୧୦ ଦଫା ଦାବି ନେଇ ଅଧ୍ୟକ୍ଷଙ୍କୁ ଦେଲେ ଦାବିପତ୍ର
ଓଡ଼ଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହାବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ, ଛାତ୍ର ସଂସଦ ନିର୍ବାଚନ କରାଇବା ସମେତ ୧୦ ଦଫା ଦାବି ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ପକ୍ଷରୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏବିଭିପି କାର୍ଯ୍ୟକର୍ତ୍ତାମାନେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କୁ ଭେଟି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ମହାବିଦ୍ୟାଳୟର ପରିଚାଳନା କମିଟି ପୁନର୍ଗଠନ, ଛାତ୍ର ସଂସଦ ନିର୍ବାଚନ ଶୀଘ୍ର କରାଇବା ସହ କ୍ୟାମ୍ପସର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ, ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷିତ ଶିକ୍ଷାନୁକୂଳ ପରିବେଶ ଗଠନ ଆଦି ଦାବି ସ୍ଥାନ ପାଇଛି। ଏବିଭିପି ପକ୍ଷରୁ କୁହାଯାଇଛି ଯେ, ୨୦୨୪ରୁ ମହାବିଦ୍ୟାଳୟଗୁଡ଼ିକର ପରିଚାଳନା କମିଟି ରଦ୍ଦ ହୋଇଥିବା ବେଳେ ଏଯାଏଁ ନୂତନ କମିଟି ଗଠନ ହୋଇନାହିଁ। ସେହିପରି ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିବାରୁ ମହାବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବାଧାପ୍ରାପ୍ତ ହେଉଛି। ତେଣୁ ଦାବିଗୁଡ଼ିକ ଉପରେ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ପରିଷଦ ଦାବି କରିଛି। ଏହି କାର୍ଯ୍ୟକ୍ରମରେ କ୍ୟାମ୍ପସ ଶାଖା ସଭାପତି ଶୁଭମ୍ ପ୍ରଧାନ, ଓଡ଼ଗାଁ ବ୍ଲକ ସଂଯୋଜକ ଦେବବ୍ରତ ମହାପାତ୍ରଙ୍କ ସମେତ ପ୍ରତ୍ୟୁଷ କୁମାର ସାହୁ, ସୁନିଲ ଖିଲାର, ଦୀପ୍ତି ରଞ୍ଜନ ପରିଡ଼ା, ରାଜେଶ କୁମାର ସାହୁ, ଶ୍ରୀଧର ସାହୁ, ଶୁଭଙ୍କର ଭୋଳ, ଚନ୍ଦ୍ରକାନ୍ତ ମହାରଣା, ଲକ୍ଷ୍ମୀଧର ଖିଲାର ଓ ସତ୍ୟ ନାଏକଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଏବିଭିପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ ଶିକ୍ଷାନୁକୂଳ ପରିବେଶ ଗଠନ ପାଇଁ ଆଗାମୀ ଦିନରେ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।