କେନ୍ଦ୍ରାପଡ଼ାରେ SIR-୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୨,୦୧,୬୨୮ ।
କେନ୍ଦ୍ରାପଡ଼ା:୨୧/୯(ପ୍ରଫୁଲ୍ଲ କୁମାର ମଲ୍ଲ) ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସୋମବାର ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ୧୨,୦୧,୬୨୮ ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ SIR ପ୍ରକ୍ରିୟା କରାଯାଇଥିଲା। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୨୧ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ (INC)ର ପୂର୍ବତନ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ବିଜେପିର ଜିଲ୍ଲା ଉପସଭାପତି ଶ୍ରୀ ଉପୀନ କୁମାର ରାଉତ, ବିଏସ୍ପିର ଜିଲ୍ଲା ପ୍ରଭାରୀ ଶ୍ରୀ ସୁଧାକର ମଲ୍ଲିକ, ସିପିଆଇ(ଏମ୍)ର ଜିଲ୍ଲା ସମ୍ପାଦକ ଶ୍ରୀ ଗୟାଧର ଧଳ, ଆମ୍ ଆଦମୀ ପାର୍ଟି (AAP)ର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ପରିଡ଼ା ଏବଂ ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଶିବ ପ୍ରସାଦ ଭୋଳ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଉପଜିଲ୍ଲାପାଳ ସନ୍ଧ୍ୟାଞ୍ଜଳି ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ SIR ପ୍ରକ୍ରିୟାର ଅଗ୍ରଗତି, ଦାବି ଓ ଆପତ୍ତିର ଯାଞ୍ଚ ଓ ନିଷ୍ପତ୍ତି ଏବଂ ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା।SIR ପ୍ରକ୍ରିୟା ଅନୁଯାୟୀ ଗତ ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହି ଖସଡ଼ା ତାଲିକାରେ ଜିଲ୍ଲାରେ ମୋଟ ୧୧,୯୦,୮୯୫ ଜଣ ଭୋଟର ଥିଲେ। ଖସଡ଼ା ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସୁଯୋଗ ଦିଆଯାଇଥିଲା।
ପ୍ରାପ୍ତ ଦାବି ଓ ଆପତ୍ତିର ଯାଞ୍ଚ, ନୋଟିସ୍ ଜାରି ଏବଂ ନିୟମାନୁସାରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ୧୭ ସେପ୍ଟେମ୍ବର ସୁଦ୍ଧା ସମ୍ପନ୍ନ ହୋଇଥିଲା। ଏହାପରେ ୨୧ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ସଂଶୋଧନ ପ୍ରକ୍ରିୟାରେ ୧୧,୬୪୬ ଜଣଙ୍କ ନାମ ଯୋଡ଼ାଯାଇଥିବାବେଳେ ୯୧୩ ଜଣଙ୍କ ନାମ ବାଦ ଦିଆଯାଇଛି। ଏହାଛଡ଼ା ୪,୭୧୫ଟି ନାମରେ ଆବଶ୍ୟକ ସଂଶୋଧନ କରାଯାଇଛି।
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ନିର୍ବାଚନମଣ୍ଡଳୀୱାରୀ ଭୋଟରଙ୍କ ସଂଖ୍ୟା ହେଲା— ୯୬-ପାଟକୁରା: ୨,୩୭,୬୯୩ ୯୭-କେନ୍ଦ୍ରାପଡ଼ା: ୨,୧୩,୦୫୬, ୯୮-ଆଳି: ୨,୫୮,୯୫୬, ୯୯-ରାଜନଗର: ୨,୪୯,୭୬୦
୧୦୦-ମହାକାଳପଡ଼ା: ୨,୪୨,୧୬୩
ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସମସ୍ତ ୧,୬୪୭ଟି ବୁଥ୍ରେ ମଧ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି।
SIR-୨୦୨୬ ପ୍ରକ୍ରିୟା ସମ୍ପନ୍ନ କରିବାରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ବୁଥ୍ ସ୍ତରୀୟ ଅଧିକାରୀ (BLO), ରାଜନୈତିକ ଦଳର ପ୍ରତିନିଧି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ସହଯୋଗ ରହିଥିଲା।ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, କେନ୍ଦ୍ରାପଡ଼ା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କରେ ସୂଚନା ଦେଇଥିଲେ। ବିଧାନସଭା ନିର୍ବାଚନମଣ୍ଡଳୀୱାରୀ ଭୋଟରଙ୍କ ବିବରଣୀ, SIR-୨୦୨୬ର ଅଗ୍ରଗତି, ଦାବି ଓ ଆପତ୍ତିର ନିଷ୍ପତ୍ତି ଏବଂ ଚୂଡ଼ାନ୍ତ ତାଲିକା ସମ୍ପର୍କିତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।