ଶିକ୍ଷାର ମାନବୃଦ୍ଧି ଲକ୍ଷ୍ୟରେ ୟୁଆଇଏଏଲ୍ ଖଣି ସିଏସଆର୍ ପକ୍ଷରୁ ପ୍ରକଳ୍ପ ‘ଅଧ୍ୟୟନ’ ଶୁଭାରମ୍ଭ

36

ରାୟଗଡ: ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ (ୟୁଏଆଇଏଲ୍), ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଶିଶୁମାନଙ୍କ ଶିକ୍ଷାର ଉନ୍ନତି ତଥା ସୁଦୃଢ଼ୀକରଣ ଏବଂ ଏକ ଅନ୍ତର୍ଭୁକ୍ତିମୂଳକ ଓ ଶିଶୁ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହାର ବାଫ୍ଲିମାଳି ଖଣିର ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ‘ଏଡ୍ ଏଟ୍ ଆକ୍ସନ୍’ ସହଯୋଗରେ ‘ପ୍ରକଳ୍ପ ଅଧ୍ୟୟନ’ ଶୁଭାରମ୍ଭ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ସ୍ଥାନୀୟ କାଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁଭାରମ୍ଭ ହୋଇଯାଇଅଛି । ତିନି ବର୍ଷିଆ ଏହି ପ୍ରକଳ୍ପ ମାଧ୍ୟମରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କାଶୀପୁର ଏବଂ ଥୁଆମୂଳ ରାମପୁର ବ୍ଲକ୍‌ର ୨୮ଟି ବିଦ୍ୟାଳୟ ଓ ୨୮ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଅଧ୍ୟୟନରତ ମୋଟ ୪,୨୯୪ ଜଣ ଶିଶୁ ଉପକୃତ ହେବେ । ଶିଶୁମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ବିକାଶ, ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି, ଶିଶୁ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି ଏବଂ ଶିକ୍ଷା କ୍ଷେତ୍ରରେ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ଏହି ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ ରହିଅଛି ।

ଏହି ଶୁଭାରମ୍ଭ ସମାରୋହରେ ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ନାୟକ, କାଶୀପୁର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ସୁମିତ ବିଶ୍ୱାସ, ଜିଲ୍ଲା ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ସଂଯୋଜକ ଶ୍ରୀ ପ୍ରଦୀପ୍ତ କୁମାର ସାହୁ, କାଶୀପୁର ସିଡିପିଓ ଶ୍ରୀମତୀ ଗୀତାରାଣୀ ସାହୁ ଏବଂ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍‌ର ଅଧ୍ୟକ୍ଷ ଶ୍ରୀ ଅନିରୁଦ୍ଧ ତିୱାରୀ ଯୋଗ ଦେଇଥିଲେ । ଏହା ସହିତ ଏଡ୍ ଏଟ୍ ଆକ୍ସନ୍‌ର ପ୍ରତିନିଧି ଶ୍ରୀ ଆମୋଦ ଖର୍ଖାନିସ୍ ଓ ଶ୍ରୀ ପ୍ରବୀଣ ଭୋପେଙ୍କ ସମେତ ସଂସ୍ଥାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ୟୁଆଇଏଏଲ୍ ପ୍ଲାଣ୍ଟର ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଦିଗନ୍ତ ମହାନ୍ତି ନିଜ ଟିମ୍ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବାଫ୍ଲିମାଳି ବକ୍ସାଇଟ୍ ଖଣି ପକ୍ଷରୁ ଖଣି ମୁଖ୍ୟ ଶ୍ରୀ ବିଜୟ ଚୌହାନ, ମାନବ ସମ୍ବଳ ମୁଖ୍ୟ ଶ୍ରୀ ରୂପକ ମହାନ୍ତି, ସିଏସ୍‌ଆର୍ ମୁଖ୍ୟ ଶ୍ରୀ ମନୋଜ ଦାଶ, ନିରୁପମା ବାରିକ ଏବଂ ସୁରକ୍ଷା ମୁଖ୍ୟ ଶ୍ରୀ ଦେବଜ୍ୟୋତି ମହାପାତ୍ରଙ୍କ ଟିମ୍ ସହ ଉପସ୍ଥିତ ଥିଲେ । କାଶୀପୁର ସରକାରୀ ଉଛ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଲୋଚନ ଖରାଙ୍କ ସମେତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

ଏହି ଅବସରରେ ବାଫ୍ଲିମାଳି ଖଣିର ମୁଖ୍ୟ ଶ୍ରୀ ବିଜୟ ଚୌହାନ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରକଳ୍ପର ସଫଳ ରୂପାୟନ ପାଇଁ ସମସ୍ତ ଅଂଶୀଦାରଙ୍କ ସାମୂହିକ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ପ୍ରକଳ୍ପ ‘ଅଧ୍ୟୟନ’ ଏହି ଅଞ୍ଚଳରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଶିଶୁମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଶିକ୍ଷଣ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଚୌହାନ ଆଶା ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ପ୍ରମୋଦ କୁମାର ନାୟକ ୟୁଏଆଇଏଲ୍ ସିଏସ୍‌ଆର୍ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିବା ସହ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଶିଳ୍ପ ସଂସ୍ଥାଗୁଡ଼ିକର ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅଞ୍ଚଳର ଶିଶୁମାନଙ୍କୁ ଉନ୍ନତ ଶିକ୍ଷା ଓ ଉତ୍ତମ ଶିକ୍ଷଣ ସୁଯୋଗ ପ୍ରଦାନ ଦିଗରେ ବାଫ୍ଲିମାଳି ଖଣିର ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ପ୍ରକଳ୍ପ ‘ଅଧ୍ୟୟନ’ ମାଧ୍ୟମରେ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ଶିକ୍ଷକ, ଅଭିଭାବକ, ସ୍ଥାନୀୟ ଅନୁଷ୍ଠାନ ଏବଂ ସମ୍ପ୍ରଦାୟକୁ ଏକତ୍ରିତ କରି ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ ଶିଶୁମାନଙ୍କ ସାମଗ୍ରିକ ବିକାଶ, ଶିକ୍ଷାରେ ସମାନ ସୁଯୋଗ ଏବଂ ଉନ୍ନତ ଶିକ୍ଷଣ ଫଳାଫଳ ହାସଲ ଦିଗରେ ସହାୟକ ହେବ ।

ଶିକ୍ଷା ହେଉଛି ସମାଜ ବିକାଶମୂଳକ କାର୍ଯ୍ୟକ୍ରମର ଏକ ପ୍ରମୁଖ ସ୍ତମ୍ଭ । ୟୁଏଆଇଏଲ ସିଏସଆର ଏ ଦିଗରେ ନିରନ୍ତର ସହଯୋଗ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ କମ୍ପାନୀ ଏକ ସୁଦୃଢ଼ ସମାଜ ଗଠନ ସହ ଶିଶୁମାନଙ୍କୁ ଶିକ୍ଷା, ବିକାଶ ଓ ନିଜ ସ୍ୱପ୍ନ ପୂରଣ ପାଇଁ ଉନ୍ନତ ସୁଯୋଗ ପ୍ରଦାନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.