ପଶ୍ଚିମ ଓଡ଼ିଶାରେ ୫୦ ହଜାର ଟପିଲା ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ସ୍ଥାପନା

47

ମୋଟ ସ୍ଥାପନା ୫୭,୨୮୨ରେ ପହଞ୍ଚିଲା; ଅଗଷ୍ଟ ମାସରେ ସର୍ବାଧିକ ୯,୮୪୯ ସୋଲାର ପ୍ୟାନେଲ୍ ସ୍ଥାପନା ।

ବୁର୍ଲା, ସେପ୍ଟେମ୍ବର ୨, ୨୦୨୬: ପଶ୍ଚିମ ଓଡ଼ିଶାରେ ସୌର ଶକ୍ତି ବ୍ୟବହାରକୁ ନୂଆ ଗତି ଦେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ରୁଫଟପ୍ ସୋଲାର କ୍ଷେତ୍ରରେ ଏକ ନୂଆ ମାଇଲ୍‌ଷ୍ଟୋନ୍ ହାସଲ କରିଛି । କମ୍ପାନୀର ସମସ୍ତ ୯ ଗୋଟି ବିଦ୍ୟୁତ୍ ବିତରଣ ଜିଲ୍ଲାରେ ରୁଫଟପ୍ ସୋଲାର ସ୍ଥାପନା ସଂଖ୍ୟା ୫୦ ହଜାର ଟପି ୫୭,୨୮୨ରେ ପହଞ୍ଚିଅଛି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ଟିପିଡବ୍ଲୁଓଡିଏଲ୍‌ର ଉଲା ମଡେଲ୍‌ ଅଧିନରେ ଏହି ସଂଖ୍ୟା ହାସଲ ହୋଇପାରିଛି । ଏହି ସଫଳତା ପଶ୍ଚିମ ଓଡ଼ିଶାରେ ସୌର ଶକ୍ତି ପ୍ରତି ବଢ଼ୁଥିବା ଆଗ୍ରହ ସହିତ ଗ୍ରାହକଙ୍କ ପାଇଁ ସ୍ୱଚ୍ଛ ଶକ୍ତିକୁ ଅଧିକ ସହଜ ଓ ସୁଲଭ କରିବା ଦିଗରେ କମ୍ପାନୀର ପ୍ରୟାସକୁ ପ୍ରତିଫଳିତ କରୁଅଛି ।

ଗତ ଅଗଷ୍ଟ ୨୦୨୬ ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ଯାତ୍ରାରେ ଆଉ ଏକ ଉଲ୍ଲେଖନୀୟ ମାସ ଭାବେ ପରିଗଣିତ ହୋଇଛି । ଏହି ମାସରେ କମ୍ପାନୀ ପକ୍ଷରୁ ୯,୮୪୯ଟି ରୁଫଟପ୍ ସୋଲାର ସ୍ଥାପନା କରାଯାଇଅଛି, ଯାହା ଏକ ମାସରେ ଏପର୍ଯ୍ୟନ୍ତର ସର୍ବାଧିକ ସ୍ଥାପନା । ଏହା ସହିତ ଜୁଲାଇ ୨୦୨୬ରେ ହୋଇଥିବା ୮,୨୯୮ଟି ସ୍ଥାପନାର ପୂର୍ବ ରେକର୍ଡକୁ ମଧ୍ୟ ଅତିକ୍ରମ କରିଅଛି । ଏହି କ୍ରମାଗତ ବୃଦ୍ଧି ପଶ୍ଚିମ ଓଡ଼ିଶାର ଗ୍ରାହକମାନେ ରୁଫଟପ୍ ସୋଲାରକୁ ଏକ ବିଶ୍ୱସନୀୟ ଏବଂ ଦୀର୍ଘମିଆଦୀ ଶକ୍ତି ସମାଧାନ ଭାବେ ଗ୍ରହଣ କରୁଥିବାର ସୂଚନା ଦେଉଛି ।

ଏହି ସଫଳତା ନେଇ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “୫୦ ହଜାର ରୁଫଟପ୍ ସୋଲାର ସ୍ଥାପନା ଅତିକ୍ରମ କରିବା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଅଗଷ୍ଟର ରେକର୍ଡ ସ୍ଥାପନା ଦର୍ଶାଉଛି ଯେ ସ୍ୱଚ୍ଛ ଶକ୍ତିକୁ ସୁଲଭ ଓ ସହଜ କରାଗଲେ ଗ୍ରାହକମାନେ ଏହାକୁ ଉତ୍ସାହର ସହ ଗ୍ରହଣ କରୁଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ପରିବାରକୁ ସୌର ଶକ୍ତି ସହ ଯୋଡ଼ିବା ଆମର ପ୍ରାଥମିକତା ।”

ଏହି ମାଇଲ୍‌ଷ୍ଟୋନ୍ ହାସଲ କରିବାରେ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ଆଗରେ ରହିଛନ୍ତି । ବରଗଡ଼ରେ ସର୍ବାଧିକ ୧୦,୬୩୪ଟି ଏବଂ ନୂଆପଡ଼ାରେ ୧୦,୪୫୭ଟି ରୁଫଟପ୍ ସୋଲାର ସ୍ଥାପନା ହୋଇଛି । ଏହାପରେ ସୁନ୍ଦରଗଡ଼ରେ ୭,୮୫୬, ବଲାଙ୍ଗିରରେ ୭,୫୭୭, ସମ୍ବଲପୁରରେ ୬,୫୭୪, କଳାହାଣ୍ଡିରେ ୬,୫୨୯, ସୋନପୁରରେ ୩,୫୨୯, ଝାରସୁଗୁଡ଼ାରେ ୩,୧୪୮ ଏବଂ ଦେବଗଡ଼ରେ ୯୭୮ଟି ସ୍ଥାପନା ହୋଇଛି । ଏହାକୁ ମିଶାଇ ୯ଟି ଜିଲ୍ଲାରେ ମୋଟ ସ୍ଥାପନା ସଂଖ୍ୟା ୫୭,୨୮୨ରେ ପହଞ୍ଚିଛି ।

ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ରୁଫଟପ୍ ସୋଲାର ଗ୍ରହଣକୁ ଆହୁରି ସହଜ କରିପାରିଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ଗ୍ରାହକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ପାଇ ପାରୁଛନ୍ତି । ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୩ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପ୍ରାୟ ୧.୪୦ ଲକ୍ଷ ଟଙ୍କା ମୂଲ୍ୟର ୨ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରୁଛି । ଫଳରେ ରୁଫଟପ୍ ସୋଲାର ସ୍ଥାପନା ପାଇଁ ଗ୍ରାହକଙ୍କ ପ୍ରାରମ୍ଭିକ ଖର୍ଚ୍ଚ ଯଥେଷ୍ଟ କମିଯାଉଛି ।

ସୌର ଶକ୍ତିକୁ ଆହୁରି ଅଧିକ ପରିବାର ପାଖରେ ପହଞ୍ଚାଇବା ପାଇଁ ଟିପିଡବ୍ଲୁଓଡିଏଲ୍‌ର ୧ କିଲୋୱାଟ୍ ଉଲା ମଡେଲ୍ ମଧ୍ୟ ଏକ ଅଭିନବ ପଦକ୍ଷେପ । ଏହି ମଡେଲ୍‌ରେ ଯୋଗ୍ୟ ଘରୋଇ ଗ୍ରାହକ ମାତ୍ର ୧,୮୭୫ ଟଙ୍କା ଦେଇ ରୁଫଟପ୍ ସୋଲାର ସ୍ଥାପନା କରିପାରୁଛନ୍ତି । ସ୍ଥାପନାର ସମ୍ପୂର୍ଣ୍ଣ ଦାୟିତ୍ୱ ଟିପିଡବ୍ଲୁଓଡିଏଲ୍ ନେଉଥିବାବେଳେ, ଉପକରଣ ପାଇଁ ୫ ବର୍ଷର ୱାରେଣ୍ଟି ଏବଂ ସୋଲାର ପ୍ୟାନେଲ୍ ପାଇଁ ୨୫ ବର୍ଷର ପରଫର୍ମାନ୍ସ ୱାରେଣ୍ଟି ପ୍ରଦାନ କରାଯାଉଛି । ଏହା ଗ୍ରାହକଙ୍କୁ ଦୀର୍ଘମିଆଦୀ ବିଶ୍ୱସନୀୟତା ସହିତ ଅସୁବିଧାମୁକ୍ତ ସୌର ଶକ୍ତି ବ୍ୟବହାରର ସୁବିଧା ଦେଉଅଛି ।

ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ରୁଫଟପ୍ ସୋଲାରର ବଢ଼ୁଥିବା ଚାହିଦା ସ୍ୱଚ୍ଛ ଶକ୍ତି ପ୍ରତି ଗ୍ରାହକଙ୍କ ବିଶ୍ୱାସ ଓ ସଚେତନତା ବୃଦ୍ଧିର ପ୍ରମାଣ । ସରକାରୀ ପ୍ରୋତ୍ସାହନ ସହିତ ଉଲା ମଡେଲ୍ ଭଳି ଗ୍ରାହକ-କେନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ଅଧିକରୁ ଅଧିକ ପରିବାରକୁ ସୌର ଶକ୍ତି ସହ ଯୋଡ଼ିବା ଏବଂ ଅକ୍ଷୟ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି ।
ରୁଫଟପ୍ ସୋଲାର ସ୍ଥାପନା କରିବାକୁ ଇଚ୍ଛୁକ ଗ୍ରାହକମାନେ ନିକଟସ୍ଥ ଟିପିଡବ୍ଲୁଓଡିଏଲ୍ ସେକ୍ସନ୍ ଅଫିସ୍ କିମ୍ବା ରିନ୍ୟୁଏବଲ୍ ଏନର୍ଜି (RE) ସେଲ୍‌ – ୯୦୭୮୬୮୨୮୯୪ ନମ୍ବରରେ ଯୋଗାଯୋଗ କରି ସୂଚନା, ଯୋଗ୍ୟତା ଏବଂ ସ୍ଥାପନା ସମ୍ପର୍କିତ ସହାୟତା ପାଇ ପାରିବେ ।

୫୦ ହଜାରରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନାର ଏହି ସଫଳତା ପଶ୍ଚିମ ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ଏକ ନୂଆ ଦିଗ ଦେଇଛି । ଅଗଷ୍ଟରେ ରେକର୍ଡ ୯,୮୪୯ଟି ସ୍ଥାପନା ଏହି ଅଭିଯାନର ଗତିକୁ ଆହୁରି ଦୃଢ଼ କରିଛି । ଆଗାମୀ ଦିନରେ ଅଧିକ ପରିବାରକୁ ସୌର ଶକ୍ତିର ଲାଭ ପହଞ୍ଚାଇ ପଶ୍ଚିମ ଓଡ଼ିଶାରେ ଏକ ସବୁଜ, ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତି ବ୍ୟବସ୍ଥା ଗଠନ ଦିଗରେ ଟିପିଡବ୍ଲୁଓଡିଏଲ୍ ତାହାର ପ୍ରୟାସ ଜାରି ରଖିଛି ।

Leave A Reply

Your email address will not be published.