ଦୁର୍ନୀତି ଅଭିଯୋଗର ୬୦ ଦିନ ଭିତରେ ପ୍ରାଥମିକ ଅନୁସନ୍ଧାନ, ୬ ମାସ ଭିତରେ ସରିବ ତଦନ୍ତ : ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ
ସରକାରୀ ଅଧିକାରୀମାନେ ପ୍ରତି ବର୍ଷ ଜୁଲାଇ ୩୧ ପୂର୍ବରୁ ଦେବେ ସମ୍ପତ୍ତି ଓ ଋଣ ବିବରଣୀ ।
Bhubaneswar : ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ କମର କଶିଛନ୍ତି ଲୋକାୟୁକ୍ତ | ରାଜ୍ୟରେ ୭ ବର୍ଷ ଭିତରେ ଘଟିଥିବା ଯେ କୌଣସି ଦୁର୍ନୀତିର ତଦନ୍ତ କରିପାରିବେ ଲୋକାୟୁକ୍ତ । ଆଉ ଏହି ତଦନ୍ତ ଓ ତାହାର ନ୍ୟାୟିକ ପ୍ରକ୍ରିୟା ଧାର୍ଯ୍ୟ ସମୟ ସୀମା ଭିତରେ ସରିବ ବୋଲି ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲୋକାୟୁକ୍ତର ଅଧ୍ୟକ୍ଷ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ |
ଜଷ୍ଟିସ ସିଂ କହିଛନ୍ତି ଦୁର୍ନୀତି ଅଭିଯୋଗର ୬୦ ଦିନ ଭିତରେ ପ୍ରାଥମିକ ଅନୁସନ୍ଧାନ ସରିବ । ୬ ମାସ ଭିତରେ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ସରିବ। ବର୍ଷକ ମଧ୍ୟରେ ଓ ଅତିବେଶୀରେ ଆବଶ୍ୟକ ସ୍ଥଳେ ୨ବର୍ଷରେ ସ୍ୱତନ୍ତ୍ର କୋର୍ଟରେ (ବର୍ତ୍ତମାନ ପାଇଁ ଜିଲ୍ଲା ଭିଜିଲାନ୍ସ କୋର୍ଟରେ) ମାମଲାର ବିଚାର ସରିବ ।
ସରକାରୀ ଅଧିକାରୀମାନେ ପ୍ରତି ବର୍ଷ ଜୁଲାଇ ୩୧ ପୂର୍ବରୁ ପୂର୍ଵ ଆର୍ଥିକ ବର୍ଷର ସମ୍ପତ୍ତି ଓ ଋଣ ସମ୍ପର୍କରେ ନିଜ କର୍ତ୍ତୃପକ୍ଷଙ୍କ ପାଖରେ ଜଣାଇବେ । ଲୋକାୟୁକ୍ତ ଚାହିଁଲେ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇ ଦେଇପାରିବେ। ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶିବିର କରାଯିବ। ୨୯ ତାରିଖରେ ସମ୍ବଲପୁରରେ ଏକ ଶିବିର କରାଯିବ। ୟା ଭିତରେ ଓଡ଼ିଶା ଲୋକାୟୁକ୍ତ ଖବରକାଗଜରେ ପ୍ରକାଶିତ ୨ଟି ଦୁର୍ନୀତି ମାମଲାରେ ନିଜ ତରଫରୁ ମାମଲା କରିଥିବା କରିଥିବା କହିଛନ୍ତି ।
ଏହି ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା ଲୋକାୟୁକ୍ତଙ୍କ ଅନ୍ୟ ସଦସ୍ୟ ଜଷ୍ଟିସ ବି.କେ.ନାୟକ ଓ ଡ଼. ଦେବବ୍ରତ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।