ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ୧୬୯୮ ନୂଆ ହିତାଧିକାରୀ

9


ଜମନକିରାରେ ୧୦୩୧, ବାମରାରେ ୩୫୧ ଓ କୁଚିଣ୍ଡାରେ ୩୧୬ ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ


ସମ୍ବଲପୁର (ଲିପନ ନାଏକ ): ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମଧୁବାବୁ ପେନସନ ଯୋଜନାରେ ଆଉ ୫,୦୫,୮୧୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଫଳରେ ରାଜ୍ୟରେ ଏହି ଯୋଜନାର ମୋଟ ହିତାଧିକାରୀ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଭତ୍ତାର ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି।
ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ଜମନକିରା, କୁଚିଣ୍ଡା ଓ ବାମରା ବ୍ଲକରେ ଓଡ଼ିଆ ସରକାରଙ୍କ ପଂଚାୟତିରାଜ, ପାନୀୟ ଜଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ଙ୍କ ଦ୍ୱରା ମୋଟ ୫୫ଟି ଗ୍ରାମପଞ୍ଚାୟତର ୧୬୯୮ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ସାମାଜିକ ସୁରକ୍ଷା ଭତ୍ତା କାର୍ଡ ପ୍ରଦାନ କରାଯାଇଛି।


ପ୍ରାପ୍ତ ସୂଚନା ଅନୁଯାୟୀ, ଜମନକିରା ବ୍ଲକର ୨୧ଟି ପଞ୍ଚାୟତରେ ସର୍ବାଧିକ ୧୦୩୧ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ବାମରା ବ୍ଲକର ୧୭ଟି ପଞ୍ଚାୟତର ୩୫୧ ଜଣ ଏବଂ କୁଚିଣ୍ଡା ବ୍ଲକର ୧୭ଟି ପଞ୍ଚାୟତର ୩୧୬ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ତିନୋଟି ବ୍ଲକରେ ମିଶି ମୋଟ ୧୬୯୮ ଜଣଙ୍କୁ ନୂତନ ଭାବେ ସାମାଜିକ ସୁରକ୍ଷାର ପରିସରଭୁକ୍ତ କରାଯାଇଛି।
ଏହି ଯୋଜନା ମାଧ୍ୟମରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟୋଜ୍ୟେଷ୍ଠ ନାଗରିକ, ବିଧବା ମହିଳା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଯୋଗ୍ୟ ଅସହାୟ ବ୍ୟକ୍ତିବିଶେଷ ଆର୍ଥିକ ସହାୟତା ପାଇବେ। ଏହା ସେମାନଙ୍କ ଦୈନନ୍ଦିନ ଜୀବନଯାପନକୁ ସହଜ କରିବା ସହ ଆତ୍ମନିର୍ଭରଶୀଳତା ଓ ଆତ୍ମସମ୍ମାନ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।


ଅନ୍ୟପକ୍ଷରେ, ପୂର୍ବରୁ ରହିଥିବା ପେନସନ କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରି ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଏଥିସହ UPMP ପୋର୍ଟାଲ ମାଧ୍ୟମରେ ଭତ୍ତା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ତ୍ୱରିତ କରିବାକୁ ଉଦ୍ୟମ କରାଯାଇଛି। ୮୦ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ବିନା ପୁନଃ ଆବେଦନରେ ମାସିକ ୩,୫୦୦ ଟଙ୍କାର ବର୍ଦ୍ଧିତ ଭତ୍ତା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସମାଜର ଶେଷ ଧାଡ଼ିରେ ଥିବା ଯୋଗ୍ୟ ଲୋକଙ୍କ ନିକଟରେ ସାମାଜିକ ସୁରକ୍ଷାର ସୁଫଳ ପହଞ୍ଚିବା ସହ ବୟୋଜ୍ୟେଷ୍ଠ, ବିଧବା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସହାୟତାର ନୂଆ ଆଶା ସଞ୍ଚାର ହୋଇଛି। ସାମାଜିକ ସୁରକ୍ଷାକୁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଅଧିକାରରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Leave A Reply

Your email address will not be published.