ଦୀର୍ଘ-୧୫ କି.ମି. ରାଜ୍ୟ ସଡ଼କ ନିର୍ମାଣରେ ଅବହେଳାକୁ ନେଇ ଜନ ଅସନ୍ତୋଷ ତୀବ୍ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ଉଦ୍ବେଗ; ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଆଶ୍ୱାସନା
କେନ୍ଦୁଝର,ତା୨୮/୮- ରରୁଆଁ–ଫାଗୁ–ଚମ୍ପୁଆ ସଂଯୋଗୀକରଣ ରାଜ୍ୟ ସଡ଼କର ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟକୁ ନେଇ ଫାଗୁ ଅଞ୍ଚଳରେ ଦିନକୁ ଦିନ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରାୟ ୧୫ କିଲୋମିଟର ରାସ୍ତା ଦୀର୍ଘ ସମୟ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ଅଞ୍ଚଳବାସୀ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। କେନ୍ଦୁଝରଗଡ଼–ଚମ୍ପୁଆ ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ବହଳଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ଆଦିବାସୀ ନେତା ପ୍ରହ୍ଲାଦ ପୂର୍ତ୍ତି ରରୁଆଁ–ଫାଗୁ ରାସ୍ତାରେ ଫାଗୁ ଛକଠାରେ ଅଞ୍ଚଳବାସୀଙ୍କ ସହ ସାକ୍ଷାତ କରିଥିଲେ। ଏହି ଅବସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଉତୁ ହେସାଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ସହ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଅଞ୍ଚଳବାସୀ କହିଥିଲେ ଯେ, ତିନିରୁ ଚାରି ବର୍ଷରୁ ଅଧିକ ସମୟ ଧରି ରରୁଆଁରୁ ଫାଗୁ ପର୍ଯ୍ୟନ୍ତ ରାଜ୍ୟ ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ବିଶେଷକରି ମାଣିକପୁର–ଧମକ ଛକରୁ ଫାଗୁ ବୈତରଣୀ ପୁଲିଆ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରାସ୍ତାର ମେଟାଲିଂ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି। ନିର୍ମାଣକାରୀ ସଂସ୍ଥା କାମ ଅଧୁରା ଛାଡ଼ି ଦେଇଥିବାରୁ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ମୟୂରଭଞ୍ଜ ଜିଲ୍ଲାର ରରୁଆଁ–ଫାଗୁ ଅଞ୍ଚଳକୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଯୋଡ଼ା ଓ ବଡ଼ବିଲ ଅଞ୍ଚଳ ସହ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ରାସ୍ତାର ଅଧାପନ୍ତରିଆ ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଓ ଦୈନନ୍ଦିନ ଯାତାୟାତ କରୁଥିବା ସାଧାରଣ ଲୋକେ ବିଶେଷ ଭାବେ ଅସୁବିଧା ଭୋଗୁଥିବା କହିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏନେଇ ବିଭିନ୍ନ ସମୟରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବଢ଼ିଛି। ଆବଶ୍ୟକ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ରାସ୍ତା ଅବରୋଧ ଭଳି ଗଣତାନ୍ତ୍ରିକ ପ୍ରତିବାଦ କରିବାକୁ ଅଞ୍ଚଳବାସୀ ପୂର୍ବତନ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି।
ଅଞ୍ଚଳବାସୀଙ୍କ ସମସ୍ୟା ଶୁଣି ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ରାସ୍ତା ନିର୍ମାଣର ଧୀମା ଗତି ଓ ଅଧାପନ୍ତରିଆ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅଞ୍ଚଳବାସୀ ଯେତେବେଳେ ତାଙ୍କ ସହଯୋଗ ଆବଶ୍ୟକ କରିବେ, ସେ ସେମାନଙ୍କ ସହ ରହିବେ ବୋଲି ଆଶ୍ୱାସନ ଦେଇଥିଲେ।
ଏଥିସହ ରାଇରଙ୍ଗପୁରସ୍ଥିତ ପୂର୍ତ୍ତ ବିଭାଗ (ସଡ଼କ ଓ ଭବନ)ର ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟରଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣରେ ହେଉଥିବା ବିଳମ୍ବ ଓ ଅବହେଳା ସମ୍ପର୍କରେ ଅବଗତ କରାଇବେ ବୋଲି ସେ ଅଞ୍ଚଳବାସୀଙ୍କୁ ଜଣାଇଥିଲେ।
ଏହି ସଂଯୋଗୀକରଣ ରାସ୍ତାଟି ଅଞ୍ଚଳର ଆର୍ଥିକ, ସାମାଜିକ ଓ ଯାତାୟାତ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଦାୟିତ୍ୱବାନ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏହାର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଶୀଘ୍ର ସମାପ୍ତ କରିବାକୁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଦୃଢ଼ ଦାବି ଜଣାଇଛନ୍ତି। ଏହି ଆଲୋଚନା ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଉତୁ ହେସା, ଶ୍ରୀ ବିରଲୋଚନ ଗିରି, ଶ୍ରୀ ଚଣ୍ଡୀଚରଣ ଗିରିଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।