ଯାଜପୁରରୁ ଜୟଶଙ୍କର ଦାଶ : ଆମର ସଂସ୍କୃତି, ସାହିତ୍ୟ, ଆଧ୍ୟାତ୍ମିକ ଓ ପରମ୍ପରାକୁ ଅଧିକ ସମୃଦ୍ଧ, ଗ୍ରହଣୀୟ ତଥା ଗତିଶୀଳ କରିବାରେ ଭାଗବତ ପରି ମହାନ ଗ୍ରନ୍ଥ ଓ ପୁସ୍ତକର ଅବଦାନ ଚିରସ୍ମରଣୀୟ ଏବଂ ଅବର୍ଣ୍ଣନୀୟ । ଏକ ଶୃଙ୍ଖଳିତ ବ୍ୟକ୍ତି, ପରିବାର, ରାଷ୍ଟ୍ର ତଥା ବିଶ୍ୱ ପାଇଁ ଭାଗବତକୁ ସମସ୍ତେ ଜାଣିବା ଏବଂ ଅନୁକରଣ କରିବା ନିହାତି ଆବଶ୍ୟକ । ଭାଗବତର ପ୍ରଭାବ ଉଭୟ ବ୍ୟକ୍ତି ଓ ସାମାଜିକ ଜୀବନ ପାଇଁ ଅପରିହାର୍ଯ୍ୟ ବୋଲି ବି.ଜେ.ଡି ଯୁବନେତା ତଥା ସ୍ତମ୍ବକାର ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚାରଗୋଠର ଭାଗବତପ୍ରେମୀ ମାନଙ୍କ ଅନୁଷ୍ଠିତ ବୈଠକରେ ଯୋଗଦେଇ ସତୀଶ କହିଥିଲେ ଯେ, ଭାଗବତର ପ୍ରଚାର ଓ ପ୍ରସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ଯୋଜନା କରିବା ଏବଂ ସହଯୋଗ କରିବାକୁ ସରକାରୀ ଭାବେ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୁରଦୃଷ୍ଟି ସମ୍ପନ୍ନ ନିଷ୍ପତି ପାଇଁ ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ଅଧିକ ଉଜ୍ଜିବିତ ହେବ । ପ୍ରତ୍ୟେକ ଗାଁରେ ଭାଗବତଟୁଙ୍ଗୀ ଗଠନ କରିବା ଏକ ମହତ ଉଦ୍ୟମ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନନ୍ତ ଗୋପାଳ ଭାଗବତ ଟୁଙ୍ଗୀ ଗଠନ କରାଯାଇଥିଲା । ମଦନ ମୋହନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯୁଗଳ ରାଉତ, ଚନ୍ଦ୍ରମଣୀ ରାଉତ, ଶଙ୍କର ଜେନା, ଭୀମସେନ ରାଉତ, ପଦନ ମଳିକ, ମାୟାଧର ଓଝା, ଇଶ୍ୱର ପରିଡା, ରଂଜନ ରାଉତ, ଦଃୁଖ ରାଉତ, ପୂର୍ଣ୍ଣଚନ୍ଦ୍ର ରାଉତ, ପବିତ୍ର ରାଉତ ପ୍ରମୁଖ ଯୋଗଦେଇ ଭାଗବତ ଟୁଙ୍ଗୀ ଓ ଭାଗବତ ପାଠ ଦ୍ୱାରା ବ୍ୟକ୍ତି ଜୀବନ ଉପରେ ପଡୁଥିବା ସକାରାତ୍ମକ ପ୍ରଭାବ ନେଇ ଆଲୋଚନା କରିଥିଲେ । ଭାଗବତ ଟୁଙ୍ଗୀର ସଭ୍ୟ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗଳ କାମନା କରାଯାଇ ସମୁହ ପ୍ରାର୍ଥନା କରାଯାଇ ଥିଲା । ଏଥିରେ ଆଖପାଖ ଗ୍ରାମରେ ବହୁ ଭାଗବତ ପ୍ରେମୀ ଯୋଗଦେଇଥିଲେ ।