ଝାରସୁଗୁଡ଼ା ୨୪/୦୮/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ସପ୍ତାହବ୍ୟାପୀ ସଂସ୍କୃତ ସପ୍ତାହ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦଘାଟିତ ହୋଇଯାଇଛି । ପ୍ରାଚୀନ ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ବାହକ ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଉଦଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନପୂର୍ବକ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଆଧୁନିକ ସମୟରେ ଏହାର ପ୍ରାସଙ୍ଗିକତା ସନ୍ଦର୍ଭରେ ଆଲୋକପାତ କରିଥିଲେ । ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ଏହା ଭାରତୀୟ ଜ୍ଞାନ ପରମ୍ପରା, ଦର୍ଶନ, ସାହିତ୍ୟ ଓ ବୈଜ୍ଞାନିକ ଚିନ୍ତନର ଏକ ମହତ୍ତ୍ୱପୂର୍ଣ୍ଣ ଭିତ୍ତି ବୋଲି ମତ ପ୍ରକାଶ କରିଥିଲେ । ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସଂସ୍କୃତ ଶ୍ଳୋକ ଆବୃତ୍ତି, ସୁଭାଷିତ ପାଠ, ବକ୍ତୃତା, ରଚନା, ଗୀତାସାର, ପ୍ରଶ୍ନୋତ୍ତର, ସଂସ୍କୃତ ଗୀତ ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜିତ ହେବାର ଯୋଜନା ରହିଛି । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭାଷା ଦକ୍ଷତା, ସୃଜନଶୀଳତା ଓ ଭାରତୀୟ ସଂସ୍କୃତି ପ୍ରତି ଗର୍ବବୋଧ ବୃଦ୍ଧି ପାଇବ ବୋଲି ବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ବରିଷ୍ଠ ଶିକ୍ଷକ ଅକ୍ଷୟ ପାଣି କାର୍ଯ୍ଯକ୍ରମ ସଂଯୋଜନା କରିଥିବାବେଳେ ସ୍ତୁତି ମହାପାତ୍ର ସଂସ୍କୃତର ଆବଶ୍ୟକତା ସମ୍ପର୍କରେ ଭାବବ୍ୟକ୍ତ କରିଥିଲେ । ଅଶ୍ବିନୀ କୁମାର ଝା, ଶିବମ ଦେବତା, ଇଶିତା ଅୱସ୍ଥି, ହର୍ଷିତା ତିୱାରୀ, ଅଂଶ ରାଜ, ରିଷିତା ଭଟ୍ଟର, ଆରୋହି କିର୍ତ୍ତୀୱାର ପ୍ରମୁଖ ଛାତ୍ରଛାତ୍ରୀ ସଭା ପରିଚାଳନା, ପ୍ରାର୍ଥନା, ଶପଥ, ଅନୁଚିନ୍ତା, ଗାୟତ୍ରୀ ମନ୍ତ୍ର ଓ ଖବର ପାଠ ସମ୍ପୂର୍ଣ୍ଣ ଭାବେ ସଂସ୍କୃତ ଭାଷାରେ ପରିବେଷଣ କରିଥିଲେ ।।