ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ପବିତ୍ର ଘୋଷଯାତ୍ରା ଜୁଲାଇ ୪ରୁ ଆରମ୍ଭ ହେଉଥିବାରୁ ବାରିପଦା ସହରରେ ଲକ୍ଷାଧିକ ଜନସାଧାରଣଙ୍କ ଗହଳିକୁ ଦୃଷ୍ଟିରେ ରଖି ଏବଂ ଗାଡ଼ି ମୋଟର ଚଳାଚଳ ଆଦିର ସୁବ୍ୟବସ୍ଥା ନିମନ୍ତେ ପୌରପରିଷଦରେ ପ୍ରାଥମିକ ପର୍ଯ୍ୟାୟରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ବାରିପଦା ପୌରପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜୁନ ୨୦ ସହରରେ ଥିବା ଖେମଜୀ ଜୁଏଲାରୀ ଗହଣା ଦୋକାନଠାରୁ ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ହୋଇଥିବା ଜବରଦଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ରାସ୍ତା ଉପରକୁ ଚାଲିଆସିଥିବା ଜନସାଧାରଣଙ୍କ ବାସଗୃହର ଝାଜା ସହ ଦୋକାନଗୁଡ଼ିକର ବୋଡର଼୍ ଆଦିକୁ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ପୌରପରିଷଦର ଜେସିବି ଦ୍ୱାରା ଭଙ୍ଗା ଯାଇଥିଲା । ପୌରପରିଷଦର ଅମିନ ମାପଜୁଖ କରି ସୀମାଚିହ୍ନଟ କରିବା ପରେ ଜେସିବି ତାର କାର୍ଯ୍ୟ ଚଳାଉଥିବାର ପରିଲକ୍ଷିତ ହୋଇଥିଲା । ଏବିଷୟରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ଗଣମାଧ୍ୟମକୁ ଦେଇଥିବା ସୂଚନା ଆଧାରରେ ଏହି ଜବରଦଖଲ ଉଚ୍ଛେଦ ରଥ ଯାତ୍ରା ପୂର୍ବରୁ ଶେଷ ହୋଇଯିବ ଓ ରଥଯାତ୍ରାରେ ଜନସାଧାରଣଙ୍କ ସୁବିଧା ଅସୁବିଧାକୁ ପ୍ରାଥମିକତା ଦୃଷ୍ଟିକୋଣରୁ ବିଚାରକୁ ନେଇ ଏହି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ସମୟରେ କୌଣସି ପାତର ଅନ୍ତର ହେବାର ସମ୍ଭାବନା ନାହିଁ ବୋଲି କହିଥିଲେ । ସେହିପରି ମେନ୍ ମାର୍କେଟ ଏଭିକ୍ସନ ହେବ ବୋଲି ବାରିପଦା ପୌର ନିର୍ବାହୀ ଅଧିକାରୀଙ୍କ ରିକୁ୍ୟଜିସନ ଅନୁସାରେ ୨ ପ୍ଲାଟୁନ ଫୋର୍ସ ଯୋଗାଇ ଦିଆଯାଇଛି । ଏଡ଼ିସନାଲ ଆରକ୍ଷୀ ଅଧିକ୍ଷକ ଅଭିମନୁ୍ୟ ନାୟକଙ୍କ ସହ ବାରିପଦା ଟାଉନ ଓ ସଦର ଥାନା ଅଧିକାରୀ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ ଅଭିଯାନକୁ ଶାନ୍ତିଶୃଙ୍ଖଳାର ସହ ଜାରି ରହିଛି ବୋଲି ସଦର ବାରିପଦା ଏସଡ଼ିପିଓ କେ. ପି. ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।