ଚତୁର୍ବେଦଶତକ ପାରାୟଣ ଯଜ୍ଞ ଓ ବୃକ୍ଷରୋପଣ ଅଭିଯାନ

11

ଝାରସୁଗୁଡ଼ା, ୨୨/୦୮/୨୦୨୬: ସମଗ୍ର ଦେଶରେ ବୈଦିକ ବିଚାରଧାରାର ପ୍ରଚାର-ପ୍ରସାର କାର୍ଯ୍ୟକୁ ସୁଚାରୁ ରୂପେ କାର୍ଯ୍ୟ କରିଆସୁଥିବା ପ୍ରାଦେଶିକ ପ୍ରତିନିଧି ସଭାଙ୍କ ଯୋଜନାନୁଯାୟୀ ଡିଏଭି ପରିସରରେ ବେଦ ସପ୍ତାହ ତଥା ଶ୍ରାବଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୟାନନ୍ଦଙ୍କର ପୁସ୍ତକ ‘ଆର୍ଯ୍ୟାଭିବିନୟରେ ସଂକଳିତ ଉପଯୋଗୀ ବିଚାରଗୁଡ଼ିକୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ନିକଟରେ ପହଞ୍ଚାଇବା ପାଇଁ ପବିତ୍ର ଚତୁର୍ବେଦଶତକ ପାରାୟଣଯଜ୍ଞରେ ଚାରି ବେଦ ଋଗ୍‌ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବବେଦରୁ ଚୟନ କରାଯାଇଥିବା ୪୦୦ଟି ମନ୍ତ୍ର ଉଚ୍ଚାରଣ କରାଯାଇ ୪୦୦ଟି ଆହୁତି ପ୍ରଦାନ କରାଯାଇଥିଲା। ବୈଦିକ ମନ୍ତ୍ର ଓ ଯଜ୍ଞର ଆଧ୍ୟାତ୍ମିକ ପରିବେଶ ଛାତ୍ରଛାତ୍ରୀମାନଙ୍କ ମନରେ ବୈଦିକ ସଂସ୍କାର ଓ ମୂଲ୍ୟବୋଧର ଭାବନାକୁ ଦୃଢ଼ କରିଥିଲା। ବୈଦିକ ଚିନ୍ତାଧାରାରେ ନିହିତ ପରିବେଶ ସନ୍ତୁଳନ ଓ ପ୍ରକୃତି ସଂରକ୍ଷଣର ବାର୍ତ୍ତାକୁ ଆହୁରି ସାର୍ଥକ କରିବା ଉଦ୍ଦେଶ୍ୟରେ ଏହି ଅବସରରେ ବିଦ୍ୟାଳୟର ଇକୋ କ୍ଲବର ସଦସ୍ୟମାନଙ୍କ ପକ୍ଷରୁ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା।

ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ଏବଂ ପ୍ରକୃତିର ଯତ୍ନ ନେବାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲା। ଡିଏଭି ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସକ୍ରିୟ ମାର୍ଗଦର୍ଶନ ଓ ହବନ ଟିମର ସହଭାଗିତାରେ ଏକ ଆଧ୍ୟାତ୍ମିକ ଓ ମୂଲ୍ୟବୋଧପୂର୍ଣ୍ଣ ଚତୁର୍ବେଦଶତକ ପାରାୟଣ ଯଜ୍ଞ ଆୟୋଜିତ ହୋଇଥିଲା। ଏଥିରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଅକ୍ଷୟ ପାଣି, ଗୀତାଞ୍ଜଳି ମିଶ୍ର, ସୁନନ୍ଦା ପ୍ରହରାଜ, ଆଶିଷ ପୂଜାରୀ, ନିଖିତା ଗର୍ତ୍ତିଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.