ବିଦାୟ ନେଲେ ମାଆ ଶ୍ୟାମାକାଳୀ; ବିସର୍ଜନ ପଟୁଆରରେ ସାମିଲ ହେଲେ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

1

ବେଲଗୁଣ୍ଠା, ୨୩/୧୧:-(ଶିବରାମ ଚୌଧୁରୀ )-ଦୀର୍ଘ ଦିନର ପୂଜାର୍ଚ୍ଚନା, ଭକ୍ତି ଓ ଉତ୍ସବମୁଖର ପରିବେଶ ପରେ ଭାବବିହ୍ୱଳ ପରିବେଶରେ ମାଆ ଶ୍ୟାମାକାଳୀଙ୍କୁ ଦିଆଯାଇଛି ମେଲାଣି। ଗଞ୍ଜାମ ଜିଲ୍ଲାର ଅନ୍ୟତମ ବୃହତ୍ କାଳୀପୂଜା ଭାବେ ପରିଚିତ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ୱରେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଆୟୋଜିତ ମାଆ ଶ୍ୟାମାକାଳୀ ପୂଜା ମହୋତ୍ସବର ଉଦ୍‌ଯାପନୀ ଅବସରରେ ସୋମବାର ଏକ ବିରାଟ ବିସର୍ଜନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।ଗତ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ମହୋତ୍ସବ ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଥିଲା। ପ୍ରତିଦିନ ସନ୍ଧ୍ୟାରେ ମାଆଙ୍କ ଆଳତି ସହ ଅନ୍ନପ୍ରସାଦ ବଣ୍ଟନ କରାଯାଉଥିବା ବେଳେ ନୃତ୍ୟ, ସଙ୍ଗୀତ, କବିତା ପାଠ ଆଦି ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିସହ ଅଞ୍ଚଳର ବିଭିନ୍ନ କ୍ଷେତ୍ରର ପ୍ରତିଭାଧାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲଟେରୀ ବ୍ୟବସ୍ଥା ମାଧ୍ୟମରେ ୨୦୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ତଥା ଦାମୀ ପୁରସ୍କାର ପ୍ରଦାନ ମଧ୍ୟ ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା।ବିସର୍ଜନ ଶୋଭାଯାତ୍ରାରେ ବାଲିଗୁଡ଼ାର ଅଘୋରୀ ଦଳ, ମାଆଙ୍କ ପଞ୍ଚ ଅବତାର, ଡିହପଢ଼ାଳର ମହାଦେବ ଢୋଲ ଦଳ ଏବଂ ଗଞ୍ଜାମ କଟ୍ଟପା ବେଶ ବିଶେଷ ଆକର୍ଷଣ ସାଜିଥିଲା। ଗୋବରା ଗ୍ରାମର ଜିତେନ୍ଦ୍ର କୁମାର ସାହୁ ପ୍ରତିବର୍ଷ ମାଆଙ୍କ ବିସର୍ଜନ ପଟୁଆରରେ ଗଞ୍ଜାମ କଟ୍ଟପା ଭାବେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥାନ୍ତି। ଚଳିତ ବର୍ଷ ମଧ୍ୟ ତାଙ୍କର ଏହି ନିଆରା ବେଶ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା।ପୂଜା ମଣ୍ଡପରୁ ବାହାରିଥିବା ଶୋଭାଯାତ୍ରା ରେବତୀ ନଗର, ଗୋବରା ବଜାର, ଗୋବରା ଗ୍ରାମ ଦେଇ ବାସୁଦେବପୁର ଗ୍ରାମରେ ପହଞ୍ଚିଥିଲା। ପରେ ମନ୍ଦାର ନିକଟସ୍ଥ ଲୋହରାଖଣ୍ଡି ନଦୀରେ ମାଆଙ୍କ ବିଗ୍ରହ ବିସର୍ଜନ କରାଯାଇଥିଲା। ଏହି ସମୟରେ ଭକ୍ତମାନେ ଭାବବିହ୍ୱଳ ହୋଇ ମାଆଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାରେ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗ କରିଥିଲା।ମାଆଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଥିବା ଗୋବରା ଅଞ୍ଚଳ ଏବେ ମାଆଙ୍କ ବିଦାୟରେ ଶୋକାକୁଳ ହୋଇପଡ଼ିଛି। ଆସନ୍ତା ବର୍ଷ ପୁଣି ମାଆଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ।

Leave A Reply

Your email address will not be published.