ସମ୍ବଲପୁର, ୨୬/୧୧ (ଲିପନ୍ ନାଏକଙ୍କ ରିପୋର୍ଟ): ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଜନିତ ସୂଚନା ମିଳିବା ପରେ ବନବିଭାଗର ପକ୍ଷରୁ ନିର୍ଦ୍ଧିଷ୍ଟ ସ୍ଥାନରେ ଚଢ଼ଉ କରି ୨୦ କେଜି ସମ୍ବର ମାଂସ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ
ଦେବ୍ରିଗଡ଼ ଅଭୟାରଣ୍ୟ ଅନ୍ତର୍ଗତ କାମଗାଁ ବନ୍ୟପ୍ରାଣୀ ରେଞ୍ଜର ଆଣ୍ଟି ପୋଚିଂ ସ୍କ୍ୱାଡ୍ ପକ୍ଷରୁ ବେଆଇନ ବନ୍ୟଜନ୍ତୁ ଶିକାର ବିରୋଧରେ ଚଢ଼ଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗତ ୨୪ ତାରିଖ ରାତିରେ ପାଟ୍ରୋଲିଂ ସମୟରେ ଅଭୟାରଣ୍ୟ ସଂଲଗ୍ନ ରେଙ୍ଗାଲି ଗ୍ରାମ ନିକଟସ୍ଥ ଚାଷଜମିରେ ବେଆଇନ ଭାବେ ବିଦ୍ୟୁତ୍ ଫାଶ ବସାଯାଇଥିବା ନେଇ ବନ ବିଭାଗକୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଏହାପରେ ସ୍ବତନ୍ତ୍ର ସ୍କ୍ୱାଡ୍ ତୁରନ୍ତ ଚଢ଼ଉ କରି ସଦ୍ଯତମ ଶିକାର ହୋଇଥିବା ସମ୍ବରର ମାଂସ ଜବତ୍ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଥିଲା।
ଗିରଫ ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ରେଙ୍ଗାଲି ଗ୍ରାମର ୫୫ ବର୍ଷିୟ ବିର୍ସା ମାଝୀ ଓ ୪୮ ବର୍ଷିୟ ଶତ୍ରୃଘନ ଭୁଏ ବୋଲି ଜଣାପଡିଛି। ବନବିଭାଗ ସେମାନଙ୍କ ନିକଟରୁ ୨୦ କେଜି ସମ୍ବର ମାଂସ, ଚମଡ଼ା ଓ ଶରୀରର ଅନ୍ୟାନ୍ୟ ଅଂଶ, ମାଂସ କଟା ଚାପଡ, ଗୋଟିଏ କୁରାଢ଼ି, ଓଜନ ମେସିନ୍, ୫ କେଜି ବିଦ୍ୟୁତ୍ ତାର, ୧୨ ଭୋଲ୍ଟର ୧୦୦ ଏଏଚ୍ ବ୍ୟାଟେରୀ ଓ ଗୋଟିଏ ଇନଭର୍ଟର ଜବତ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତ ମାନେ ନିଜ ଚାଷଜମି ନିକଟରେ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ରଖିଥିବା ବେଳେ ଏକ ଜଙ୍ଗଲି ସମ୍ବର ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶୋଚନୀୟ ମୃତ୍ୟୁ ଘଟିଥିଲା । ଜାଲରେ ଗୋଟିଏ ସମ୍ବର ପଡିବା ଜାଣିବା ପରେ ମୃତ ସମ୍ବରଟିକୁ ଅଭିଯୁକ୍ତ ମାନେ ସମ୍ବରଟିକୁ କାଟି ଏହାର ମାଂସ ପ୍ରସ୍ତୁତ କରିଥିବା ଜଣା ପଡ଼ିଥିଲା । ଉଭୟ ଅଭିଯୁକ୍ତଙ୍କୁ ଗତ ବୁଧବାର ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।
ଏତଦ୍ ବ୍ୟତୀତ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ କାମଗାଁ ନିକଟରୁ ବିଛାଯାଇଥିବା ୪ କେଜି ଜୀବନ୍ତ ବିଦ୍ୟୁତ୍ ତାର ମଧ୍ୟ ଜବତ କରାଯାଇଛି। ଫଳରେ ଏକ ସମ୍ଭାବ୍ୟ ବନ୍ୟଜନ୍ତୁ ଶିକାର ଘଟଣା ସ୍ପଷ୍ଟ ହେବା ସହ ଏହାକୁ ରୋକିବା ଦିଗରେ ଉଚିତ୍ ପଦକ୍ଷେପ ନିଆ ଯାଇପାରିଛି। ଏବେ
ଅଭୟାରଣ୍ୟ ଓ ଏହାର ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକରେ ବନବିଭାଗ ପକ୍ଷରୁ ଦିନରାତି ପାଟ୍ରୋଲିଂ, ରାତ୍ରିକାଳୀନ ନଜର ଦାରି ଓ ଗୁପ୍ତ ସୂଚନା ସଂଗ୍ରହକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ବନ୍ୟଜନ୍ତୁ ଶିକାର ଜନିତ ଅପରାଧ ଚିହ୍ନଟ ସହ ଏଭଳି ଘଟଣାକୁ ରୋକିବା ଦିଗରେ ବିଭାଗ ଗୁରୁତ୍ୱ ଦେଉଥିବା କୁହାଯାଉଛି ।