ଉଜୁଡ଼ିଲା ଧାନ ଓ ରବି ଫସଲ, ଚିନ୍ତାରେ ଚାଷୀ, କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ
ଓଡ଼ଗାଁ, ୨୮।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ କିଛି ମାସ ଧରି ହାତୀ ପଲଙ୍କ ଉପଦ୍ରବରେ ଫସଲ ହାନି ଘଟିଥିବା ବେଳେ ବାତ୍ୟା ‘ଅର୍ଣ୍ଣବ’ର ଦାଉ ତାକୁ ଦ୍ୱିଗୁଣିତ କରିଦେଇଛି। ବାତ୍ୟା ଅର୍ଣ୍ଣବର ଲଗାଣ ବର୍ଷା ଓ ପବନର ପ୍ରଭାବରେ ଓଡ଼ଗାଁ ବ୍ଲକ ଅଞ୍ଚଳର ଖରିଫ ଧାନ ସମେତ ରବି ଫସଲର ବ୍ୟାପକ କ୍ଷତି ଘଟିଛି । ଫଳରେ ଧାରକରଜ କରି ଚାଷୀ ତଳି, ମୂଲିଆ ଓ ସାର ଇତ୍ୟାଦି ପାଇଁ ଅର୍ଥ ଖର୍ଚ୍ଚ କରି ଏବେ ହତାଶ ହୋଇପଡ଼ିଛି । ଅନ୍ୟପକ୍ଷରେ ସରକାରୀ ଭାବେ ମିଳୁଥିବା କ୍ଷତିପୂରଣ ଅର୍ଥ ଯଥେଷ୍ଟ ହେଉନଥିବାରୁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ଚଳିତ ଅକ୍ଟୋବର ମାସରୁ ରବି ଚାଷ ଆରମ୍ଭ ହୋଇଥିବା ବେଳେ କେତେକ ଚାଷୀ ତଳି ପକାଇଥିଲେ। ଆଉ କେତେକ ଚାଷୀ ଫୁଲକୋବି, ଟମାଟୋ, ବାଇଗଣ ଓ ଲଙ୍କା ଆଦି ପନିପରିବା ଚାଷ କରିଥିଲେ। ତେବେ ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ହେବାରୁ ଚାଷଜମିରେ ପାଣି ଜମି ରହିଛି। ଫଳରେ ପାଣିରେ ବୁଡ଼ି ରହି ଗଛଗୁଡ଼ିକ ପଚିଯିବା ସହ ରବି ଫସଲ ନଷ୍ଟ ହୋଇଛି। ଏହି ପରିସ୍ଥିତିରେ ପୁନର୍ବାର ବିହନ କିଣି ଚାଷ କରିବାକୁ ଆବଶ୍ୟକ ଅର୍ଥ ନଥିବାରୁ କ୍ଷତିଗ୍ରସ୍ତ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରେ ସର୍ବାଧିକ ୫୩.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଓଡ଼ଗାଁ ବ୍ଲକରେ ୪୬.୮ ମିଲିମିଟର ବର୍ଷା ହୋଇଛି। ସେହିପରି ଗଣିଆ ବ୍ଲକରେ ସର୍ବନିମ୍ନ ୧୮.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ପୂର୍ବରୁ ମଧ୍ୟ ଅନେକ ଚାଷଜମିରେ ପାଣି ଜମି ରହିଥିଲା। ବାତ୍ୟା ପ୍ରଭାବରେ ଅଧିକ ବର୍ଷା ହେବାରୁ ପାଚିଲା ଧାନ ପାଣିରେ ବୁଡ଼ି ରହିବା ସହ କେତେକ ସ୍ଥାନରେ ଧାନଗଛ ଜମିରେ ଶୋଇପଡ଼ିଛି। ଧାନ କେଣ୍ଡା ତଳେ ପଡ଼ି ରହିଥିବାରୁ ଅଗାଡ଼ି ହେବାର ଆଶଙ୍କା ଦେଖାଦେଇଛି। ଏହାଦ୍ୱାରା ଚାଷୀଙ୍କ ଅମଳ ହ୍ରାସ ପାଇବା ସହ ଆର୍ଥିକ କ୍ଷତି ବଢ଼ିବା ନିଶ୍ଚିତ।
ଅନ୍ୟପକ୍ଷରେ, ଓଡ଼ଗାଁ ବନାଞ୍ଚଳ ଓ ପଞ୍ଚରିଡ଼ା ବନାଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ମଧ୍ୟ ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ପଞ୍ଚରିଡ଼ା ବନାଞ୍ଚଳରେ ୧୩୯ ଜଣ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଓଡ଼ଗାଁ ବନାଞ୍ଚଳରେ ୨୭୮ ଜଣ ଚାଷୀ ହାତୀଙ୍କ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ବନ୍ୟଜନ୍ତୁଙ୍କ ଉପଦ୍ରବ, ତାହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଜୀବନଜୀବିକା ଉପରେ ପଡୁଛି। ବିଭିନ୍ନ କାରଣରୁ ବାରମ୍ବାର ଫସଲ ନଷ୍ଟ ହେବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁଥିବା କ୍ଷତିପୂରଣ ପରିମାଣ ‘ସମୁଦ୍ରକୁ ଶଙ୍ଖେ’ ଭଳି ହେଉଛି । ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।