କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭଞ୍ଜନଗର ଚାମ୍ବର ଅଫ୍ କମର୍ସର ସ୍ମାରକପତ୍ର : UPI କାରବାର ଉପରେ ଶୂନ୍ୟ MDR ଜାରି ରଖିବାକୁ ଦାବି

33

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​UPI (ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍) କାରବାର ଉପରେ ପ୍ରସ୍ତାବିତ merchant discount rate ବା (MDR) ପ୍ରତ୍ୟାହାର କରିବା ଏବଂ ଶୂନ୍ୟ MDR ବ୍ୟବସ୍ଥା ବଜାୟ ରଖିବା ଦାବିରେ ଆଜି ଭଞ୍ଜନଗର ଚାମ୍ବର ଅଫ୍ କମର୍ସ ଏବଂ ସ୍ଥାନୀୟ ବ୍ୟବସାୟୀ ସମ୍ପ୍ରଦାୟ ପକ୍ଷରୁ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ, ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର/ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏହି ସ୍ମାରକପତ୍ରଟି ଭଞ୍ଜନଗର ଉପ-ଜିଲ୍ଲାପାଳ ଙ୍କ ମାଧ୍ୟମରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଭାରତ ସରକାରଙ୍କ ପାଖକୁ ପ୍ରେରଣ କରାଯାଇଛି। ସେଥିପାଇଁ ଆଜି ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭଞ୍ଜନଗର ଚାମ୍ବର ଅଫ୍ କମର୍ସ ଓ ସମସ୍ତ ବ୍ୟବସାୟୀ ସମ୍ପ୍ରଦାୟର ସଦସ୍ୟ ମାନେ ଏକତ୍ରିତ ହୋଇ, ଭଞ୍ଜନଗରସ୍ଥ ଲୋହରାଖଣ୍ଡି ନଦୀ ପାଖରେ ଥିବା ରଘୁନାଥ ମନ୍ଦିର ପାଖରୁ ଏକ ବାଇକ୍ ଶୋଭାଯାତ୍ରା ରେ ବାହାରିଥିଲେ। ଏହି ଶୋଭାଯାତ୍ରା ଭଞ୍ଜନଗର ମୁଖ୍ୟ ସହର ରାସ୍ତା ହୋଇ ଥାନା ଛକ, ବସଷ୍ଟାଣ୍ଡ୍, ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅତିକ୍ରମ କରି ଉପଜିଲ୍ଲାପାଳ ଅଫିସ ପାଖରେ ପହଞ୍ଚିଥିଲା। ତତ୍ ସହିତ ଉକ୍ତ ସ୍ମାରକ ପତ୍ର କୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥିଲା। ଏଥିରେ ଚ୍ୟାମ୍ବର ଅଫ୍ କମର୍ସ ଓ ଅନ୍ୟାନ୍ୟ ବ୍ୟବସାୟୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ମଧ୍ୟରେ ଶ୍ରୀରାମ ପ୍ରସାଦ ପାଳ, ପି.ଶ୍ରୀନିବାସ ସୁବୁଦ୍ଧି,ଅମୁଲ୍ୟ କୁମାର ସାହୁ,ଏ.ଗୈ।ରୀ ଶଙ୍କର ପାତ୍ର, ରଞ୍ଜିତ କୁମାର ବାରିକ,ବି.ସନ୍ତୋଷ କୁମାର ପାତ୍ର ଙ୍କ ସହିତ ଅନେକ ବିଶିଷ୍ଟ ବ୍ୟବସାୟୀ ସଦସ୍ୟ ଉପସ୍ଥିତ ଥିଲେ।
​
ମୁଖ୍ୟ ବିଷୟବସ୍ତୁ ହେଲା ଯେ, ​୨୦୦୦ ଟଙ୍କାରୁ ଅଧିକ ବ୍ୟବସାୟିକ UPI କାରବାର ଉପରେ ୦.୪% MDR ଲାଗୁ କରିବା ପାଇଁ ହେଉଥିବା ପ୍ରସ୍ତାବକୁ ନେଇ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସାଧାରଣ ଦୃଷ୍ଟିରୁ ଏହି ଚାର୍ଜ କମ୍ ମନେହେଉଥିଲେ ମଧ୍ୟ, ବ୍ୟବସାୟରେ ପ୍ରତିଦିନ ସଂଘଟିତ ହେଉଥିବା ବିପୁଳ ସଂଖ୍ୟକ ଡିଜିଟାଲ୍ କାରବାର ଉପରେ ଏହାର ଆକଳନ କଲେ ଏହା ବ୍ୟବସାୟୀଙ୍କ ଉପରେ ଏକ ବଡ଼ ଆର୍ଥିକ ବୋଝ ସଦୃଶ ହେବ।
​ବ୍ୟବସାୟୀ ସଙ୍ଗଠନର କହିବାନୁସାରେ, ନଗଦ କାରବାରରେ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେଉନଥିବା ବେଳେ ଡିଜିଟାଲ୍ ପେମେଣ୍ଟ ଉପରେ ଶୁଳ୍କ ଧାର୍ଯ୍ୟ କଲେ, ତାହା ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ପୁନର୍ବାର ନଗଦ କାରବାର ଆଡ଼କୁ ଆକୃଷ୍ଟ କରିବ। ଏହା ଦ୍ୱାରା ଦେଶକୁ ଏକ ସ୍ୱଚ୍ଛ, ପାରଦର୍ଶୀ ଏବଂ ଆନୁଷ୍ଠାନିକ ଡିଜିଟାଲ୍ ଅର୍ଥନୀତିରେ ପରିଣତ କରିବାର ସରକାରଙ୍କ ମୂଳ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେବ।
​କଳାଧନ, ହିସାବହୀନ କାରବାର ଏବଂ ଟିକସ ଫାଙ୍କି ଭଳି ସମସ୍ୟାର ସମାଧାନ ପାଇଁ ଡିଜିଟାଲ୍ ପେମେଣ୍ଟର ମୂଲ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଉପଯୁକ୍ତ ମନିଟରିଂ, ରିପୋର୍ଟିଂ ଏବଂ କଠୋର ଆଇନ ପ୍ରବର୍ତ୍ତନ ବ୍ୟବସ୍ଥା ଗ୍ରହଣ କରିବାକୁ ବ୍ୟବସାୟୀ ସମ୍ପ୍ରଦାୟ ନିବେଦନ କରିଛନ୍ତି।
ଭଞ୍ଜନଗର ​ଚାମ୍ବର ଅଫ୍ କମର୍ସର ମୁଖ୍ୟ ଦାବିସମୂହ ରହିଅଛି ଯେ,
​ଶୂନ୍ୟ MDR ବଜାୟ ରହୁ: ୨୦୦୦ ଟଙ୍କାରୁ ଅଧିକ UPI ବ୍ୟବସାୟିକ କାରବାର ଉପରେ ପ୍ରସ୍ତାବିତ ୦.୪% MDR ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ପୂର୍ବପରି ଶୂନ୍ୟ MDR (Zero MDR) ବ୍ୟବସ୍ଥା ଜାରି ରଖାଯାଉ।
ଖୁଚୁରା ବ୍ୟବସାୟୀ, MSME ଏବଂ ସାଧାରଣ ଗ୍ରାହକଙ୍କ ପାଇଁ UPI କୁ ଏକ ସହଜ, ନିରାପଦ ଏବଂ ବିନା ମୂଲ୍ୟର ପେମେଣ୍ଟ ସୁବିଧା ଭାବରେ ବଜାୟ ରଖାଯାଉ।
​ଭଞ୍ଜନଗରର ବ୍ୟବସାୟୀ ସମ୍ପ୍ରଦାୟ ଆଶାପ୍ରକଟ କରିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ଓ ଡିଜିଟାଲ୍ ଇଣ୍ଡିଆର ସଫଳତାକୁ ଦୃଷ୍ଟିରେ ରଖି ଏହି ଦାବି ପ୍ରତି ସହାନୁଭୂତିପୂର୍ବକ ବିଚାର କରିବେ। ଶେଷରେ ସେମାନଙ୍କ କହିବାନୁଯାୟୀ, ସରକାର ଯଦି ଏହି ଦାବି ଗୁଡିକୁ ଗୁରୁତର ସହିତ ନ ଦେଖନ୍ତି , ତେବେ ସମସ୍ତ ବ୍ୟବସାୟୀ ସମସ୍ତ ବ୍ୟବସାୟୀକ କାର୍ଯ୍ୟ ରେ ଡିଜିଟାଲ୍ ବା UPI ପେମେଣ୍ଟ କୁ ବନ୍ଦ୍ କରିବାକୁ ବାଧ୍ୟ ହେବେ।

Leave A Reply

Your email address will not be published.