ରାଧାନାଥ ସାହିତ୍ୟ ପରିଷଦ ପକ୍ଷରୁ କବିବର ଜୟନ୍ତୀ , ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0

 

ବାଲେଶ୍ୱର,୫ା୧୦: ରାଧାନାଥ ସାହିତ୍ୟ ପରିଷଦର ଚତୁର୍ଥ ବାର୍ଷିକ ଉତ୍ସବ  ଅବସରରେ କବିବର ରାଧାନାଥ ରାୟଙ୍କ୧୭୦ତମ ଜୟନ୍ତୀ ଓ ଦିବଂଗତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହରର ବଟେଶ୍ୱରସ୍ଥିତ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ସମାଜସେବୀ ସୁବାସିନୀ ଜେନା ଅଧ୍ୟକ୍ଷତା କରିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅବିସ୍ମରଣୀୟ ରଖିବାରେ ପରିଷଦର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । କବିବରଙ୍କ ଭଳି ବାଲେଶ୍ୱର ସମେତ ସମଗ୍ର ଓଡ଼ିଶାକୁ ଧନ୍ୟ କରିଯାଇଥିବା ପାଞ୍ଚ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ବିଧାୟକ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ପୌରପାଳ ଆଲୋକ କୁମାର ସାହୁ, ପୌର ଉପାଧ୍ୟକ୍ଷା ରଶ୍ମିରେଖା ଦେବ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ୱାଳ, ଡକ୍ଟର ମନ୍ମଥ କୁମାର ପ୍ରଧାନ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥିମାନେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା ବୈକୁଣ୍ଠନାଥ ଦେବ, କବିରାଜ ଆର୍ତ୍ତତ୍ରାଣ ଦ୍ୱିବେଦୀ, ପଣ୍ଡିତ ରମାନାଥ ମିଶ୍ର ଓ କବିରାଜ ମିହିର କୁମାର ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିକୁ ଆନୁଷ୍ଠାନିକ  ଭାବେ ଉନ୍ମୋଚନ କରିଥିଲେ । ଏଥି ସହିତ ଅଧ୍ୟାପକ କମଳାକାନ୍ତ ଦାଶଙ୍କ ଲିଖିତ ପୁସ୍ତକ ‘ଆମ ସ୍ମୃତି ଆମ ପାଥେୟ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏହି ଅବସରରେ ପରିଷଦ ପକ୍ଷରୁ ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ସାହିତ୍ୟିକ  ଚଣ୍ଡୀଚରଣ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ସଂଜୟ କୁମାର ପଣ୍ଡା, ସମାଜସେବୀ ସୁଜିତ୍ ଦେବ, ସ୍ୱର୍ଗତ କବିରାଜ ମିହିର ପାଣିଗ୍ରାହୀଙ୍କ ସୁପୁତ୍ର ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ଧୀରେନ୍ଦ୍ର ଦ୍ୱିବେଦୀ, ଜଗନ୍ନାଥ ଦତ୍ତ, ମନସ୍ୱିନୀ ଦେବୀ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କବି କାଳୀପଦ ପଣ୍ଡା ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଚାଟାର୍ଜୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ସମ୍ପାଦକ କମଳାକାନ୍ତ ଦାଶ ବିବରଣୀ ପାଠ କରିଥିବା ବେଳେ ତ୍ରୈଲୋକ୍ୟନାଥ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.