ଭୁବନେଶ୍ୱର , ୨୯/୦୮: ରାଜ୍ୟର ସର୍ବବୃହତ୍ ଶିଳ୍ପ ସଂଗଠନ ଉତ୍କଳ ଶିଳ୍ପ ବଣିକ ସଂଘ ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଏହାର ନବୀକୃତ ‘ରିକ୍ରିଏସନ୍ କ୍ଲବ’ର ଉଦଘାଟନ ହୋଇଯାଇଛି। ଏହି ଅବସରରେ ୟୁସିସିଆଇଏଲ୍ ‘ବି୨ବି ଫୋରମ୍’ ପକ୍ଷରୁ ପ୍ରସ୍ତୁତ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି।
ରାଜ୍ୟର ପ୍ରମୁଖ ଶିଳ୍ପୋଦ୍ୟୋଗ ଏମଜିଏମ୍ ଗୃପ ସହାୟତାରେ ପୁନଃନିର୍ମିତ ହୋଇଥିବା ୟୁସିସିଆଇଏଲର ନବୀକୃତ ରିକ୍ରିଏସନ କ୍ଲବକୁ ଗତ ୨୮ ତାରିଖ ଦିନ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଉଦଘାଟନ କରିଥିଲେ । ପରେପରେ ୟୁସିସିଆଇଏଲ୍ ‘କନଭିନ୍’ରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁସିସିଆଇଏଲ୍ ସଭାପତି ଶ୍ରୀ ପ୍ରବୋଧ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଏହାର କର୍ମକର୍ତ୍ତାଗଣ ଓ ବହୁସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଏମଜିଏମ୍ ଗୃପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହାପରେ ୟୁସିସିଆଇଏଲ୍ ‘ବି୨ବି ଫୋରମ୍’ର ଆବାହକ ମନୋଜ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୋରମ୍ ପକ୍ଷରୁ ପ୍ରସ୍ତୁତ ‘ପ୍ରାଇଡସ୍ ଅଫ୍ ୟୁସିସିଆଇଏଲ୍-୨.୦’ ଏବଂ ସଭାପତି ପ୍ରବୋଧ ମହାନ୍ତିଙ୍କ ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ପୁସ୍ତକ ‘ୱି ନଟ୍ ମି’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଆୟନସାକର ପରିଚାଳନା ନିର୍ଦ୍ଦେଶକ ମାନଗୋବିନ୍ଦ ମିଶ୍ର, ମ୍ୟାନେଜମେଣ୍ଟ ପରାମର୍ଶଦାତା ଡକ୍ଟର ଆର୍. ମଙ୍ଗେଶ ଦାଶ ଏବଂ ଇଣ୍ଡଓରିଏଣ୍ଟ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର ଶ୍ରୀ ଆଶୁତୋଷ ନିଜନିଜ କମ୍ପାନୀ ଓ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥାପନ କରିଥିଲେ । ଶେଷରେ ‘ପ୍ରାଇଡସ୍ ଅଫ୍ ୟୁସିସିଆଇଏଲ୍-୨.୦’ରେ ସ୍ଥାନ ପାଇଥିବା ରାଜ୍ୟର ବିଶିଷ୍ଟ ଶିଳ୍ପପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।