ଝାରସୁଗୁଡ଼ା, ୨୨/୧୦: ଝାରସୁଗୁଡ଼ା ସହରର ସରବାହାଲଠାରେ ଓଁ ଶ୍ରୀ ପୂଜା କମିଟି ପକ୍ଷରୁ ପବିତ୍ର ବିଜୟା ଦଶମୀ ଓ ରାବଣପୋଡ଼ି ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ୨୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହୋଇଥିବାରୁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।
ବୁଧବାର ସକାଳେ ସରବାହାଲ ପୂଜା ମଣ୍ଡପଠାରେ ବିଧିବିଧାନ ଅନୁଯାୟୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ସହ ଚଳିତ ବର୍ଷର ଦୁର୍ଗାପୂଜାର ଉଦ୍ଯାପନ ହୋଇଥିଲା।
ସନ୍ଧ୍ୟାରେ ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ରାବଣପୋଡ଼ି କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହି ଅବସରରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଲୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟା ଦଶମୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟାୟ ଉପରେ ନ୍ୟାୟ, ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ହେଉଛି ବିଜୟା ଦଶମୀ ବୋଲି ସେ କହିବା ସହ ମା’ ଦୁର୍ଗାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ ବୋଲି କାମନା କରିଥିଲେ।

ଏହି ଅବସରରେ ଯୁବନେତା ତଥା ସମାଜସେବୀ ବିଶାଳ ଦାସ ଉଦ୍ବୋଧନ ଦେଇ ଝାରସୁଗୁଡ଼ାବାସୀ ସ୍ୱର୍ଗତ ନବ ଦାସଙ୍କ ନିଜ ପରିବାର ବୋଲି ଉଲ୍ଲେଖ କରିଥିଲେ। ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଆଗାମୀ ଦିନରେ ମଧ୍ୟ ଏହି ପୂଜା ଅଧିକ ଆଡ଼ମ୍ବର ଓ ଉତ୍ସାହର ସହ ଆୟୋଜିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ପରେ ସେ ଶର ମାରି ରାବଣପୋଡ଼ି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ରାବଣପୋଡ଼ି ସମୟରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ଏଥିସହ ହାଇସ୍କୁଲ ପଡ଼ିଆରେ ଅର୍ଚ୍ଚନା ପାଢ଼ୀ ଓ ଯୋଗେଶ ଯୋଯୋଙ୍କ ଦ୍ୱାରା ମେଲୋଡି, କମେଡି ଓ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଳାକାରଙ୍କ ମନୋରଞ୍ଜନଧର୍ମୀ ପ୍ରଦର୍ଶନକୁ ଉପସ୍ଥିତ ଦର୍ଶକ ଭୂୟସୀ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମିନତୀ ଦାସ, ଓଁ ଶ୍ରୀ ପୂଜା କମିଟିର ସଭାପତି ରବୀନ୍ଦ୍ର ଦୀକ୍ଷିତ, ସମ୍ପାଦକ ଆଦିତ୍ୟ ପୂଜାରୀ, କାର୍ଯ୍ୟକାରୀ ସଭାପତି ପିଣ୍ଟୁ ପାଢ଼ୀଙ୍କ ସମେତ ରାଜେଶ ପାଢ଼ୀ, ମଣ୍ଟୁ ପଣ୍ଡା, ଆଭାସ ଦୀକ୍ଷିତ, ରାମହରି ପୂଝାରୀ, ପ୍ରଶାନ୍ତ ଲେଙ୍କା, ଆଲୋକ ତ୍ରିପାଠୀ, ଶଶି ଭୂଷଣ ତିୱାରି, ତୁଲସୀ ଦାସ ଓ ମାନସ ରାୟଙ୍କ ସମେତ ପୂଜା କମିଟିର ସଦସ୍ୟ ଏବଂ ବହୁ ସଂଖ୍ୟାରେ ନଗରବାସୀ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।