କୁଲାଙ୍ଗିରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ ।

8


ବେଲଗୁଣ୍ଠା-୨୨/୮:-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ମୃତ ବୃଦ୍ଧ ଜଣକ ସେହି ଗ୍ରାମର ବାବୁ ସ୍ୱାଇଁ (୭୧)ବୋଲି ଜଣାପଡ଼ିଛନ୍ତି। ଏ ନେଇ ମୃତକଙ୍କ ପୁଅ ଶମ୍ଭୁ ସ୍ୱାଇଁଙ୍କ ଲିଖିତ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ କେସ୍ ନଂ ୩୮୨/୨୬ ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) ଅଧୀନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୧ ତାରିଖ ରାତି ପ୍ରାୟ ୮:୩୦ ମିନିଟ୍ ସମୟରେ ବାବୁ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ଏକ ନଳକୂଅକୁ ଶୌଚ ହେବା ପାଇଁ ଯାଇଥିଲେ।କିନ୍ତୁ ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନଳକୂଅ ନିକଟରେ ପହଞ୍ଚିଥିଲେ ।ସେଠାରେ ବାବୁ ସ୍ୱାଇଁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ରକ୍ତାକ୍ତ ଅବସ୍ଥାରେ ମୃତ୍ୟୁବରଣ କରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଖପାଖ ଲୋକଙ୍କୁ ପଚରାଉଚରା କରିବା ପରେ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗତ ୮ ବର୍ଷ ହେଲା ରମେଶ ପ୍ରଧାନ(୫୦)ଙ୍କ ସହିତ ଶତ୍ରୁତା ଥିବାରୁ ସେହି ବ୍ୟକ୍ତି ହିଁ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୁଅ ଶମ୍ଭୁ ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏହି ଘଟଣାରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଇନିସ୍ପେକ୍ଟର ଅଜୟ କୁମାର ନାୟକ ତଦନ୍ତ କରୁଥିବା ବେଳେ ଘଟଣାର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.