ଅମଳ ଧାନର ଜଗୁଆଳି ସାଜିଛି ତାରପୋଲିନ୍, ମଣ୍ଡି ଖୋଲିବାକୁ ଅପେକ୍ଷା
ଲଖନପୁର: ବାତ୍ୟା ‘ଅକଭାନ’ର ପ୍ରଭାବରେ ସୃଷ୍ଟ ଲଘୁଚାପଜନିତ ବର୍ଷା ଲଖନପୁର ବ୍ଲକର ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ମାସ ମାସର ପରିଶ୍ରମ ପରେ ଖଳା ଓ ଦାଣ୍ଡରେ ଅମଳ ଧାନ ଶୁଖାଇବାକୁ ରଖିଥିବା ଚାଷୀଙ୍କ ପାଇଁ ଏବେ ଆକାଶରୁ ଝରୁଥିବା ବର୍ଷାବିନ୍ଦୁ ଚିନ୍ତାର କାରଣ ପାଲଟିଛି। ନିଜ କଷ୍ଟ ଅର୍ଜିତ ଫସଲକୁ ଓଦା ହେବାରୁ ବଞ୍ଚାଇବା ପାଇଁ ଚାଷୀମାନେ ଏବେ ପଲିଥିନ୍ ଓ ତାରପୋଲିନ୍କୁ ଭରସା କରିଛନ୍ତି।
ଲଖନପୁର ବ୍ଲକରେ ଖରିଫ ଧାନ ହେଉଛି ଚାଷୀଙ୍କ ମୁଖ୍ୟ ଜୀବିକା। ବର୍ଷତମାମର ଆଶା ଓ ପରିଶ୍ରମ ଏହି ଫସଲ ଉପରେ ନିର୍ଭର କରେ। ଧାନ ଅମଳ ସମୟରେ ଏଭଳି ଅଦିନିଆ ବର୍ଷା ହେବା ଫଳରେ ଧାନର ଗୁଣବତ୍ତା ନଷ୍ଟ ହେବା ସହ ସଂରକ୍ଷଣରେ ମଧ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଧାନ ଓଦା ହେଲେ ଏହାକୁ ଶୁଖାଇବା ଓ ବିକ୍ରିଯୋଗ୍ୟ କରିବା ଚାଷୀଙ୍କ ପାଇଁ ଅଧିକ କଷ୍ଟକର ହେବ।
ଏପଟେ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ସରକାରୀ ଧାନ ସଂଗ୍ରହରେ ଅନିଶ୍ଚିତତା। ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଏପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲ୍ପିସି) ବୈଠକ ହୋଇନାହିଁ। ମଣ୍ଡି କେବେ ଖୋଲିବ ଓ କେବେଠାରୁ ସରକାରୀ ଧାନ କିଣା ଆରମ୍ଭ ହେବ, ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଫଳରେ ଅମଳ ଧାନକୁ କେତେଦିନ ସୁରକ୍ଷିତ ରଖିବେ ଏବଂ କେବେ ବିକ୍ରି କରିବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ।
ଚାଷୀଙ୍କ ଏହି ଅସହାୟତାର ସୁଯୋଗ ନେଇ ଗାଁ ଗାଁରେ ଘରୋଇ ବେପାରୀ ସକ୍ରିୟ ହେଉଥିବା ଜଣାପଡ଼ିଛି। ମଣ୍ଡି ଖୋଲିବାରେ ବିଳମ୍ବ ହେଲେ ଅମଳ ଧାନକୁ ଦୀର୍ଘଦିନ ଧରି ରଖିବାର ଆର୍ଥିକ ଓ ସ୍ଥାନାଭାବଜନିତ ସମସ୍ୟା ଚାଷୀଙ୍କୁ ଘାରିବ। ଏଭଳି ସ୍ଥିତିରେ ବାଧ୍ୟ ହୋଇ କମ୍ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ପଡ଼ିବାର ଆଶଙ୍କା ରହିଛି। ଏହା ଚାଷୀଙ୍କୁ ଅଭାବୀ ବିକ୍ରି ମୁହଁକୁ ଠେଲିଦେବାର ସମ୍ଭାବନା ସୃଷ୍ଟି କରିଛି।
କେବଳ ଧାନ ଉତ୍ପାଦନ କରିବା ନୁହେଁ, ଅମଳ ପରେ ତାହାର ଉଚିତ ମୂଲ୍ୟ ଓ ସୁରକ୍ଷିତ ବିକ୍ରି ସୁନିଶ୍ଚିତ କରିବା ମଧ୍ୟ ଚାଷୀଙ୍କ ଅଧିକାର। ଏଣୁ ବର୍ଷାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ଅମଳ ଧାନର ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ମଣ୍ଡି ଖୋଲିବାର ତାରିଖ ଘୋଷଣା କରିବାକୁ ବିଭିନ୍ନ କୃଷକ ସଂଗଠନ ଦାବି କରିଛନ୍ତି। ଚାଷୀଙ୍କ ଝାଳବୁହା ପରିଶ୍ରମର ଉଚିତ ମୂଲ୍ୟ ମିଳିବା ସହ ଅଭାବୀ ବିକ୍ରି ରୋକିବାକୁ ସରକାର ତୁରନ୍ତ ଧାନ ସଂଗ୍ରହ ଆରମ୍ଭ କରନ୍ତୁ ବୋଲି ଦାବି ଜୋର ଧରିଛି।