୂତନ ରେଳ ବଜେଟ ରେ ଆଗରୁ ଘୋଷଣା କରାଯାଇଥିବା ବରଗଡ – ନୂଆପଡା ରେଳପଥ ପ୍ରକଳ୍ପ କୁଆଡେ ଗଲା?

ରାଧାମୋହନ ସିଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଓଡିଶାର ଦାବି ମୁତାବକ ୨୯୨୦ ଟଙ୍କାକୁ ବୃଦ୍ଧି କରନ୍ତୁ

 ଜାତୀୟକରଣ ବ୍ୟାଙ୍କମାନଙ୍କରେ ଥିବା ଓଡିଶାର ଚାଷୀମାନଙ୍କର କୃଷିଋଣକୁ ଛାଡ କରି ବିଜେପୁର ଆସନ୍ତୁ ।

ରମଣ ସିଂ ବିଜେପୁର ଆସିବା ପୂର୍ବରୁ ଛତିଶଗଡରେ ମହାନଦୀର ଉପରମୁଣ୍ଡରେ ବେନିୟମ ଭାବରେ ନିର୍ମାଣାଧିନ ସମସ୍ତ ବନ୍ଧ ଓ ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରନ୍ତୁ ।

 

ଭୁବନେଶ୍ୱର ମାନସୀ ମିଶ୍ର : – କଂଗ୍ରେସ କର୍ମୀମାନଙ୍କ ତ୍ୟାଗ ଏବଂ ପ୍ରଚେଷ୍ଟା ଫଳରେ ଦୀର୍ଘ ଦିନ ଧରି ବିଜେପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଖଲରେ ରହିଆସିଛି । ବିଜେପି ଏବଂ ବିଜେଡି ଅର୍ଥ, ବାହୁବଳ ଏବଂ ଶାସନକଳର ଅପବ୍ୟବହାର କରୁଥିଲେ ମଧ୍ୟ ବିଜେପୁର ଉପନିର୍ବାଚନ ପାଇଁ ନିଜ ଦଳ ମଧ୍ୟରୁ ପ୍ରାର୍ଥୀ ଯୋଗାଡ କରିବାରେ ସମର୍ଥ ହେଲେ ନାହିଁ, ସେମାନଙ୍କୁ ପ୍ରାର୍ଥୀ ଆମଦାନୀ କରିବାକୁ ପଡିଲା । ଓଡିଶାର କ୍ଷତି କରି ଚାଲିଥିବା ବିଜେପି ଓ ବିଜେଡି କଳେବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରୁଛନ୍ତି । କେବଳ ପ୍ରତିଶ୍ରୁତିର ପାହାଡ ତିଆରି କରୁଥିବା ବିଜେପି ଓ ବିଜେଡି ଦଳକୁ ବିଜେପୁରବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ସମସ୍ତ ସୂଚନା ମିଳି ସାରିଲାଣି ।

ବିଜେପି ଏହି ଉପନିର୍ବାଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ତାରକା ପ୍ରଚାରକ ହିସାବରେ ବିଜେପୁର ଆଣୁଛି । ଏମାନଙ୍କ ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଏବଂ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ରହିଛନ୍ତି । ରମଣ ସିଂ ପ୍ରଚାର କାର୍ଯ୍ୟକ୍ରମରେ ବିଜେପୁର ଆସିବା ପୂର୍ବରୁ ଛତିଶଗଡରେ ମହାନଦୀର ଉପରମୁଣ୍ଡରେ ବେନିୟମ ଭାବରେ ନିର୍ମିତ ହେଉଥିବା ସମସ୍ତ ବନ୍ଧ ଓ ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଆସନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି  ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି । ଛତିଶଗଡ ବିଜେପିର ଏହି ମନୋମୁଖୀ କାର୍ଯ୍ୟ ଫଳରେ ଓଡିଶାର କୃଷି ଏବ କୃଷକମାନେ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ । ରାଧାମୋହନ ସିଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଓଡିଶାର ଦାବି ମୁତାବକ ୨୯୨୦ ଟଙ୍କାକୁ ବୃଦ୍ଧି କରି ଏବଂ ଜାତୀୟକରଣ ବ୍ୟାଙ୍କମାନଙ୍କରେ ଥିବା ଓଡିଶାର ଚାଷୀମାନଙ୍କର କୃଷିଋଣକୁ ଛାଡ କରି ଆସନ୍ତୁ । ସେହିପରି ସ୍ମୃତି ଇରାନୀ ମଧ୍ୟ ଓଡିଶାର ବୁଣାକାରମାନଙ୍କ ଉତ୍ପାଦିତ  ସାମଗ୍ରୀ ଉପରେ ଜିଏସ୍ଟି ଛାଡ କରି ଆସନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ନୂତନ ରେଳ ବଜେଟ୍ରେ ଆଗରୁ ଘୋଷଣା କରାଯାଇଥିବା ବରଗଡ – ନୂଆପଡା ରେଳପଥ ପ୍ରକଳ୍ପ କୁଆଡେ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏହି ଉପନିର୍ବାଚନ ଉପଲକ୍ଷେ ବିଜେପୁର ନିର୍ବାଚନ ମଣ୍ଡଳୀ ବିଜେଡିର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କର ଦ୍ୱିତୀୟ ବାସସ୍ଥାନରେ ପରିଣତ ହୋଇଯାଇଥିବା ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇବର୍ଷ ତଳେ ସୋହେଲା ଠାରେ କୃଷକମାନଙ୍କ ପାଇଁ ଘୋଷଣା କରିଥିବା ପ୍ୟାକେଜ୍ କୁଆଡେ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଘୋଷଣା ଅନୁଯାୟୀ ମିଳିବାକୁ ଥିବା ୨୦୦ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ଦଳ ଏବଂ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ପ୍ରତିଶ୍ରୁତିବଦ୍ଧ । ଏହା ଆଗାମୀ ଦିନମାନଙ୍କରେ ପ୍ରତିପାଦିତ ହେବ ଶ୍ରୀ ହରିଚନ୍ଦନ କହିଛନ୍ତି | 

Leave A Reply

Your email address will not be published.