ଲିମାମେଡ଼ା ଗ୍ରାମବାସୀ ପଞ୍ଚାୟତ ରେ ରହିବାକୁ ଗ୍ରାମସଭାରେ ନିଷ୍ପତ୍ତି

62

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ସ୍ୱତନ୍ତ୍ର ଗ୍ରାମସଭାରେ ହେଲା ନିଷ୍ପତ୍ତି। ପୌର ପରିଷଦ ନୁହେଁ ଗ୍ରାମ ପଞ୍ଚାୟତ ଅଧୀନରେ ରହିବାକୁ ନିଷ୍ପତ୍ତି ନେଲେ ଲିମାମେଡ଼ା ଗ୍ରାମବାସୀ। ଗୁଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୯୦୬, ତାରିଖ ୩୦. ୯. ୨୦୨୬ ଅନୁଯାୟୀ ଚାଲକମ୍ବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମାମେଡ଼ା ଗ୍ରାମକୁ ଗୁଣପୁର ପୌର ପରିଷଦରେ ସାମିଲ କରିବା ସମ୍ପର୍କରେ ଗ୍ରାମସଭାରେ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗ୍ରାମବାସୀ ମାନେ ଗୁଣପୁର ବିଧାୟକ, ଉପ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସରପଞ୍ଚ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଗ୍ରାମସଭା ର ନିଷ୍ପତ୍ତି ହିଁ କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ କୁହାଯାଇଥିଲା। ମଙ୍ଗଳବାର ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଚାଲକମ୍ବା ଗ୍ରାମ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଉପସ୍ଥିତି ରେ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମ ସଭା ଡକାଯାଇଥିଲା। ଏହି ସଭାରେ ସମସ୍ତ ଗ୍ରାମବାସି ମାନେ ପଞ୍ଚାୟତ ଅଧୀନରେ ହିଁ ରହିବା ପାଇଁ ଆଗ୍ରହୀ ଥିବା ନିଷ୍ପତି ନେଇଥିଲେ। ଶେଷରେ ସମସ୍ତଙ୍କ ଉପସ୍ଥିତିରେ ପ୍ରସ୍ତାବ ଗୃହୀତ ହୋଇ ପାରିତ ହୋଇଥିଲା। ଏହି ବୈଠକରେ ସରପଞ୍ଚ ପ୍ରଭାବତୀ ଶବର, ନାଏବ ସରପଞ୍ଚ ବ୍ରଜ ଶବର, ଲିମାମେଡ଼ା ୱାର୍ଡ ସଭ୍ୟ ଗୌରଚନ୍ଦ୍ର ସେନାପତି ଙ୍କ ସହ ଗ୍ରାମର ଶତାଧିକ ଅଧିବାସୀ ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଲିମାମେଡ଼ା ଗ୍ରାମରେ ଅଧିକାଂଶ ଆଦିବାସୀ ଓ ଗରିବ ଶ୍ରେଣୀର ଲୋକ ବସବାସ କରୁଛନ୍ତି। ଅଧିକାଂଶ ପରିବାର ଦିନମଜୁରି ଓ ଚାଷବାସ ଉପରେ ନିର୍ଭରଶୀଳ। ଏପରି ସ୍ଥିତିରେ ପୌର ପରିଷଦରେ ସାମିଲ ହେଲେ ବିଭିନ୍ନ ପ୍ରକାର କର, ଟିକସ, ଅନୁମୋଦନ ବ୍ୟବସ୍ଥା ଓ ପ୍ରଶାସନିକ ପ୍ରକ୍ରିୟା ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଓ ପ୍ରଶାସନିକ ଭାର ପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ । ବର୍ତ୍ତମାନ ପଞ୍ଚାୟତ ଅଧୀନରେ ରହି ଗ୍ରାମବାସୀ ବିଭିନ୍ନ ସରକାରୀ ସୁବିଧା ଓ ଜନକଲ୍ୟାଣମୂଳକ ଯୋଜନାର ସୁଯୋଗ ପାଉଛନ୍ତି। ତେଣୁ ପୌର ପରିଷଦରେ ସାମିଲ ହେବାର ଆବଶ୍ୟକତା ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ନିଜ ଗ୍ରାମର ପାରମ୍ପରିକ ଜୀବନଶୈଳୀ, କୃଷି ଓ ଗ୍ରାମ୍ୟ ପରିବେଶକୁ ସୁରକ୍ଷିତ ରଖି ପଞ୍ଚାୟତ ଅଧୀନରେ ରହିବାକୁ ସେମାନେ ଦୃଢ଼ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.