ବରଗଡ଼:- ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଅବସର ଉପଲକ୍ଷେ ୩୧ ଅଗଷ୍ଟ ୨୦୨୬ ତାରିଖରେ ମହାବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଷ୍ଟାଫ୍ କାଉନସିଲ୍ ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦୀର୍ଘ ଶିକ୍ଷାଦାନ ଓ ପ୍ରଶାସନିକ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ସହକର୍ମୀମାନେ ସ୍ମୃତିଚାରଣ କରିଥିଲେ। ଡଃ. ସଂଘମିତ୍ରା ମିଶ୍ର, ଡଃ ସତ୍ୟନାରାୟଣ ନନ୍ଦ, ଡଃ ଲକ୍ଷ୍ମୀବନ୍ତ ସାହୁ, ସୁଶ୍ରୀ ଅନୁପମା ଚାନ୍ଦ, ଶ୍ରୀମତୀ ବବିତା ଷଡ଼ଙ୍ଗୀ ଓ ଶ୍ରୀମତୀ ଅର୍ପିତା ପଣ୍ଡା ତାଙ୍କର ବହୁମୁଖୀ ପ୍ରତିଭା, ମାନବିକତା ଓ ଅନୁଷ୍ଠାନ ପ୍ରତି ଅବଦାନକୁ ଉଲ୍ଲେଖ କରିଥିଲେ।

ବକ୍ତାମାନେ କହିଥିଲେ ଯେ ଡଃ ପ୍ରଧାନ ଜଣେ ପ୍ରକୃତିପ୍ରେମୀ ଓ ସମ୍ବେଦନଶୀଳ ବ୍ୟକ୍ତିତ୍ୱ। କୃଷି ଓ କୃଷିକାର୍ଯ୍ୟ ପ୍ରତି ତାଙ୍କର ବିଶେଷ ଆଗ୍ରହ ତାଙ୍କ ବ୍ୟକ୍ତିତ୍ୱର ଏକ ଅନନ୍ୟ ଦିଗ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ସେ ସାମାଜିକ ସେବା ଓ ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।