ମାତ୍ର ୭ ବର୍ଷରେ ଭୁତ କୋଠି ପାଲଟିଛି ୯ କୋଟିରେ ନିର୍ମିତ ବିଜୁ ପଟନାୟକ ବସ ଟର୍ମିନାଲ 

0

ବଡ଼ବିଲ: ବଡ଼ବିଲ ମ୍ୟୁନିସିପାଲିଟିର ୯ ନଂ ୱାର୍ଡରେ ଥିବା ବିଜୁ ପଟ୍ଟନାୟକ ବସ ଟର୍ମିନାଲ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ରହିଛି। ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଏହି ବସ ଟର୍ମିନାଲକୁ ଶାରଦା ମାଇନ୍ସ ସି ଏସ ଆର ମାଧ୍ୟମରେ ନିର୍ମାଣ କରି ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରିଥିଲା। ପ୍ରାୟ ୯ କୋଟି ବ୍ୟୟରେ ନିର୍ମିତ ଏହି ବସ ଟର୍ମିନାଲ ଏବେ ଭୁତ କୋଠିରେ ପରିଣତ ହେଲାଣି। ଏଠାରେ ଯାତ୍ରୀଙ୍କ ବ୍ୟବହାର ନିମନ୍ତେ ଲାଗିଥିବା ଚେୟାର ସବୁ ଭାଙ୍ଗିରୁଜି ଗଲାଣି। ଶୌଚାଳୟର କବାଟ ଭାଙ୍ଗିଥିବା ସହ ଟ୍ୟାପ ସବୁ ନଷ୍ଟ ହୋଇ ଯାଇଛି। ଚାରିଆଡେ ପୁତିଗନ୍ଧମୟ ପରିବେଶ। ବଡ଼ବିଲକୁ ଯା ଆସ କରୁଥିବା ଯାତ୍ରୀବାହୀ ବସ ଗୁଡିକ ମଧ୍ୟରୁ କାଁ ଭାଁ କେତୋଟିକୁ ଛାଡି ଦେଲେ ଅନ୍ୟ ବସ ସବୁ ଏହି ବସ ଟର୍ମିନାଲକୁ ଆସୁ ନଥିବାରୁ ଏହା ଯାତ୍ରୀଙ୍କର ବ୍ୟବହାରରେ ଲାଗୁନାହିଁ। ସନ୍ଧ୍ୟା ହେଲେ ଏହି ସ୍ଥାନ ଅସାମାଜିକ ବ୍ୟକ୍ତିଙ୍କର ଅଡ୍ଡା ସ୍ଥଳୀ ପାଲଟି ଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ୯ କୋଟିରେ ନିର୍ମିତ ଏହି ବସ ଟର୍ମିନାଲ ସମ୍ପୂର୍ଣ୍ଣ ନଷ୍ଟ ହେଇଯିବ ବୋଲି ଅଭିଯୋଗ ହେଉଅଛି ।

 

Leave A Reply

Your email address will not be published.