- ରାଜ୍ୟରେ ଧାନ ପଞ୍ଜୀକରଣ ପ୍ରସଙ୍ଗ
- ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରାଯାଉ
- ଭାଗ ଚାଷୀ ଓ କଲମ-୨ ସଂଶୋଧନକୁ ନେଇ ଅସନ୍ତୋଷ ପ୍ରକାଶ କଲା ବିଜେଡି
ଭୁବନେଶ୍ୱର, ୩୦/୦୮/୨୦୨୬: ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ବିଳମ୍ୱକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଚଳିତ ବର୍ଷ ଖରିଫ ଧାନ ପଞ୍ଜୀକରଣ ନିର୍ଦ୍ଧାରିତ ସମୟ ଠାରୁ ୧୮ ଦିନ ବିଳମ୍ୱରେ ଆରମ୍ଭ ହୋଇଛି ।
ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ରାଜ୍ୟର ୨୦ଟି ଜିଲ୍ଲା ବର୍ଷା ଓ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ପ୍ରତ୍ୟେକ ନଦୀରେ ୨ରୁ ୩ଥର ବନ୍ୟା ଆସିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଗତବର୍ଷ ୨୩ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୭ ଲକ୍ଷ ଚାଷୀ ନାମ ପଞ୍ଜୀକୃତ କରିପାରିଛନ୍ତି । ଏବେ ବି ପ୍ରାୟ ସାଢ଼େ ୪ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣର ଶେଷ ଅବଧିକୁ ଆସନ୍ତା ସେପ୍ଟେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଜେଡି ଦାବି କରିଛି ।
ଶ୍ରୀ ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି ଯେ, ଭାଗଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ସରକାର ଯେଉଁ ଆପ୍ ଦେଇଛନ୍ତି, ତାହା ଦ୍ୱାରା ଲକ୍ଷାଧିକ ଭାଗ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ି ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ରିୟଲ ଟାଇମ ବେସିସରେ ଜମି ମାଲିକ ନିଜେ ସମବାୟ ସମିତିରେ ଉପସ୍ଥିତି ରହି ଇ-କେୱାଇସି କରିବା ପାଇଁ ସଫ୍ଟୱେୟାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଭାଗଚାଷୀ ପୋର୍ଟାଲରେ ପଞ୍ଜୀକରଣ କରି କେମିତି ଧାନ ବିକ୍ରି କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏହା ସହିତ ସରକାର ଆଣିଥିବା ‘କଲମ-୨’ ସଂଶୋଧନକୁ ଏକ “କଳା ଆଇନ’ ଆଖ୍ୟା ଦେଇ ସେ କହିଛନ୍ତି ଯେ, ଏକାସମୟରେ ଏହି ସଂଶୋଧନ କରିବାକୁ ଯାଇ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଥମେ ଚକବନ୍ଦୀ କାର୍ଯ୍ୟ ଶେଷ କରାଯାଉ, ତା’ପରେ ଗ୍ରହଣଯୋଗ୍ୟ ଢଙ୍ଗରେ କଲମ-୨ ସଂଶୋଧନ କରାଯାଉ ।
ଶ୍ରୀ ଦାସବର୍ମା ଆହୁରି କହିଛନ୍ତି ଯେ, ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାର ଚାଷୀଙ୍କୁ ପଞ୍ଜୀକରଣ ପାଇଁ ୪ ମାସ ସମୟ ଦେଉଥିବା ବେଳେ ଓଡ଼ିଶାରେ କାହିଁକି ମାତ୍ର ମାସେ ସମୟ ଦିଆଯାଉଛି ? ଓଡ଼ିଶା ଚାଷୀଙ୍କ ପ୍ରତି ଏଭଳି ପାତରଅନ୍ତର ମନୋଭାବ ଗ୍ରହଣଯୋଗ୍ୟ ନୁହେଁ । ପଞ୍ଜୀକରଣ ଠାରୁ ଆରମ୍ଭ କରି ଟୋକନ ଅବ୍ୟବସ୍ଥା, ମଣ୍ଡି ଅବ୍ୟବସ୍ଥା, ମିଲର ସମସ୍ୟା ଏବଂ ପ୍ରାପ୍ୟ ପ୍ରଦାନରେ ଲମ୍ୱା ସମୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । ଯଦି ସରକାର ତୁରନ୍ତ ଏହି ଦାବିଗୁଡ଼ିକ ପୂରଣ ନ କରନ୍ତି, ତେବେ ରାଜ୍ୟର ଚାଷୀକୁଳ ଏହାର ଦୃଢ଼ ଜବାବ ଦେବେ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଛନ୍ତି ।