ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜଳାନ୍ତକ ରୋଗ ପ୍ରତିରୋଧ, ସଚେତନତା ସୃଷ୍ଟି ଏବଂ ଏହି ମାରାତ୍ମକ ରୋଗ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ରାୟଗଡ଼ା ଜିଲ୍ଲାର ଗୁଣପୁର ସହରର ବିଭିନ୍ନ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଛି।
ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ୍ ଭେଟେରିନାରୀ ଅଫିସର ଡଃ. ଘନଶ୍ୟାମ ଦାସଙ୍କ ଅଧ୍ୟକ୍ଷତାରେ ଗୁଣପୁର ସହରର ଦଶଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜଳାନ୍ତକ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ସଚେତନ କରାଯାଇଥିଲା।
ବିଭାଗ ପକ୍ଷରୁ ରିସୋର୍ସ ପର୍ସନ୍ ଡଃ. ବିଷ୍ଣୁ ଚରଣ ଶବର, ଭି.ଏସ୍., ଗୁଣପୁର ବିଭିନ୍ନ ବିଦ୍ୟାଳୟରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜଳାନ୍ତକ ରୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଶେଷକରି ଘରେ ପାଳିତ କୁକୁର ଓ ବିଲେଇ ସମେତ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରୁ ଜଳାନ୍ତକ ଭୂତାଣୁ କିପରି ମଣିଷଙ୍କ ଶରୀରକୁ ପ୍ରବେଶ କରିପାରେ, କାମୁଡ଼ିବା କିମ୍ବା ସଂକ୍ରମିତ ପ୍ରାଣୀର ଲାଳ ସଂସ୍ପର୍ଶରେ ଆସିବା ପରେ କିପରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ସେ ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ।
ଏହା ସହିତ ପ୍ରି-ଏକ୍ସପୋଜର ଓ ପୋଷ୍ଟ-ଏକ୍ସପୋଜର ଟିକାକରଣ, ପ୍ରାଣୀ କାମୁଡ଼ିଲେ ପ୍ରାଥମିକ ଭାବେ କ’ଣ କରିବା ଉଚିତ ଏବଂ ଚିକିତ୍ସାରେ ବିଳମ୍ବ ନକରିବାର ଗୁରୁତ୍ୱ ଉପରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା। ଏହି ଅବସରରେ, ଗୁଣପୁର ରାମେଶ୍ବର ନଗର ସ୍ଥିତ କିଡ୍ସ-ଗୀ ପବ୍ଲିକ୍ ସ୍କୁଲରେ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଶ୍ୱ ଜଳାନ୍ତକ ଦିବସ ଜନିତ ସ୍ୱତନ୍ତ୍ର ସଚେତନତା ସଭା ଉଚ୍ଚକୋଟୀର ଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି, ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ର ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରିସୋର୍ସ ପର୍ସନ୍ ଡଃ. ବିଷ୍ଣୁ ଚରଣ ଶବର ମଞ୍ଚାସୀନ ଥିଲେ।
ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କୁ ସମ୍ବୋଧିତ କରି ଡଃ. ଶବର ଜଳାନ୍ତକ ରୋଗର ଲକ୍ଷଣ, ସଂକ୍ରମଣର ମାଧ୍ୟମ, ପ୍ରାଣୀ କାମୁଡ଼ିଲେ ତୁରନ୍ତ ନେବାକୁ ଥିବା ପଦକ୍ଷେପ ଏବଂ ଟିକାକରଣର ଆବଶ୍ୟକତା ସମ୍ପର୍କରେ ସରଳ ଓ ସଚେତନତାମୂଳକ ଭାବେ ବୁଝାଇଥିଲେ ଏବଂ ବିଦ୍ୟାଳୟର ଡିଜିଟାଲ୍ କ୍ଲାସ୍ ମାଧ୍ୟମରେ ଏହି ସମ୍ପର୍କିତ ବିଭିନ୍ନ ଭିଡିଓ ଦେଖାଇଥିଲେ।ଜଳାନ୍ତକ ଭଳି ଏକ ମାରାତ୍ମକ ରୋଗର ପ୍ରତିରୋଧ କେବଳ ଚିକିତ୍ସା ବ୍ୟବସ୍ଥା ମଧ୍ୟରେ ସୀମିତ ନୁହେଁ; ଏଥିପାଇଁ ଜନସଚେତନତା ହିଁ ଏକ ପ୍ରମୁଖ ଅସ୍ତ୍ର,ଯାହାକି ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଗଲେ ସେମାନେ ନିଜ ପରିବାର ଓ ସମାଜରେ ଏହି ସଚେତନତାର ବାର୍ତ୍ତା ପହଞ୍ଚାଇପାରିବେ, ଏହି ଉଦ୍ଦେଶ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଏଭଳି ପଦକ୍ଷେପ ଜନସଚେତନତା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ରାୟଗଡ଼ା ପକ୍ଷରୁ ଏଲ୍.ଆଇ. ଶ୍ରୀ ବାବୁଲା ଶବର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post