୨ୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ସ୍ନାନଯାତ୍ରା :ଗଜାନନ ବେଶରେ ମହାପ୍ରଭୂ

0

ରତ୍ନସିଂହାସନରୁ ଅଣସରପିଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି

ବାରିପଦା(ଦିଲ୍ଲୀପ ମହାନ୍ତି ), – ମହାପ୍ରଭୂ ଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଆଦ୍ୟ ଯାତ୍ରା ଭାବେ ପ୍ରତିପାଦିତ । ଜ୍ୟେଷ୍ଠ  ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ଯାତ୍ରା ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନ ତ୍ୟାଗକରି ସୁନ୍ଦର ଟାହିଆରେ ସୁସଜ୍ଜିତ ହୋଇ ଧୀରେ ଧୀରେ ଅପୂର୍ବ ଛନ୍ଦରେ ଗୋଟି ପହଣ୍ଡିରେ ପାହୁଣ୍ଡ ପକାଇ ଖୋଳ, କରତାଳ, ଘଣ୍ଟ, ଘଣ୍ଟା ଧ୍ୱନୀ ଓ ହୁଳହୁଳି, କାହାଳୀ ବଜାଇ ଢ଼ଳି ଢ଼ଳି ସ୍ନାନ ମଣ୍ଡପକୁ ବିଜେ ହୋଇଥିଲେ । ଏହାପରେ ୧୦୮ ଗରା ଚନ୍ଦନ, କର୍ପୁର, ତୁଳସୀ ବଓ କସ୍ତୁରୀ ଆଦି ସୁବାସୀତ ପାଣିରେ ଐଶ୍ୱର୍ଯ୍ୟମୟ ବେଶରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନ କରିଥିଲେ ଭବ୍ୟସ୍ନାନ । ଏହି ସମୟରେ ଆକାଶରୁ ଇଦ୍ରଦେବ ବର୍ଷାଇଥିଲେ ମେଘର ଫୁଲ । ଭକ୍ତମାନେ ପୂଣ୍ୟମୟ ଆବେଗରେ ଦର୍ଶନ କରିଥିଲେ ମହାପ୍ରଭୂଙ୍କ ଦେବସ୍ନାନକୁ ।  ଦର୍ଶନ ମାତ୍ରକେ ସହସ୍ର ଜନ୍ମର ପାପ ଧୋଇ ଯିବା ସହ ଶହଶହ ପୁର୍ନଜନ୍ମ ଟଳିଯିବା ଓ ମୋକ୍ଷର ଅକ୍ଷୟମାଳ ସରାଗରେ ଆତ୍ମା ପିନ୍ଧି ନେଉଥିବାର ବିଶ୍ୱାସ  ରଖି ଭକ୍ତମାନେ ହୋଇ ଉଠିଥିଲେ ଆତ୍ମ ବିଭୋର । ଏହି ପବିତ୍ର ଦେବସ୍ନାନ ଦର୍ଶନ କରିବା ନିମନ୍ତେ ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ଆଜି ପ୍ରାତଃରୁ ଭକ୍ତମାନଙ୍କ ଭିଡ଼ ଜମି ଉଠିଥିବାର ପରିଲକ୍ଷିତ ହୋଇଥିଲା । ପ୍ରଶାସନ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ କରିବା ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ମହିଳା ଓ ପୁରୁଷ ଭକ୍ତମାନଙ୍କୁ ଦୁଇ ଧାଡ଼ିରେ ଛିଡ଼ା କରାଯାଇଥିଲା । ପ୍ରତିକୂଳ ପାଗ ସତ୍ୱେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଲମ୍ବା ଧାଡ଼ିରେ ମହାପ୍ରଭୂଙ୍କୁ ଦର୍ଶନ କରିବା ନିମନ୍ତେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା ।  । ସେହିପରି ସ୍ନାନ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତିର ଆଦି ଦେବତା ମହାପ୍ରଭୂ ଶ୍ରୀଜଗନ୍ନାଥ ମହାଗଣପତି, ମହାପ୍ରଭୂ ବଳଭଦଖଦିର ଗଣପତି ଓ ଦେବୀ ସୁଭଦ୍ରା ମାତଙ୍ଗୀ ବେଶ ଧାରଣ କରୁଥିବାରୁ  ଏହି ବେଶ ଦର୍ଶନ ନିମନ୍ତେ ଭକ୍ତମାନେ ଚାତକ ପରି ଅପେକ୍ଷାରେ ରହିଥିଲେ କେତେବେଳେ ଆସିବ ଏହି ଶୁଭମୂହୁର୍ତ୍ତ । ମହାପ୍ରଭୂ ଉକ୍ତ ବେଶରେ ପ୍ରତିବର୍ଷ ଦର୍ଶନ ଦେବା ପଛରେ ଐତିହାସିକ ସତ୍ୟ ଅପେକ୍ଷା ବେଶି କିମ୍ବଦନ୍ତୀ ପ୍ରସୂତ, ଯାହା ପ୍ରାଣକୁ ସ୍ପର୍ଶ କରିଯିବା ଭଳି । ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗଣପତ୍ୟ ସମ୍ପ୍ରଦାୟର ଶ୍ରୀଗଣପତି ଭଟ୍ଟ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିଥିବା ବେଳେ ମହାପ୍ରଭୂ ଶ୍ରୀଜଗନ୍ନାଥ ତାଙ୍କ ଇଷ୍ଟ ଗଣପତି ହୋଇନଥିବା କାରଣରୁ ମହାପ୍ରଭୂଙ୍କୁ ପ୍ରଣିପାତ ନକରି ନିରାଶ ହୋଇ ଶ୍ରକ୍ଷେତ୍ର ତ୍ୟାଗ କରି ମୁକ୍ତେଶ୍ୱର ପର୍ଯ୍ୟନ୍ତ ଚାଲିଯାଇଥିଲେ । ଭାବଗ୍ରାହୀ ମହାପ୍ରଭୂ ଶ୍ରୀଜଗନ୍ନାଥ ଭକ୍ତ ଶ୍ରୀଗଣପତି ଭଟ୍ଟଙ୍କ ହୃଦୟର ଆବେଗକୁ ବୁଝିବାରେ ବିଳମ୍ବ ନକରି ତାଙ୍କୁ ଶ୍ରୀକ୍ଷେତ୍ର ଫେରି ଆସିବାକୁ ସ୍ୱପ୍ନାଦେଶ ହେବାରୁ ସେ ଜ୍ୟେÂ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ ପହଁଞ୍ଚି ସ୍ନାନବେଦୀରେ ମହାପ୍ରଭୂ ଶ୍ରୀଜଗନ୍ନାଥ କଳାଗଣେଶ ଓ ମହାପ୍ରଭୂ ବଳଭଦ୍ର ଧଳାଗଣେଶ ବେଶକୁ ଦର୍ଶନ କରିବା ସହ ଭକ୍ତିରସରେ ଆତ୍ମବିଭୋର ହୋଇପଡ଼ିଥିଲେ ।
                 ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ଆଜି ଭୋର ୪ରେ ମହାପଭୂଙ୍କ ନିକଟରେ ମଙ୍ଗଳ ଆଳତୀ ଲାଗି ହେବା ପରେ ୪.୧୦ରେ ସ୍ନାନ ବେଦୀକୁ ଗୋଟି ପହଣ୍ଡିରେ ବିଜେ, ୫.୩୦ରେ ସ୍ନାନ, ୭.୩୦ରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଏହି ସମୟରେ ମହାପ୍ରଭୂଙ୍କୁ ସୋଲ ଜରି ଜମ୍ବୁରା କଦଳୀ ପଟୁଆରେ ତରାସ ଚୂଳ ସାଙ୍ଗକୁ ଫୁଲମାଳ ଆଦିରେ ବେଶକୁ ସୁସଜ୍ଜିତ କରାଯାଇଥିଲା । ଏହା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା  । ସେହିପରି ରାତି ସାଢେ଼ ୧୦ରେ ମହାପ୍ରଭୂ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାପରେ ୧୧ରେ ଅଣସର ଗୃହକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ରାତିରେ ମହାପ୍ରଭୂଙ୍କ ବେଶ ଦର୍ଶନ ନିମନ୍ତେ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଯାନବାହାନ ଚଳାଚଳ ଉପରେ କଟକଣା ମଧ୍ୟ ଲଗାଇଛନ୍ତି ।

Leave A Reply

Your email address will not be published.