ଦୁଇ ବର୍ଷ ସଜା ଭୋଗିବେ ଓ ୧୦୦୦ଟଙ୍କା ଜୋରିମାନା ଭରିବେ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଷପ ଦଳରେ ଯୋଗ ନ ଦେବାକୁ ନେଇ ରାତିରେ ଶୋଇଥିବା ସମୟରେ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ଭଳି ୧୭ବର୍ଷ ପୁରୁଣା ଏକ ସଙ୍ଗିନ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ମୋହନାର ଜେ.ଏମ୍.ଏଫ.ସି. ବିକାଶ କିରଣ ମିଶ୍ର ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୫ (ସ୍ବେଚ୍ଛାକୃତ ଭାବରେ ଗୁରୁତର ଆଘାତ କରିବା) ଓ ଧାରା ୫୦୬ (ଧମକ ଦେବା) ଅପରାଧରେ ମୋହନା ଥାନା ଅନ୍ତର୍ଗତ ସୁଲୁବା ଗ୍ରାମ ନୂଆ ସାହିର ଅଶୋକ ନାୟକ (୭୦ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏ.ପି.ପି. ସୁଶାନ୍ତ କୁମାର ମଲ୍ଲିକ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମୋହନା ଥାନା ଅନ୍ତର୍ଗତ ସୁଲୁବା ଗ୍ରାମ ନୂଆ ସାହିର ଏତଲାକାରି ମାନୁଏଲ ମାଝୀ ତା ୦୧-୦୬-୨୦୦୯ରିଖ ଦିନ ରାତ୍ରି ୧୧.୩୦ମିନିଟ ସମୟରେ ନିଜର ଘର ପିଣ୍ଡାରେ ପରିବାରବର୍ଗଙ୍କ ସହ ଶୋଇଥିବା ସମୟରେ ଅତର୍କିତ ଭାବେ ତାଙ୍କ ଉପରକୁ ଆକ୍ରମଣ ହେବାରୁ କଷ୍ଟରେ ଉଠି ପଡ଼ି ଦେଖିବାରୁ ଅଭିଯୁକ୍ତ ଅଶୋକ ନାୟକ ଏକ ଟାଙ୍ଗିଆରେ ତାଙ୍କୁ ହାଣିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିବାକୁ ଧମକ ଦେବା ଆରମ୍ଭ କରିଦେଇଥିଲା। ପୁନର୍ବାର ଅଶୋକ ନାୟକ ମାରିବା ପାଇଁ ଚେଷ୍ଟା କରିବା ସମୟରେ ସାହାଯ୍ୟ ପାଇଁ ଏତଲାକାରି ଚିତ୍କାର କରିବାରୁ ସାହି ପଡ଼ିଶା ଲୋକ ସେଠି ପହଞ୍ଚି ତାଙ୍କୁ ବଞ୍ଚାଇଥିଲେ କିନ୍ତୁ ଅଶୋକ ନାୟକ ତାଙ୍କୁ ମାରିଦେବାକୁ ଧମକ ଦେଇ ସେଠାରୁ ପଳାଇଥିଲେ। ଉକ୍ତ ଆକ୍ରମଣରେ ଏତଲାକାରିଙ୍କର ହାତ ଭାଙ୍ଗିବା ସହ ଓଠ ଫାଟିଯାଇଥିଲା । ସୂଚନାଯୋଗ୍ୟ, ଘଟଣା ଦିନ ଅପରାହ୍ନରେ ଏହି ଆସାମୀ ଏତଲାକାରିଙ୍କ ଶଶୁର ଘର ନିକଟକୁ ଆସି ବିଷପ ପାର୍ଟିରେ ଯୋଗ ଦେବାକୁ ତାଙ୍କୁ ଜୋର ଜବରଦସ୍ତି କରେଇବା ସହ ଯୋଗ ନ ଦେଲେ ପରିଣାମ ଭୋଗିବା ନେଇ ସଙ୍କେତ ଦେଇ ଚାଲିଯାଇଥିଲେ ଓ ରାତିରେ ଏଭଳି ଏକ ବର୍ବର କାଣ୍ଡ ଭିଆଇଥିଲେ। ଏହି ଘଟଣା ପରଦିନ, ଏତଲାକାରି ମୋହନା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ, ଯାହା ଆଧାରରେ ତା ୦୨.୦୬.୨୦୦୯ରିଖରେ ୩୪ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ ଏଏସ୍ଆଇ ପି.କେ. ବିଶ୍ୱାଳଙ୍କ ଦ୍ୱାରା କରାଯାଇଥିଲା। ଶେଷରେ ୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ୩ଟି ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୫ (ସ୍ବେଚ୍ଛାକୃତ ଭାବରେ ଗୁରୁତର ଆଘାତ କରିବା) ଓ ଧାରା ୫୦୬ (ଧମକ ଦେବା) ଅପରାଧରେ ଅଶୋକ ନାୟକ (୭୦ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଧାରା ୩୨୫ରେ ୨ବର୍ଷ କାରାଦଣ୍ଡ ସହ ଏକ ହଜାର ଟଙ୍କାର ଜୋରିମାନା ତଥା ଧାରା ୫୦୬ରେ ଛଅ ମାସର ସଜା ଶୁଣାଇଛନ୍ତି। ଉକ୍ତ ସଜା ଦ୍ବୟ ଏକତ୍ର ଚାଲିବ ବୋଲି ଉକ୍ତ ରାୟରେ ଉଲ୍ଲେଖ କରାଯାଇଛି। ୧୭ବର୍ଷ ପରେ ଆସିଥିବା ଏଭଳି ରାୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ତଥା ସମସ୍ତଙ୍କ ମୁଖରୁ ଶୁଣିବାକୁ ମିଳୁଛି ବିଳମ୍ବରେ ମଧ୍ୟ ପିଡ଼ିତଙ୍କୁ ନ୍ୟାୟ ମିଳିଛି।