ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଛି ଯାନବାହନ
ଓଡ଼ଗାଁ, ୨୮।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘଦିନ ଧରି ବିଦ୍ୟୁତ୍ ଯୋଗାଣରେ ଲାଗି ରହିଥିବା ବିଭ୍ରାଟ ଏବଂ ଲଗାତାର ଦୁଇଦିନ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବାକୁ ନେଇ ରୋହିବାଙ୍କ ଅଞ୍ଚଳର ଉପଭୋକ୍ତାମାନେ ଉତ୍ତ୍ୟକ୍ତ ହୋଇ ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି। ବିଶେଷକରି ରାତିରେ ଦୂରଦୂରାନ୍ତ ଅଞ୍ଚଳକୁ ଯାତ୍ରା କରୁଥିବା ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି। ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବିଦ୍ୟୁତ୍ ଯୋଗାଣରେ ବିଭ୍ରାଟ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଅନ୍ୟପକ୍ଷରେ, ହାତୀ ଉପଦ୍ରବ ଯୋଗୁଁ ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରହିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ବର୍ଷା ସାଙ୍ଗକୁ ଅନ୍ଧାର ରାତି ଏବଂ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ନହେବା ଯୋଗୁଁ ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବିଦ୍ୟୁତ୍ ସେବା ପୁନଃସ୍ଥାପନ ପାଇଁ ଆବଶ୍ୟକ ଯାନବାହନର ଅଭାବ ଥିବା ଦର୍ଶାଇ ବିଦ୍ୟୁତ୍ କର୍ମଚାରୀମାନେ ଅସହାୟତା ପ୍ରକାଶ କରିଥିବା ଜଣାପଡ଼ିଛି। ଫଳରେ କେବେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। ଦୀର୍ଘ ସମୟ ଧରି ବିଦ୍ୟୁତ୍ ସେବା ବ୍ୟାହତ ହେବାରୁ କ୍ଷୁବ୍ଧ ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ। ଖବର ପାଇ ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ତେବେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଲାଗି ରାହିଛି । ତୁରନ୍ତ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।