ଜନ୍ମପୀଠ ବରପାଲିରେ ସ୍ୱଭାବ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

178


ଐତିହ୍ୟ ଗ୍ରାମ ଭାବେ ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର

ବରଗଡ :-: ଯେଉଁ ମାଟିରୁ ଓଡ଼ିଆ ସାହିତ୍ୟ ଆକାଶରେ ଉଦୟ ହୋଇଥିଲା ଏକ ଉଜ୍ଜ୍ୱଳ ନକ୍ଷତ୍ର, ସେହି ଜନ୍ମମାଟି ବରପାଲିରେ ପୁଣିଥରେ ସ୍ମରଣ କରାଗଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଅମର ସୃଷ୍ଟିକୁ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର କ୍ଲବର ମିଳିତ ଆନୁକୂଲ୍ୟରେ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ।ଗଙ୍ଗାଧର କ୍ଲବ ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହକୁ ଡ. ଘନଶ୍ୟାମ ପାଣିଗ୍ରାହୀ ସଂଯୋଜନା କରିଥିଲେ। କ୍ଲବ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବାଲକିଶୋର ଖାଡ଼ଙ୍ଗା ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ, ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ପ୍ରକୃତି କେବଳ ଏକ ବିଷୟ ନୁହେଁ, ବରଂ ଏକ ଜୀବନ୍ତ ଚରିତ୍ର। ଫୁଲ, ଫଳ, ଗଛଲତା, ନଦୀ, ପାହାଡ଼ ଓ ଋତୁର ମନୋହର ରୂପଠାରୁ ଆରମ୍ଭ କରି ଝଡ଼, ବର୍ଷା, ବନ୍ୟା ଓ ପ୍ରକୃତିର ରୁଦ୍ର ରୂପ ପର୍ଯ୍ୟନ୍ତ କବି ନିଜ ଲେଖନୀରେ ଜୀବନ୍ତ କରିଥିଲେ।କବିଙ୍କ ସାହିତ୍ୟରେ ମାନବିକତାର ବ୍ୟାପକ ଦୃଷ୍ଟିକୋଣ ମଧ୍ୟ ପ୍ରତିଫଳିତ ହୋଇଛି। ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଅଞ୍ଚଳର ସୀମା ଉପରକୁ ଉଠି ସମଗ୍ର ମାନବ ସମାଜକୁ ଗୋଟିଏ ପରିବାର ଭାବେ ଦେଖିବାର ଚିନ୍ତାଧାରା ତାଙ୍କ ରଚନାରେ ଦେଖିବାକୁ ମିଳେ ବୋଲି ମନ୍ତ୍ରୀ କହିଥିଲେ।ସମାରୋହର ଅନ୍ୟତମ ଆକର୍ଷଣ ଥିଲା ବରପାଲିର ଐତିହ୍ୟ ବିକାଶ ନେଇ ମନ୍ତ୍ରୀଙ୍କ ଘୋଷଣା। ‘ବରପୁତ୍ର ଐତିହ୍ୟ ଗ୍ରାମ’ ଭାବେ ବରପାଲିକୁ ବିକଶିତ କରିବା ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଥିଲେ। ଏହି ଅର୍ଥରେ ବ୍ୟାଖ୍ୟାନ କେନ୍ଦ୍ର, ସଂଗ୍ରହାଳୟ ସହ ବିଭିନ୍ନ ଐତିହ୍ୟ ପ୍ରକଳ୍ପ ନିର୍ମାଣ କରାଯିବ।ଏହାଦ୍ୱାରା ବରପାଲି ଆଗାମୀ ଦିନରେ ସାହିତ୍ୟ ଓ ଐତିହ୍ୟ ପର୍ଯ୍ୟଟନର ଏକ ପ୍ରମୁଖ ସ୍ଥଳ ହେବ ବୋଲି ଆଶା ପ୍ରକାଶ କରାଯାଇଛି।ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେବା ପୂର୍ବରୁ ମନ୍ତ୍ରୀ ସ୍ୱଭାବ କବିଙ୍କ ଜନ୍ମସ୍ଥଳୀ ଓ ଐତିହାସିକ କୁଟୀର ପରିଦର୍ଶନ କରିଥିଲେ।

କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସାହିତ୍ୟିକ ଐତିହ୍ୟର ସୁରକ୍ଷା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ମତ ରଖିଥିଲେ।ବରଣ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା, ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର କୁଳପତି ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟ ଓ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇଥିଲେ। ଦିବାକର ମାନସିଂହ, ଡ. ଚନ୍ଦ୍ରଶେଖର ହୋତା ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ କୃଷ୍ଣ କେଶବ ଷଡ଼ଙ୍ଗୀ ଗଙ୍ଗାଧରଙ୍କ ଜୀବନ ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।ଗଙ୍ଗାଧରଙ୍କ ଜନ୍ମମାଟିରେ ତାଙ୍କ ସ୍ମୃତି ଓ ସାହିତ୍ୟିକ ଐତିହ୍ୟକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ସହ ବରପାଲିର ଐତିହ୍ୟକୁ ନୂଆ ପରିଚୟ ଦେବାର ଦିଗରେ ୧୫ କୋଟି ଟଙ୍କାର ଏହି ପ୍ରକଳ୍ପ ଏକ ବଡ଼ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଛି।

Leave A Reply

Your email address will not be published.