ଖଇରପୁଟରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୫୨ଟି ଅଭିଯୋଗ ଗ୍ରହଣ, ସାମଗ୍ରୀ ବଣ୍ଟନ

7

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ମାସିକ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ସାଇ କିରଣ ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜିର ଏହି ଶିବିରରେ ମୋଟ ୫୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୧୧ଟି ଅଭିଯୋଗ ହୋଇଥିବା ବେଳେ ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ୪୧ଟି ଅଭିଯୋଗ ରହିଥିଲା।

ପ୍ରଶାସନ ପକ୍ଷରୁ କେତେକ ସମସ୍ୟାର ତତ୍କାଳ ସମାଧାନ କରାଯିବା ସହ ବାକି ଅଭିଯୋଗଗୁଡ଼ିକର ଶୀଘ୍ର ନିରାକରଣ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ଯୋଗ୍ୟ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା। ଏହାସହ ଗ୍ରାମୋଦୟ ଯୋଜନା ଅଧୀନରେ ଆଞ୍ଚଳିକ ଯୁବକମାନଙ୍କୁ କ୍ରୀଡ଼ା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ଖେଳ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା।


ତତ୍ ସହିତ ଜିଲ୍ଲାପାଳ ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହାପରେ ସେ ପ୍ରଗତି ପଥେ ଯୁବ ମାଲକାନଗିରି କେନ୍ଦ୍ର ବୁଲି ଦେଖିବା ସହିତ ସେଠାରେ ଚାଲିଥିବା ନୂତନ ମେଡିକାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାମର ମାନ କିପରି ଉଚ୍ଚକୋଟୀର ହେବ ଏବଂ ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ, ସେନେଇ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.