୧୪ ଜିଲ୍ଲାପାଳ ରିପୋର୍ଟ ନ ଦେବା ଅଭିଯୋଗ କଲା କଂଗ୍ରେସ କୃଷକ ସେଲ୍
ଭୁବନେଶ୍ୱରୁ ଚକ୍ରଧର ମାଝି : ରାଜ୍ୟ ସରକାର ବୀମା କମ୍ପାନୀଗୁଡ଼ିକ ଜରିଆରେ ଖରିଫ ଋତୁରେ ମୋଟ ୧୮ଲକ୍ଷ ୩୬ ହଜାର ୩୫୦ଜଣ ଚାଷୀଙ୍କୁ ଫସଲ ବୀମାଭୂକ୍ତ କରିଥିଲେ । ଏଥିପାଇଁ ଚାଷୀ ସେମାନଙ୍କ ପ୍ରିମିୟମ ବାବଦରେ ୧୪୪ କୋଟି ୨୪ ଲକ୍ଷ ଟଙ୍କା ଜମା କରିଥିବା ବେଳେ ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ୮୩୯କୋଟି ୩୮ ଲକ୍ଷ ଟଙ୍କା ବୀମା କମ୍ପାନୀ ନିକଟରେ ଜମା ଦେଇଥିଲେ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ମାର୍ଗଦର୍ଶୀକା ଅନୁଯାୟୀ ଯଦି କୌଣସି ପରିସ୍ଥିତିରେ ୫୦ ପ୍ରତିଶତରୁ କମ୍ ଅମଳ ହେବାର ଆନୁମାନିକ କରାଯାଇଥିବା ରିପୋର୍ଟ ମିଳେ ଏହି କ୍ଷେତ୍ରରେ ପଞ୍ଜିକୃତ ଚାଷୀଙ୍କୁ ୨୫ ପ୍ରତିଶତ ଅଗ୍ରୀମ ମଧ୍ୟବର୍ତ୍ତୀକାଳିନ ବୀମା ସହାୟତା ରାଶି ଦିଆ ଯାଇପାରିବ । କିନ୍ତୁ ଆଶ୍ଚର୍ଯ୍ୟର କଥା କେନ୍ଦ୍ର ବିଜେପି ସରକାର କେବଳ ବୀମା କମ୍ପାନୀଗୁଡ଼ିକ ସ୍ୱାର୍ଥରେ ଥିବା ବେଳେ ରାଜ୍ୟ ବିଜେଡି ସରକାରର ଅପାରଗତା ଓ ଚାଷୀଙ୍କୁ ଅଣଦେଖା ଯୋଗୁଁ ମରୁଡ଼ି, ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଲଘୁଚାପ ଜନିତ ବର୍ଷା, ଚକଡ଼ା ଓ ଜଉପୋକ କାରଣରୁ ଫସଲ ନଷ୍ଟ ହୋଇଥିବାରୁ ନିର୍ଦ୍ଧାରିତ ମଧ୍ୟବର୍ତ୍ତୀ କାଳୀନ ଅଗ୍ରୀମ ୨୫ ପ୍ରତିଶତ ଫସଲ ବୀମା ସହାୟତା ଚାଷୀ ପାଇବାରୁ ବଞ୍ଚôତ ହେଲେ । କିନ୍ତୁ ଦୁଃର୍ଭାଗ୍ୟର କଥା ରାଜ୍ୟ ସରକାର କ୍ଷୟ କ୍ଷତିର ରିପୋର୍ଟ ପାଇଁ ପ୍ରଥମେ ୧୫ଟି ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିବା ବେଳେ ଅଦ୍ୟାବଧି ଏହି ସମ୍ପର୍କରେ ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟତିତ ଅନ୍ୟ ୧୪ଟି ଜିଲ୍ଲାପାଳ ସେମାନଙ୍କ ରିପୋର୍ଟ ଦାଖଲ କରି ନ ଥିବା ଚାଷୀଙ୍କ ପ୍ରତି ଉଭୟ ସରକାରଙ୍କର କେତେ ସମ୍ବେଦନଶୀଳ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଉଭୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଚାଷୀ ଓ ସରକାରଙ୍କ ଅର୍ଥରେ ବୀମା କମ୍ପାନୀଗୁଡ଼ିକ ମାଲାମାଲ ବେଳେ ଚାଷୀ ଦୁଃର୍ଦଶାର ସମ୍ମୁଖିନ । ଯଦି ସରକାର ଫସଲ କ୍ଷତିଗ୍ରସ୍ତ ବୀମାଭୂକ୍ତ ସମସ୍ତ ଚାଷୀଙ୍କୁ ମଧ୍ୟବର୍ତ୍ତୀକାଳିନ ସହାୟତା ସହିତ ସମସ୍ତ କ୍ଷୟକ୍ଷତିର ବୀମା ଅର୍ଥ ତୁରନ୍ତ ପ୍ରଦାନ ନ କରନ୍ତି ସମ୍ପୃକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସହିତ ଜଗନ୍ନାଥ ଜେନା, ଜତି ପ୍ରଧାନ, ପ୍ରେମାନନ୍ଦ ସ୍ୱାଇଁ , ସୁକେଶ ପଟ୍ଟନାୟକ, ସଞ୍ଜିବ ଦାସ, ଚୈତରାମ ନାଏକ, ଅଶୋକ ପୁରୋହିତ, ଉମେଶ ସାହୁ, ସନ୍ତୋଷ ସାହୁ, ପି. ଦେବେନ୍ଦ୍ର କୁମାର ରାଓ, ତଥାଗତ ସ୍ୱାଇଁ , ରବିନ୍ଦ୍ର କୁମାର ହୋତା ପ୍ରମୁଖ କର୍ମକର୍ତ୍ତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।