ନିବେଶ ଓ ଅନୁଭୂତିପୂର୍ଣ୍ଣ ଭ୍ରମଣକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ପକ୍ଷରୁ ଦେଶର ପ୍ରଥମ ମାଇସ୍ ପ୍ରୋତ୍ସାହନ ପୋର୍ଟାଲ୍ ଶୁଭାରମ୍ଭ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ରବିବାର ମେ’ଫେୟାର ସାଙ୍କଚୁଆରୀଠାରେ “ଓଡ଼ିଶା ପାଇଁ ଏକ ମଜବୁତ ମାଇସ୍ ନୀତି ପ୍ରସ୍ତୁତି ଓ ସହଯୋଗ” ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬ ଦ୍ଵିତୀୟ ଦିନରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଶିଳ୍ପ ଜଗତର ନେତୃବୃନ୍ଦ ତଥା ପ୍ରମୁଖ ଅଂଶୀଦାରମାନେ ଏକାଠି ହୋଇ ବୈଠକ, ପ୍ରୋତ୍ସାହନ ଭ୍ରମଣ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ପାଇଁ ରାଜ୍ୟର ପରିସର ବଢ଼ାଇବା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଓଡ଼ିଶା ମାଇସ୍ ଇନସେଣ୍ଟିଭ୍ ପୋର୍ଟାଲ୍ର ଶୁଭାରମ୍ଭ କରିଥିଲେ । ଏହି ପଦକ୍ଷେପ ନେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କର୍ପୋରେଟ୍ ସମ୍ମିଳନୀ ପାଇଁ ନିଜର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର କରିବା ଏବଂ କାର୍ଯ୍ୟକ୍ରମ ଆୟୋଜକ, ସମ୍ଭାବ୍ୟ ନିବେଶକ ତଥା ପର୍ଯ୍ୟଟନ ବ୍ୟବସାୟୀମାନଙ୍କ ଆର୍ଥିକ ପ୍ରୋତ୍ସାହନ ଆବେଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରିଛି ।
ସମ୍ମିଳନୀରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ପରିଡ଼ା କହିଥିଲେ ଯେ ସରକାରଙ୍କ ନିୟମାବଳୀ ଓ ପ୍ରୋତ୍ସାହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଚ୍ଛ, ଯାହା ବ୍ୟବସାୟିକ ଭାଗୀଦାରଙ୍କୁ ରାଜ୍ୟର ଅର୍ଥନୈତିକ ବିକାଶର ପ୍ରତ୍ୟକ୍ଷ ମାଧ୍ୟମ ଭାବେ ସଶକ୍ତ କରୁଛି । ମାଇସ୍ କ୍ଷେତ୍ର, ଡେଷ୍ଟିନେସନ୍ ୱେଡିଂ, କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ଐତିହ୍ୟ ଉଦ୍ୟୋଗଗୁଡ଼ିକ ପାଇଁ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ସରକାରଙ୍କ ସଂକଳ୍ପକୁ ଦର୍ଶାଇ ସେ ପ୍ରଶାସନର ସକ୍ରିୟ କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ ।
“ଆମର ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ନିବେଶକମାନଙ୍କ ସହ ସକ୍ରିୟ ଭାବେ ଯୋଗାଯୋଗ ରଖିବା, ନିୟମିତ ତଦାରଖ କରିବା ଏବଂ ପ୍ରକଳ୍ପ ଅନୁମୋଦନକୁ ସୁଗମ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି, ଯାହା ଏକ ପ୍ରଗତିଶୀଳ ଓଡ଼ିଶାର ବଦଳୁଥିବା ରୂପକୁ ଦର୍ଶାଉଛି,” ବୋଲି ଶ୍ରୀମତୀ ପରିଡ଼ା କହିଥିଲେ ।
ଡେଷ୍ଟିନେସନ୍ କାର୍ଯ୍ୟକ୍ରମ ଓ ଅନୁଭୂତିପୂର୍ଣ୍ଣ ଯାତ୍ରା ପାଇଁ ଦେଶ ଭିତରେ ବଢ଼ୁଥିବା ବଜାର ସମ୍ପର୍କରେ ଆଲୋକପାତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ପବିତ୍ର ମନ୍ଦିରମାନଙ୍କରେ ବିବାହ ଓ ସ୍ଥାନୀୟ ଅନୁଭୂତି ସାଉଁଟିବା ପାଇଁ ଏକ ସ୍ପଷ୍ଟ ସାଂସ୍କୃତିକ ଆଗ୍ରହ ଦେଖିବାକୁ ମିଳୁଛି ।
ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାର ବୌଦ୍ଧ ସ୍ତୂପ, ବିସ୍ତୀର୍ଣ୍ଣ ଉପକୂଳ ଏବଂ ପ୍ରାକୃତିକ ଶୋଭାରାଜି କର୍ପୋରେଟ୍ ବୈଠକ ଓ କାର୍ଯ୍ୟକ୍ରମ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ମନୋରମ ଫଟୋସୁଟ୍ ସ୍ଥାନଠାରୁ ଆରମ୍ଭ କରି ଆଞ୍ଚଳିକ ଖାଦ୍ୟପେୟ ଭ୍ରମଣ ପର୍ଯ୍ୟନ୍ତ, ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟରେ ବିପୁଳ ସମ୍ଭାବନା ରହିଛି । ନିବେଶକମାନଙ୍କୁ ଆଶ୍ୱାସନା ଦେଇ ଶ୍ରୀମତୀ ପରିଡ଼ା କହିଥିଲେ ଯେ ସରକାର ଘରୋଇ କ୍ଷେତ୍ରର ସୁପାରିଶଗୁଡ଼ିକୁ ବିଚାର କରିବେ, ପ୍ରଶାସନିକ ବାଧାବିଘ୍ନ ଦୂର କରିବେ ଏବଂ ପୁଞ୍ଜି ସବସିଡି ପ୍ରଦାନ କରିବେ; ଏଥିସହ ସେ ପ୍ରତିନିଧିମାନଙ୍କୁ ରାଜ୍ୟର ବିକାଶ ସହ ବଢ଼ିବା ପାଇଁ ନିମନ୍ତ୍ରଣ ଜଣାଇଥିଲେ ।
ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଓଡ଼ିଶା ପର୍ଯ୍ୟଟନ ନିବେଶ ନୀତି ଉପରେ ଏକ ଉପସ୍ଥାପନା ପ୍ରଦାନ କରି ରାଜ୍ୟର ବିଭିନ୍ନ ବ୍ୟବସାୟିକ ସୁଯୋଗ ବିଷୟରେ ବୁଝାଇଥିଲେ । ସେ କହିଥିଲେ ଯେ ବର୍ତ୍ତମାନର ନୀତିଗୁଡ଼ିକ ଐତିହ୍ୟ, କ୍ରୀଡ଼ା ଓ ବ୍ୟବସାୟିକ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟଭିତ୍ତିକ ସହାୟତା ଯୋଗାଇବା ସହ ନିବେଶକମାନଙ୍କ ସହ ନିୟମିତ ଆଲୋଚନା ଓ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ମଞ୍ଜୁରି ପ୍ରଦାନ କରି ଏକ ବ୍ୟବସାୟ-ଅନୁକୂଳ ପରିବେଶ ସୃଷ୍ଟି କରୁଛି ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନେ କହିଥିଲେ, ଓଡ଼ିଶାର ପର୍ଯ୍ୟଟନ କେବଳ ସାଧାରଣ ସ୍ଥାନ ଦେଖିବା ମଧ୍ୟରେ ସୀମିତ ନୁହେଁ; ବରଂ ଏହାର ଐତିହାସିକ ମନ୍ଦିର, ବୌଦ୍ଧ ପର୍ଯ୍ୟଟନ ପରିପଥ, ବେଳାଭୂମି, ସ୍ଥାନୀୟ କଳା ଏବଂ ପାରମ୍ପରିକ ଖାଦ୍ୟ ନୂଆ ଧରଣର ସମ୍ମିଳନୀ ପରିକଳ୍ପନା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ।
ଖ୍ୟାତନାମା ସେଫ୍ ତଥା ଓଡ଼ିଆ ଖାଦ୍ୟପେୟର ବ୍ରାଣ୍ଡ ଆମ୍ବାସାଡର ଶ୍ରୀ ରଣବୀର ବ୍ରାର୍ ସାଂସ୍କୃତିକ ମୌଳିକତାକୁ ରାଜ୍ୟର ବିଶ୍ୱସ୍ତରୀୟ ଖ୍ୟାତିର ମୂଳଦୁଆ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଉଚ୍ଚମାନର ଭ୍ରମଣ କେବଳ ଅଧିକ ଖର୍ଚ୍ଚ ଉପରେ ନୁହେଁ, ବରଂ ଦୁର୍ଲଭତା, ସାଂସ୍କୃତିକ ନିଷ୍ଠା ଓ ସ୍ୱତନ୍ତ୍ର ଅନୁଭୂତି ଉପରେ ଅଧିକ ନିର୍ଭର କରୁଛି । ଏଥିପାଇଁ କେବଳ ଆୟୋଜନ ସ୍ଥଳ ନୁହେଁ, ବରଂ ସ୍ଥାନୀୟ ଗାଳ୍ପିକ, ରନ୍ଧନ ପ୍ରଣାଳୀ, ରୋଷେୟା, ହାଟବଜାର ଏବଂ ଆଞ୍ଚଳିକ ପର୍ବପର୍ବାଣିକୁ ଲିପିବଦ୍ଧ କରିବା ପାଇଁ ସେ ଏକ ସମ୍ପୂର୍ଣ୍ଣ ୧୦୦ ଦିନିଆ ମ୍ୟାପିଂ ଅଭିଯାନ କରିବାକୁ ପ୍ରସ୍ତାବ ଦେଇଥିଲେ ।
ସେଫ୍ ବ୍ରାର୍ଙ୍କ ଅନୁଯାୟୀ, ଏହି ପାରମ୍ପରିକ ବିଶେଷତାଗୁଡ଼ିକ କୌଣସି ଅତିରିକ୍ତ ଆକର୍ଷଣ ନୁହେଁ, ବରଂ ପର୍ଯ୍ୟଟକଙ୍କ ମୁଖ୍ୟ ଅନୁଭୂତିର ହୃଦସ୍ପନ୍ଦନ ଅଟେ । ସେ ସ୍ଥାନୀୟ କାରିଗରମାନଙ୍କୁ ସିଧାସଳଖ ସହଯୋଗ କରିବାକୁ ଆୟୋଜକମାନଙ୍କୁ ଅନୁରୋଧ କରିଥିଲେ ଏବଂ ଭାଷା ତଥା ଅନୁବାଦ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ସ୍ଥାନୀୟ ପ୍ରତିଭାମାନେ ବାହାର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ନିଜ ମୂଳ ପରମ୍ପରାକୁ ନ ହରାଇ ସ୍ୱାଭିମାନର ସହ ନିଜ ଐତିହ୍ୟକୁ ବଞ୍ଚାଇ ରଖିପାରିବେ ।
ଅନୁଭୂତି ଅର୍ଥନୀତି ଉପରେ ମତ ରଖି ୱିଜକ୍ରାଫ୍ଟ ଗ୍ରୁପ୍ର ସହ-ପ୍ରତିଷ୍ଠାତା ତଥା ଫିକି ମାଇସ୍ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଶ୍ରୀ ସବାସ ଜୋସେଫ୍ ଓଡ଼ିଶାର ସାଂସ୍କୃତିକ ସମ୍ପଦକୁ ଉପଯୋଗ କରିବା ପାଇଁ ଏକ ଶିଳ୍ପ ଖସଡ଼ା ଉପସ୍ଥାପନ କରିଥିଲେ । ସେ ଆଧୁନିକ କର୍ପୋରେଟ୍ ସମ୍ମିଳନୀ ଓ ଆତିଥ୍ୟ କାର୍ଯ୍ୟକ୍ରମରେ ସ୍ଥାନୀୟ ରୀତିନୀତି, କାରିଗରୀ ପରମ୍ପରା ଏବଂ ପାରମ୍ପରିକ ଖାଦ୍ୟର ପରିଚୟକୁ ସାମିଲ କରିବାର ବ୍ୟବହାରିକ ମଡେଲ ସମ୍ପର୍କରେ ଧାରଣା ଦେଇଥିଲେ ।
ଏହି ଅଧିବେଶନଟି ନୀତି ନିର୍ଦ୍ଧାରକ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାଜିଥିଲା; ଯେଉଁଥିରେ ଭିତ୍ତିଭୂମିର ଉନ୍ନତି, ବୃତ୍ତିଗତ ସେବା ମାନ ଏବଂ ରାଜ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମିଳନୀ, ପ୍ରୋତ୍ସାହନ ଭ୍ରମଣ ଓ ଅନୁଭୂତିପୂର୍ଣ୍ଣ ମହୋତ୍ସବ ଆଣିବା ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଦିନର ପ୍ରାରମ୍ଭରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଗୋଲଟେବୁଲ ବୈଠକର ଆଲୋଚନା ସୂଚୀ ଉପସ୍ଥାପନ କରିଥିଲେ । ଫିକି ପର୍ଯ୍ୟଟନ କମିଟିର ସହ-ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍ର ସିଏମ୍ଡି ଶ୍ରୀ ଜେ.କେ. ମହାନ୍ତିଙ୍କ ଧନ୍ୟବାଦ ଅଭିଭାଷଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା, ଯେଉଁଥିରେ ସେ ଓଡ଼ିଶାକୁ ବ୍ୟବସାୟିକ ସମ୍ମିଳନୀ ଓ ଅନୁଭୂତିପୂର୍ଣ୍ଣ ଭ୍ରମଣ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଗଢ଼ିତୋଳିବା ଦିଗରେ ବିଭାଗର ପ୍ରୟାସକୁ ଦୋହରାଇଥିଲେ ।