ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆତ୍ମରକ୍ଷା ପ୍ରଶିକ୍ଷଣର ସମାପନୀ ସମାରୋହ ଅନୁଷ୍ଠିତ

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନାରୀ ସଶକ୍ତିକରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଦ୍ୱାରା ୯ଦିନ ଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି।
ଉଦଯାପନୀ ଉତ୍ସବ ଆନନ୍ଦ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨ ଜଣ ଆତ୍ମରକ୍ଷା ପ୍ରଶିକ୍ଷିକା ଦ୍ୱାରା ଛାତ୍ରୀ ମାନେ ଦୀର୍ଘ ଦିନ ଧରି ପ୍ରଶିକ୍ଷଣ ପାଇଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ , ସାହସ ଓ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଆୟୋଜିତ ସମାପନୀ ସଭାରେ ଅତିଥି ଭାବରେ ଶ୍ରୀଯୁକ୍ତ ମନୋଜ ଦାସ ଅବସର ପ୍ରାପ୍ତ ସେନାବାହିନୀ ଅଫିସର
ଯୋଗଦେଇ ଛାତ୍ରୀମାନଙ୍କୁ ନିଜ ସୁରକ୍ଷା ପ୍ରତି ସଚେତନ ରହିବା ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ତଥା ଶକ୍ତିଶ୍ରୀ ସଂଯୋଜିକା ଡ଼. ଚାରୁପ୍ରଭା ନାୟକ ଆତ୍ମରକ୍ଷାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଇତିହାସ ବିଭାଗର ସହକାରୀ ପ୍ରଫେସର ସୁଜାତା ଗମାଙ୍ଗ , ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼. କିରନବାଳା ଭୂୟାଁ ଏବଂ ଡ଼. କାନନ ପାତ୍ର ଓ ଭୂଗୋଳ ବିଭାଗ ସହକାରୀ ପ୍ରଫେସର ଉର୍ମିଳା ବଡ଼ମୁଣ୍ଡି ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଆଇନଗତ ଅଧିକାର ଓ ନାରୀ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।
ପ୍ରଶିକ୍ଷଣ କାଳରେ ଛାତ୍ରୀମାନଙ୍କୁ ବିଭିନ୍ନ ସ୍ୱୟଂରକ୍ଷା କୌଶଳ , ଆତ୍ମରକ୍ଷାର ମୌଳିକ ନୀତି , ବିପଦ ସମୟରେ ତୁରନ୍ତ ନିଷ୍ପତ୍ତି ନେବାର କୌଶଳ ଏବଂ ଆତ୍ମବିଶ୍ୱାସ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷଣପ୍ରାପ୍ତ ଛାତ୍ରୀମାନେ ଏହି ଅବସରରେ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରଦର୍ଶନ ମଧ୍ୟ କରିଥିଲେ।ସମାରୋହର ଶେଷରେ ପ୍ରଶିକ୍ଷଣରେ ସଫଳତାର ସହ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଉଦଯାପନୀ ସମାରୋହ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀ ମାନେ ସକ୍ରିୟ ଭାଗ ନେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।ଏହି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମନରେ“ସୁରକ୍ଷିତ ନାରୀ , ସଶକ୍ତ ନାରୀ”ର ବାର୍ତ୍ତାକୁ ଆହୁରି ଦୃଢ଼ କରିଥିଲା।

Leave A Reply

Your email address will not be published.