‎ପିଲାଦିନରୁ ହିଁ ଚରିତ୍ର ନିର୍ମାଣରେ ନୈତିକତା ଓ ପାରିବାରିକ ସଂସ୍କାରର ଭୂମିକା ଗୁରୁତ୍ୱପୂର୍ଣ୍ଣ

61

ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶିଶୁ ସଂସ୍କାର ସମ୍ପର୍କରେ ବାଳ-ମୁକୁନ୍ଦ କେନ୍ଦ୍ରର ସଚେତନତା କାର୍ଯ୍ୟକ୍ରମ


ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସକାଳେ ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସ ପରିସରରେ ଏବଂ ଅପରାହ୍ନରେ ଗୋଷାଣି ବ୍ଲକ ଅନ୍ତର୍ଗତ ଡକ୍ଟର ବେଞ୍ଜରୀ ଗ୍ରାମର ଶବର ସମାଜ ସତସଙ୍ଗ ଗୃହରେ ବାଳ-ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ୱତନ୍ତ୍ର ନୈତିକ ଶିକ୍ଷା ତଥା ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏଥିରେ ମୁଖ୍ୟ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ।
‎​ଛାତ୍ରବାସରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଚୌଧୁରୀ ‘ନୈତିକ ଶିକ୍ଷା ଗ୍ରହଣ ଓ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାରିକ ପ୍ରୟୋଗ’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପୁସ୍ତକଗତ ଜ୍ଞାନ ସହ ସତ୍‌ଆଚରଣ , ସତ୍ୟବାଦିତା ଏବଂ କର୍ତ୍ତବ୍ୟନିଷ୍ଠା ଯୋଡ଼ି ହେଲେ ହିଁ ପ୍ରକୃତ ଚରିତ୍ର ଗଠନ ସମ୍ଭବ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଓ ମାନସିକ ସ୍ଥିରତା ବୃଦ୍ଧି ପାଇଁ ଧ୍ୟାନ ଏବଂ ପ୍ରାଣାୟାମ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିସହ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଅଧର୍ମ ବିନାଶୀ ବାର୍ତ୍ତା ଏବଂ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
‎​ଅପରାହ୍ନରେ ଡକ୍ଟର ବେଞ୍ଜରୀ ଗ୍ରାମର ଶବର ସମାଜ ସତସଙ୍ଗ ଗୃହରେ ଅନୁଷ୍ଠିତ ବୈଠକରେ ଗ୍ରାମର ଅଭିଭାବକ ଓ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତିରେ ଶବର ସମାଜର ମହାନ ଅବଦାନ ଓ ଭକ୍ତିର ଅନନ୍ୟ ଇତିହାସ ବିଷୟରେ ଶ୍ରୀ ଚୌଧୁରୀ ଆଲୋଚନା କରିଥିଲେ। ସେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଳଲୀଳାର ମହତ୍ତ୍ୱ ବର୍ଣ୍ଣନା କରି କହିଥିଲେ ଯେ, ପରିବାର ହିଁ ଶିଶୁର ପ୍ରଥମ ବିଦ୍ୟାଳୟ। ତେଣୁ ବାଲ୍ୟକାଳରୁ ପିଲାମାନଙ୍କୁ ସଂସ୍କାରବାନ , ଧର୍ମପରାୟଣ ତଥା ଶୃଙ୍ଖଳିତ କରି ଗଢ଼ିତୋଳିବା ପାଇଁ ସେ ପିତାମାତାମାନଙ୍କୁ ଆହ୍ୱାନ ଜଣାଇଥିଲେ।
‎​ଉଭୟ କାର୍ଯ୍ୟକ୍ରମରେ ଛାତ୍ରବାସର ଅନ୍ତେବାସୀ , ଗ୍ରାମବାସୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶାନ୍ତି ପାଠ ପୂର୍ବକ ସଭା ସାଙ୍ଗ ହୋଇଥିଲା।

Leave A Reply

Your email address will not be published.