ଅକ୍ଟୋବର ୮ରେ ‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ ପଦଯାତ୍ରା

9


ଝାରସୁଗୁଡ଼ା: ଆସନ୍ତା ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ ପାଇଁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଆଇସିସି ଓ ପିସିସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

କାର୍ଯ୍ୟକ୍ରମ ଅବସରରେ ଗଣତନ୍ତ୍ର ଓ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ଅକ୍ଟୋବର ୮ ତାରିଖରେ ‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ ବାର୍ତ୍ତା ନେଇ ପଦଯାତ୍ରା ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଏମଏମଡିଆର୍ (MMDR) ପ୍ରସଙ୍ଗ ସମେତ ନିର୍ବାଚନ କମିଶନ ସମ୍ପର୍କିତ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା। ନିର୍ବାଚନ କମିଶନ ସମ୍ପର୍କିତ ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର ଏବଂ ତାଙ୍କ ବିରୋଧରେ ଆଇନାନୁସାରେ ତଦନ୍ତ କରିବାକୁ ଦାବି ଉଠିଥିବା ଜଣାପଡ଼ିଛି।

ଏହି ଦାବିଗୁଡ଼ିକୁ ନେଇ ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ପାଳନ ପାଇଁ ଦଳୀୟ ସ୍ତରରେ ପ୍ରସ୍ତୁତି କରିବାକୁ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ବନ୍ଦ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଆଇନଶୃଙ୍ଖଳା ପ୍ରତି ସମ୍ମାନ ରଖି କାର୍ଯ୍ୟକ୍ରମ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଜିଲ୍ଲା କଂଗ୍ରେସର ବିଭିନ୍ନ ଶାଖା, ବ୍ଲକ, ନଗର ଓ ବୁଥ୍ ସ୍ତରର କର୍ମକର୍ତ୍ତାମାନେ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନରେ ସାମିଲ ହୋଇ ଏହାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି।

ବୈଠକରେ ପିସିସି ସାଧାରଣ ସମ୍ପାଦକ ତଥା ଝାରସୁଗୁଡ଼ା ଜିଲ୍ଲାର ନୂତନ ପ୍ରଭାରୀ ସୁଧୀର ପଣ୍ଡା, ରାଜ୍ୟ ସମ୍ପାଦକ ଇକବାଲ ଅହମଦ ମଲ୍ଲିକ, ରାଜ୍ୟ ସମ୍ପାଦକ ସଞ୍ଜୟ ମହାପାତ୍ର, ଜିଲ୍ଲା ସଭାପତି ଜୀବନ ସାର୍ଥକ, ଇଣ୍ଡିଆ ବ୍ଲକର ସହଯୋଗୀ ସମାଜବାଦୀ ଦଳର ରାଷ୍ଟ୍ରୀୟ ସମ୍ପାଦକ ମହମ୍ମଦ ଅଖତର, ଜିଲ୍ଲା ସିପିଏମ୍ ସଭାପତି ଗୌରୀ ଶଙ୍କର ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.