ମାଲକାନଗିରି,୧୨/୧୧/୨୬: (ସୁରେନ୍ଦ୍ର କୁମାର ବେମାଳ): ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଆଇ.ଏମ୍.ଏସ୍.ଟି ସ୍କୁଲ ପରିସରରେ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଏବଂ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ ପକ୍ଷରୁ ପ୍ରଦତ୍ତ ବିଷୟବସ୍ତୁ ‘ସରକାରୀ ନିୟନ୍ତ୍ରଣ ଅପେକ୍ଷା ଗଣମାଧ୍ୟମର ଆତ୍ମ ନିୟନ୍ତ୍ରଣ ଅଧିକ ପ୍ରଭାବଶାଳୀ ଅଟେ’ ଉପରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ।
ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡଃ ରଞ୍ଜନ ସ୍ୱାଇଁ, ରାଜସ୍ୱ ବିଭାଗର କର୍ମଚାରୀ ସରୋଜ ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଶିକ୍ଷକ ଶିବୁ କୀର୍ତ୍ତନୀୟା ଯୋଗଦେଇ ପ୍ରତିଯୋଗୀମାନଙ୍କର ମୂଲ୍ୟାଙ୍କନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୋଜେକ୍ସନିଷ୍ଟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ ର ସଭାପତି ଦେବ ପ୍ରସାଦ ଦାଶ ଏବଂ ସଦସ୍ୟ କୃଷ୍ଣପଦ ରାୟ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ନଭେମ୍ବର ୧୬ ତାରିଖରେ ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।