ବିଜେପି ଅଭିଯୋଗର ଜବାବ ରଖିଲେ ପୌରାଧ୍ୟକ୍ଷା ରାନୀ ହାତୀ
ଝାରସୁଗୁଡ଼ା, ୩୦/୮: ଆସନ୍ତା ୩୧ ଅଗଷ୍ଟରେ ପାଳିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସକୁ ନେଇ ଝାରସୁଗୁଡ଼ା ପୌର ପରିଷଦରେ ନିମନ୍ତ୍ରଣ ପତ୍ରକୁ କେନ୍ଦ୍ର କରି ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି ପକ୍ଷରୁ ଉଠାଯାଇଥିବା ପ୍ରଶ୍ନର ଜବାବ ଦେଇ ରବିବାର ପୌରାଧ୍ୟକ୍ଷା ରାନୀ ହାତୀ ଏବଂ ବିଜେଡି କାଉନସିଲରମାନେ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି।
ପୌରାଧ୍ୟକ୍ଷା ରାନୀ ହାତୀ କହିଛନ୍ତି, ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଇଁ ପୌର ପରିଷଦ ପକ୍ଷରୁ କାହାକୁ ଅବହେଳା କରାଯାଇନାହିଁ। ସର୍ବସମ୍ମତ ନିଷ୍ପତ୍ତି ଅନୁଯାୟୀ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିବାବେଳେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ସାଂସଦ ପ୍ରଦୀପ ପୁରୋହିତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ବିଧାୟକଙ୍କୁ କନିଷ୍ଠ ଯନ୍ତ୍ରୀ ବ୍ୟକ୍ତିଗତ ଭାବେ ଯାଇ ନିମନ୍ତ୍ରଣ କରିଥିବାବେଳେ, ଇଓ ନିଶିକାନ୍ତ ଟେଟେ ସାଂସଦଙ୍କୁ ନିମନ୍ତ୍ରଣ ପତ୍ର ପଠାଇଥିବା ପୌରାଧ୍ୟକ୍ଷା ସ୍ପଷ୍ଟ କରିଛନ୍ତି। ତେଣୁ ସମ୍ପୂର୍ଣ୍ଣ ତଥ୍ୟ ନଜାଣି ଅଭିଯୋଗ କରିବାରୁ ବିରତ ରହିବାକୁ ସେ ବିଜେପି ନେତା ଓ କାଉନସିଲରମାନଙ୍କୁ ପରାମର୍ଶ ଦେଇଛନ୍ତି।
ନିମନ୍ତ୍ରଣ ପତ୍ରରେ ବିଧାୟକଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ବୋଲି କୌଣସି ସରକାରୀ ନିୟମ ନଥିବା ପୌରାଧ୍ୟକ୍ଷା ଦାବି କରିଛନ୍ତି। ଯଦି ଏଭଳି କୌଣସି ନିୟମ ରହିଛି, ତେବେ ତାହାକୁ ସାର୍ବଜନୀନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଅନ୍ୟପକ୍ଷରେ, ବିଜେପିର ନୈତିକତା ସମ୍ପର୍କିତ ପ୍ରଶ୍ନ ଉପରେ ମଧ୍ୟ ପୌରାଧ୍ୟକ୍ଷା ପ୍ରତିପ୍ରଶ୍ନ କରିଛନ୍ତି। ପୌର ପରିଷଦର ନିଜସ୍ୱ ପାଣ୍ଠିରେ ହେଉଥିବା ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ସମୟରେ ପୌରାଧ୍ୟକ୍ଷା କିମ୍ବା ସ୍ଥାନୀୟ କାଉନସିଲରଙ୍କୁ କେତେଥର ଆମନ୍ତ୍ରଣ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପୌର ପରିଷଦର ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବାବେଳେ ଏବେ ନୈତିକତାର ପ୍ରଶ୍ନ ଉଠାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି।
ସେହିପରି ପୌର ପରିଷଦକୁ ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିୟନ୍ତ୍ରଣ କରୁଥିବା ବିଜେପିର ଅଭିଯୋଗକୁ ମଧ୍ୟ ରାନୀ ହାତୀ ଖଣ୍ଡନ କରିଛନ୍ତି। ପୌର ପରିଷଦର ସମସ୍ତ କାର୍ଯ୍ୟ ବହୁମତ କାଉନସିଲରଙ୍କ ଗଣତାନ୍ତ୍ରିକ ନିଷ୍ପତ୍ତି ଆଧାରରେ ହେଉଥିବା ସେ ସ୍ପଷ୍ଟ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷାଙ୍କ ସମେତ କାଉନସିଲର ନବନୀତ କୌର, ପବନ ଶର୍ମା, କୈଳାଶ ନନ୍ଦ, ଗୀତାଞ୍ଜଳି ପଣ୍ଡା, ନୀତାରାଣୀ ସାହା, ସୁକୁନ୍ ଲକ୍ରା, ସୁଷମା ବରାଳ, ପ୍ରତିମା ଭୈଁସାଲ, ବବିତା ରଣବିନ୍ଦା, ବାସନ୍ତୀ ଟପ୍ପୋଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।
ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ ନିମନ୍ତ୍ରଣ ପତ୍ରକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଝାରସୁଗୁଡ଼ାର ସ୍ଥାନୀୟ ରାଜନୀତିକୁ ଆହୁରି ସରଗରମ କରିଛି।