ନବରଙ୍ଗ ପୁର/ପାପଡ଼ାହାଣ୍ଡି, (ଚନ୍ଦ୍ର ଶେଖର ହରିଜନ): ବନ୍ଧକ ସୁନା ନିଲାମକୁ ନେଇ ପାପଡ଼ାହାଣ୍ଡିସ୍ଥିତ ମଣପୁରମ୍ ଗୋଲ୍ଡ ଲୋନ୍ ସଂସ୍ଥା ବିରୋଧରେ ଜଣେ ମହିଳା ଗ୍ରାହକ ଅଭିଯୋଗ ଆଣିଛନ୍ତି। ନିଜ ବନ୍ଧକ ସୁନା ମୁକୁଳାଇବାକୁ ଯାଇ ସୁନା ନିଲାମ ହୋଇସାରିଥିବା ଜାଣିବା ପରେ ନ୍ୟାୟ ପାଇଁ ଦାବି କରିଛନ୍ତି ଡାବୁଗାଁ ବ୍ଲକ ଅନ୍ତର୍ଗତ ଭେଲୁଆଗୁଡ଼ା ଗ୍ରାମର ଉର୍ମିଳା ଜାନୀ।
ଉର୍ମିଳାଙ୍କ କହିବା ଅନୁଯାୟୀ, ସେ ୨୧ ସେପ୍ଟେମ୍ବର ୨୦୨୩ରେ ପାପଡ଼ାହାଣ୍ଡି ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରେ ନିଜର ସୁନା ବନ୍ଧକ ରଖି ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ଋଣ ନବୀକରଣ (ରିନ୍ୟୁ) କରିବା ପାଇଁ ସେ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କର୍ମଚାରୀମାନେ ସମସ୍ତ ବକେୟା ଟଙ୍କା ପୈଠ କଲେ ଋଣ ନବୀକରଣ ହୋଇପାରିବ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି।
ତେବେ ନିକଟରେ ତାଙ୍କ ପାଖରେ ଟଙ୍କା ଯୋଗାଡ଼ ହେବା ପରେ ସେ ବନ୍ଧକ ସୁନା ମୁକୁଳାଇବା ପାଇଁ ପୁଣିଥରେ ମଣପୁରମ୍ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କ ସୁନା ପୂର୍ବରୁ ନିଲାମ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହେବା ସହ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କହିଛନ୍ତି।
ଏନେଇ ଶାଖା ପରିଚାଳକ (ବ୍ରାଞ୍ଚ ମ୍ୟାନେଜର)ଙ୍କୁ ପଚାରିବାରୁ ତାଙ୍କୁ ନୋଟିସ୍ ପଠାଯାଇଥିବା କୁହାଯାଇଥିଲା। ମାତ୍ର ଉର୍ମିଳାଙ୍କ କହିବା ଅନୁଯାୟୀ, ସେ କୌଣସି ନୋଟିସ୍ ପାଇନାହାନ୍ତି। ତେଣୁ ନୋଟିସ୍ କେବେ, କେଉଁ ଠିକଣାକୁ ଏବଂ କେଉଁ ମାଧ୍ୟମରେ ପଠାଯାଇଥିଲା, ତାହାର ପ୍ରମାଣ ଦେବାକୁ ସେ ଦାବି କରିଛନ୍ତି।
ଗ୍ରାହକଙ୍କୁ ନିଲାମ ପୂର୍ବରୁ ନୋଟିସ୍ ପ୍ରଦାନ ସମ୍ପର୍କିତ ନିୟମ ପାଳନ କରାଯାଇଥିଲା କି ନାହିଁ ଏବଂ କେଉଁ ଆଧାରରେ ତାଙ୍କ ବନ୍ଧକ ସୁନା ନିଲାମ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ଉଚିତ ତଦନ୍ତ କରି ନିଲାମ ସମ୍ପର୍କିତ ସମସ୍ତ ତଥ୍ୟ ତାଙ୍କୁ ପ୍ରଦାନ କରିବା ସହ ନ୍ୟାୟ ଦେବାକୁ ଉର୍ମିଳା ଜାନୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଶାଖା ପରିଚାଳକଙ୍କ କହିବା ଅନୁଯାୟୀ ଉର୍ମିଳାଙ୍କୁ ନୋଟିସ୍ ଦିଆଯାଇଥିଲା। ତେବେ ନୋଟିସ୍ ପଠାଯିବାର ପ୍ରମାଣ ଏବଂ ନିଲାମ ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହୋଇପାରିବ।
Sign in
Sign in
Recover your password.
A password will be e-mailed to you.